ଭୁବନେଶ୍ବର: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସ୍ପି)ର ଅନୁଗୁଳ ସ୍ଥିତ କାରଖାନା ପରିସରରେ ବାର୍ଷିକ ୧୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ନୂଆ ଟିଏମ୍ଟି ରିବାର୍ ମିଲ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂହ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରସିକା ଚୌବେ, ଜେଏସ୍ପିର ଅଧ୍ୟକ୍ଷ ନବୀନ ଜିନ୍ଦଲ, ପରିଚାଳନା ନିର୍ଦେଶକ ଭି ଆର୍ ଶର୍ମା ଓ ସିଇଓ (ଇସ୍ପାତ) ଡକ୍ଟର ଡି କେ ସରାଓଗି ଉପସ୍ଥିତ ଥିଲେ। ଏହି ଅବସରରେ ଇସ୍ପାତ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ ଓ ସର୍ବାଧିକ ଇସ୍ପାତ ଓଡ଼ିଶାରେ ଉତ୍ପାଦନ କରାଯାଉଛି।
୨୦୩୦ ସୁଦ୍ଧା ଓଡ଼ିଶାର ୧୦% ଅର୍ଥାତ ୨୫.୨ ଏମ୍ଟିପିଏ ଇସ୍ପାତ ଉତ୍ପାଦନ କରିବା ଲାଗି ଜେଏସ୍ପି ରଖିଥିବା ଯୋଜନାକୁ ସେ ପ୍ରଶଂସା କରିଛନ୍ତି। ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ କାରଖାନା ପରିସରରେ ଥିବା ବିଶ୍ବର ପ୍ରଥମ କୋଲ୍ ଗ୍ୟାସିଫିକେସନ୍ କାଣଖାନା ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଦର୍ଶନ କରିଥିଲେ। ଜେଏସ୍ପିର ଅଧ୍ୟକ୍ଷ ଶ୍ରୀ ଜିନ୍ଦଲ କହିଛନ୍ତି ଯେ ଏହା ହେଉଛି ଦୁନିଆର ସବୁଠୁ ଆଧୁନିକ ଓ ସର୍ବବୃହତ ରିବାର୍ ମିଲ୍। ଏହା ଗୁଣାତ୍ମକ ଭିତ୍ତିଭୂମି ପାଇଁ ଟିଏମ୍ଟି ରିବାର୍ ପ୍ରସ୍ତୁତ କରିବା ସହ ଲକ୍ଷ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଇସ୍ପାତ ମନ୍ତ୍ରୀ ବ୍ୟକ୍ତିଗତ ସଚିବ ନିଲେଶ ଦେଓରେ, ଭାରତୀୟ ଇସ୍ପାତ ଗବେଷଣା ଓ ପ୍ରଯୁକ୍ତି ମିସନର ନିର୍ଦେଶକ ଡକ୍ଟର ମୁକେଶ କୁମାର ଉପସ୍ଥିତ ଥିଲେ।