ସରକାରଙ୍କ ସଫେଇ: ନୂଆ ବ୍ୟବସ୍ଥାରେ ଆୟକରଦାତାଙ୍କୁ ଲାଭ ମିଳିବ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଶନିବାର ଆଗତ ହୋଇଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ରେ ଆୟକର ସ୍ଲାବ୍ ଏବଂ ହାରରେ ପରିବର୍ତ୍ତନ ଅଣାଯାଇଛି। ପୁରୁଣା ଟିକସ ବ୍ୟବସ୍ଥା ସହିତ ନୂଆ ଟିକସ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ନୂଆ ଟିକସ ବ୍ୟବସ୍ଥାରେ ସାମିଲ ହେଲେ ପୁରୁଣା ବ୍ୟବସ୍ଥାରେ ମିଳୁଥିବା ଅନେକ ଛାଡ଼ ଓ ରିହାତିର ସୁବିଧା ମିଳିବ ନାହିଁ ବୋଲି ବଜେଟରେ କୁହାଯାଇଛି। ଏହା ପରେ ଆୟକରଦାତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେଉଁ ଟିକସ ବ୍ୟବସ୍ଥାରେ ରହିଲେ ଆୟକରଦାତାଙ୍କୁ ଲାଭ ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ରବିବାର ଅର୍ଥମନ୍ତ୍ରୀ ଏ ନେଇ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ନୂଆ ଟିକସ ବ୍ୟବସ୍ଥାରେ କିଛି ଆୟକରଦାତା ନିଶ୍ଚିତଭାବେ ଉପକୃତ‌ ହେବେ। ଆବଶ୍ୟକ ପଡ଼ିଲେ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ଅଧିକ ସ୍ପଷ୍ଟୀକରଣ ଦେବେ ବୋଲି ନିର୍ମଳା କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଗତରାତିରେ ଗୋଟିଏ ସେଟ୍ ସ୍ପଷ୍ଟୀକରଣ ଜାରି ହୋଇଛି। ଆଜି ଅଧିକ ସ୍ପଷ୍ଟୀକରଣ ଦିଆଯିବ। ନୂଆ ଟିକସ ବ୍ୟବସ୍ଥାରେ ଯଦି ପୁରୁଣା ତୁଳନାରେ ଆୟକରଦାତାଙ୍କୁ ଅଧିକ ଟିକସ ଦେବାକୁ ପଡ଼ିବ ତାହେଲେ ମୁଁ କାହିଁକି ଏଭଳି ପ୍ରସ୍ତାବ ଆଣିବି ବୋଲି ସୀତାରମଣ କହିଛନ୍ତି। ନୂଆ ବ୍ୟବସ୍ଥା ସପକ୍ଷରେ ମତ ଦେଇ ସୀତାରମଣ କହିଛନ୍ତି, ନିର୍ଦ୍ଦିଷ୍ଟ ଆୟବର୍ଗରେ ଥିବା ସବୁ ଟିକସଦାତା ନହେଲେ ବି କିଛି ଟିକସଦାତା ଏହାଦ୍ବାରା ଲାଭବାନ ହେବେ। ତେବେ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ବ୍ୟକ୍ତିଗତ ଆୟକରଦାତାଙ୍କ ପାଇଁ ଦୁଇଟି ବିକଳ୍ପ ଚୟନ କରିବାକୁ ଦିଆଯାଇଥିବାରୁ ସେମାନେ ଏହାଦ୍ବାରା ଦ୍ବନ୍ଦ୍ବରେ ପଡ଼ିବେ। ଥରେ ଜଣେ ଆୟକରଦାତା ନୂଆ ବ୍ୟବସ୍ଥାକୁ ଆପଣାଇଲେ ପରବର୍ତ୍ତୀ ବର୍ଷ ଗୁଡ଼ିକରେ ତାହା ବଳବତ୍ତର ରହିବ।

ଆୟକର ପାଇଁ ବଜେଟରେ ରଖାଯାଇଥିବା ନୂଆ ପ୍ରସ୍ତାବ ଅନୁସାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ପୂର୍ବଭଳି ଟିକସ ହାର ୫ ପ୍ରତିଶତ ରଖାଯାଇଛି। ୫ ଲକ୍ଷରୁ ସାଢ଼େ ସାତ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ, ସାଢ଼େ ସାତ ଲକ୍ଷରୁ ୧୦ ଲକ୍ଷ ଉପରେ ୧୫ ପ୍ରତିଶତ, ୧୦ ଲକ୍ଷରୁ ସାଢ଼େ ବାର ଲକ୍ଷ ଉପରେ ୨୦ ପ୍ରତିଶତ, ସାଢ଼େ ବାର ଲକ୍ଷରୁ ୧୫ ଲକ୍ଷ ଉପରେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟବର୍ଗର ବ୍ୟକ୍ତିଙ୍କ ପାଇଁ ୩୦ ପ୍ରତିଶତ ଟିକସ ପ୍ରସ୍ତାବ ରହିଛି। ନୂଆ ଆୟକର ବ୍ୟବସ୍ଥା ଟିକସଦାତାଙ୍କ ପାଇଁ ଇଚ୍ଛାଧୀନ ରହିବ। ଜଣେ ବ୍ୟକ୍ତି ଯଦି ଏବେ ପୁରୁଣା ବ୍ୟବସ୍ଥାରେ ଅଧିକ ଛାଡ଼ର ଲାଭ ନେଉଛନ୍ତି ତାହେଲେ ସେମାନେ ପୁରୁଣା ବ୍ୟବସ୍ଥାରେ ରହିପାରନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଆୟକର ସ୍ଲାବ ଏବଂ ହାରରେ ପରିବର୍ତ୍ତନ ଯୋଗୁ ସରକାରଙ୍କୁ ବାର୍ଷିକ ୪୦ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର