ଅନଲାଇନ୍ ବ୍ୟାଙ୍କ ଠକେଇକୁ ରୋକିବ ନୂଆ ଯୋଜନା

କସଙ୍ଗରେ ସବୁ ବ୍ୟାଙ୍କକୁ ଯିବ ଠକେଇ ସୂଚନା

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଖି ପିଛୁଳାକେ ଏହି ଅପରାଧୀମାନେ ବ୍ୟାଙ୍କ ଖାତାରୁ ସବୁ ଟଙ୍କା କାଢ଼ି ନେଉଛନ୍ତି। ଏହାପରେ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଉଛି। ଏଭଳି ସାଇବର ଅପରାଧ ରୋକିବା ପାଇଁ ବ୍ୟାଙ୍କ ଗୁଡ଼ିକ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ଗୃହ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ନ୍ୟାସନାଲ ସାଇବରକ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (ଏନ୍‌ସିଆର୍‌ପି) ସହିତ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଏପିଆଇ (ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌) ବ୍ୟବସ୍ଥାକୁ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ହେଲେ ସାଇବର ଅପରାଧୀଙ୍କ ଆକାଉଣ୍ଟକୁ ଶୀଘ୍ର ଫ୍ରିଜ୍‌ କରି ଦିଆଯାଇ ପାରିବ। ଏହାର ମୂଳ ଲକ୍ଷ୍ୟ ହେଲା ସାଇବର ଅପରାଧୀ ଯେଭଳି ଗୋଟିଏ ଆକାଉଣ୍ଟରୁ ଏକାଧିକ ଆକାଉଣ୍ଟକୁ ଶୀଘ୍ର ଟଙ୍କା ସ୍ଥାନାନ୍ତର କରି ନପାରିବେ ତାହାକୁ ରୋକିବା। ସାଧାରଣତଃ ସାଇବର ଅପରାଧୀମାନେ ଠକେଇ କରି ନେଉଥିବା ଆକାଉଣ୍ଟର ଟଙ୍କାକୁ ତୁରନ୍ତ ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥାନ୍ତି। ଏହାପରେ ସେସବୁ ଟଙ୍କାକୁ ବିଭିନ୍ନ ଆକାଉଣ୍ଟରୁ ଉଠାଇଥାନ୍ତି। ବ୍ୟାଙ୍କ ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଯେଭଳି ଠକେଇ ଟଙ୍କାକୁ ଆଦାୟ କରି ନପାରିବେ ସେଥିପାଇଁ ଏଭଳି ତରିକା ସାଇବର ଅପରାଧୀମାନେ ଆପଣାଇଥାନ୍ତି।

ଏନ୍‌ସିଆର୍‌ପି ପୋର୍ଟାଲ ସହ ବ୍ୟାଙ୍କିଂ ବ୍ୟବସ୍ଥାକୁ ଯୋଡ଼ିବା ପ୍ରସ୍ତାବ
କର୍ମଚାରୀଙ୍କ ହସ୍ତକ୍ଷେପ ବିନା ଆପେ ଫ୍ରିଜ୍‌ ହେବ ଆକାଉଣ୍ଟ
ଏକସଙ୍ଗରେ ସବୁ ବ୍ୟାଙ୍କକୁ ଯିବ ଠକେଇ ସୂଚନା

ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟାଙ୍କଗୁଡ଼ିକ ସାଇବର ଅପରାଧ ବିଶେଷଜ୍ଞମାନଙ୍କ ସହିତ ବିଚାରବିମର୍ଶ କରିବା ପରେ ସୁପାରିସ କରିଛନ୍ତି ଯେ ଗୃହ ମନ୍ତ୍ରାଳୟର ଏନ୍‌ସିଆର୍‌ପି ସହିତ ଏପିଆଇ(ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌)କୁ ଯୋଡ଼ାଯାଉ। ଏହାହେଲେ ଅପରାଧୀଙ୍କୁ ଚିହ୍ନଟ କରିବା ‌ପାଇଁ ଯେତିକି ସମୟ ଲାଗୁଛି ତାହା ହ୍ରାସ ପାଇବ। ଏପରିକି ତତ୍କାଳ ଅପରାଧୀଙ୍କୁ ଚିହ୍ନଟ କରାଯାଇ ପାରିବ ବୋଲି ଆଶା ରଖାଯାଇଛି। କର୍ମଚାରୀଙ୍କ ବିନା ପ୍ରତ୍ୟକ୍ଷ ହସ୍ତକ୍ଷେପରେ ବ୍ୟାଙ୍କ ଆକାଉଣ୍ଟକୁ ଆପେ ଫ୍ରିଜ୍‌ କରି ଦିଆଯାଇ ପାରିବ। ଉକ୍ତ ପ୍ରସ୍ତାବ ଇଣ୍ଡିଆନ୍ ସାଇବରକ୍ରାଇମ୍ କୋର୍ଡିନେସନ୍ ସେଣ୍ଟର(୧୪ସି)କୁ ପ୍ରଦାନ କରାଯାଇଛି। ଗୃହ ମନ୍ତ୍ରାଳୟର ଏହି ସେଣ୍ଟର ସାଇବର ଅପରାଧ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେଉଛି। ବ୍ୟାଙ୍କ ଏବଂ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟକୁ ଏହି ସେଣ୍ଟର ସୁଦୃଢ଼ କରିଥାଏ। ଏନସିଆର୍‌ପି ମଧ୍ୟ ଏହି ସେଣ୍ଟର ଅଧୀନରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ, ଏପିଆଇ ବା ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌ ଜରିଆରେ ସାଇବର ଅପରାଧର ଶିକାର ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ସୂଚନା ଏକ କେନ୍ଦ୍ରୀକୃତ ବ୍ୟବସ୍ଥା କିମ୍ବା ସମସ୍ତ ବ୍ୟାଙ୍କକୁ ଏକସଙ୍ଗରେ ଦିଆଯାଇପାରିବ। ଯଦି ସୂଚନା ଏକସଙ୍ଗରେ ସବୁ ବ୍ୟାଙ୍କ ନିକଟକୁ ଯାଏ ତା’ହେଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଟଙ୍କା ଫେରି ପାଇବାର ସୁଯୋଗ ଅଧିକ ରହିବ।

ସମ୍ବନ୍ଧିତ ଖବର