ଷ୍ଟେଟ୍ ବ୍ୟାଙ୍କର ନୂଆ ଅଫର : କାର୍, ସୁନା, ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫି’ ଛାଡ଼

ଭୁବନେଶ୍ୱର: ଚଳିତ ପାର୍ବଣ ଋତୁରେ ଖୁଚୁରା ବର୍ଗର ଗ୍ରାହକମାନଙ୍କୁ ଖୁସି କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କେତେକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୟୋନୋ ଜରିଆରେ କାର୍, ସୁନା କିମ୍ବା ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କ ପାଇଁ ପ୍ରୋସେସିଂ ଫି’ ଛାଡ଼ କରାଯାଇଛି । କାର୍ ଋଣ ଉପରେ ବ୍ୟାଙ୍କ ପକ୍ଷରୁ ୭.୫% ଭଳି କମ୍ ସୁଧ ହାରରେ ଋଣ ପ୍ରଦାନ କରାଯାଉଛି । କେତେକ ନିର୍ଦିଷ୍ଟ ମଡେଲ୍ ଉପରେ ୧୦୦% ଅନ୍-ରୋଡ୍ ମୂଲ୍ୟର ଫାଇନାନ୍ସ କରାଯାଉଛି ।

ଗୃହ ଋଣ ଉପରେ ବ୍ୟାଙ୍କ ତରଫରୁ ସ୍ୱତନ୍ତ୍ର ଉତ୍ସବ ଅଫର ଘୋଷଣା କରାଯାଇଛି । ମଞ୍ଜୁର ହୋଇଥିବା ପ୍ରକଳ୍ପର ଗୃହ ଋଣ ଉପରେ ପ୍ରୋସେସିଂ ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଗ୍ରାହକମାନଙ୍କ କ୍ରେଡିଟ୍ ସ୍କୋର ଓ ଋଣ ପରିମାଣ ଅନୁସାରେ ସେମାନଙ୍କୁ ସୁଧ ଉପରେ ୦.୧୦ ପ୍ରତିଶତ ଭଳି ସ୍ୱତନ୍ତ୍ର ରିହାତି ଦିଆଯାଉଛି । ୟୋନୋ ଜରିଆରେ ଯେଉଁ ଗ୍ରାହକମାନେ ଋଣ ପାଇଁ ଆବେଦନ କରିବେ ସେମାନଙ୍କୁ ୦.୦୫%ର ସୁଧ ରିହାତି ମିଳିବ ।

ସୁନା ଋଣର ଗ୍ରାହକମାନେ ୭.୫ ପ୍ରତିଶତ ଭଳି କମ୍ ସୁଧରେ ଋଣ ନେଇପାରିବେ ଏବଂ ଋଣ ଶୁଝିବା ଲାଗି ୩୬ ମାସ ଭଳି ଲମ୍ବା ସମୟ ପାଇବେ । ଏହି ସଙ୍କଟମୟ ସମୟରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଋଣ ଯୋଗାଇ ଦେବା ଲାଗି ବ୍ୟାଙ୍କ ପକ୍ଷରୁ ୯.୬% ସୁଧ ହାରରେ ବ୍ୟକ୍ତିଗତ ଋଣ ପ୍ରଦାନ କରାଯାଉଛି ।

ସାଂପ୍ରତିକ ପରିସ୍ଥିତିରେ ଡିଜିଟାଲ୍ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ଏସ୍ବିଆଇ ଏହାର ୟୋନୋ ଆପ୍ ଜରିଆରେ କାର୍ ଓ ସୁନା ଋଣ ଆବେଦନ ଉପରେ ନୀତିଗତ ମଞ୍ଜୁରି ପ୍ରଦାନ କରୁଛି । ମାତ୍ର ୪ଟି କ୍ଲିକରେ ବ୍ୟାଙ୍କର ଗ୍ରାହକମାନେ ପ୍ରାକ୍ ମଞ୍ଜୁର ହୋଇଥିବା କାଗଜବିହୀନ ବ୍ୟକ୍ତିଗତ ଋଣ ପାଇପାରିବେ ।

ସମ୍ବନ୍ଧିତ ଖବର