ଭୂବନେଶ୍ବର : କରୋନା ଭୂତାଣୁ ପ୍ରଭାବରେ ଦୟନୀୟ ସ୍ଥିତି ଦେଇ ଗତି କରୁଥିବା ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ)ଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ସିଡ୍ବି ଆଗେଇ ଆସିଛି। ସିଡ୍ବି ତରଫରୁ 'ସେଫ୍ ପ୍ଲସ୍' ନାମକ ନୂଆ ପ୍ୟାକେଜ୍ ଘୋଷଣା କରାଯାଇଛି। ଏହା ଜରିଆରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ ଜରୁରୀକାଳୀନ କାର୍ଯ୍ୟକାରୀ ପୁଞ୍ଜି ସହାୟତା ଯୋଗାଇ ଦିଆଯାଉଛି।
ଯେଉଁ ସଂସ୍ଥାଗୁଡ଼ିକୁ ସରକାରୀ କାର୍ଯ୍ୟ ବରାଦ ମିଳିଛି ସେଗୁଡ଼ିକୁ ସିଡ୍ବି ତରଫରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ରାଶି ମିଆଦୀ ଋଣ ଆକାରରେ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ବିନା କୌଣସି ସମ୍ପତ୍ତି ବନ୍ଧକ ରଖି ଏହି ଟଙ୍କା ଯୋଗାଇ ଦିଆଯାଉଥିବା ବେଳେ ମାତ୍ର ୪୮ ଘଣ୍ଟା ଭିତରେ ଋଣ ମଞ୍ଜୁର କରାଯାଉଛି। ସିଡ୍ବି ଦେଉଥିବା ଋଣର ସୁଧ ହାର ୫ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି। ରାଜ୍ୟ ସରକାରଗୁଡ଼ିକର ସ୍ବତନ୍ତ୍ର ପଲିସି ପ୍ୟାକେଜ୍ରେ ଯେଉଁ ସଂସ୍ଥାଗୁଡ଼ିକୁ ଯୋଗ୍ୟତା ହାସଲ କରିଛନ୍ତି ସେମାନଙ୍କ ପାଇଁ ସରକାରୀ କାର୍ଯ୍ୟ ବରାଦ କାର୍ଯ୍ୟକାରୀ କରିବା ଲାଗି ଯୋଗାଇ ଦିଆଯାଉଥିବା ରାଶିର ପରିମାଣକୁ ୫୦ ଲକ୍ଷ ଟଙ୍କାରୁ ବଢ଼ାଇ ୨ କୋଟି ଟଙ୍କା କରାଯାଇଛି। ସିଡ୍ବି ତରଫରୁ ଏହା ସ୍ମାଇଲ୍ ସ୍କିମ୍ ଅଧୀନରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଅତିରିକ୍ତ ଆର୍ଥିକ ବ୍ୟବସ୍ଥା ବିଷୟରେ ଘୋଷଣା କରାଯାଇଛି। ଏହି କ୍ଷେତ୍ରର ସଂସ୍ଥାଗୁଡ଼ିକ କମ୍ ସୁଧ ହାରରେ ସିଡ୍ବିରୁ ଋଣ ହାସଲ କରିପାରିବେ।
ଏସଂକ୍ରାନ୍ତରେ ସିଡ୍ବିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମହମ୍ମଦ ମୁସ୍ତାଫା କହିଛନ୍ତି ଯେ, ଏହା ପ୍ରତିକ୍ରିୟାଶୀଳ ରହିବାର ସମୟ ହୋଇଥିବା ବେଳେ ସଂସ୍ଥାଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସିଡ୍ବି କାର୍ଯ୍ୟ କରୁଛି। ଏମ୍ଏସ୍ଏମ୍ଇଗୁଡ଼ିକୁ ସହଜ ଫାଇନାନ୍ସ ସୁବିଧା ପ୍ରଦାନ କରି କୋଭିଡ୍-୧୯ର ମୁକାବିଲା କରିବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।