ନୂଆଦିଲ୍ଲୀ: ଭାରତୀୟ ରେଳ ଏକ ନୂଆ ସଂରକ୍ଷଣ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି ଯାହାକୁ ‘କ୍ରିସ୍’ ପକ୍ଷରୁ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ କରାଯିବ। ଏହି ବ୍ୟବସ୍ଥାରେ ଟିକଟ ସଂରକ୍ଷଣ କ୍ଷମତା ବର୍ତ୍ତମାନର ମିନିଟ୍ ପିଛା ୩୨ ହଜାରରୁ ବୃଦ୍ଧି ପାଇ ଦେଢ଼ ଲକ୍ଷରୁ ଅଧିକ ହେବ। ଏହି ବ୍ୟବସ୍ଥା ବହୁଭାଷୀ ହେବ। ଆଞ୍ଚଳିକ ଭାଷାରେ ସୁବିଧା ଉପଲବ୍ଧ ହେବା ଦ୍ବାରା ବହୁ ଲୋକ ଉପକୃତ ହୋଇପାରିବେ। ଅନୁସନ୍ଧାନ କ୍ଷମତା ମଧ୍ୟ ୧୦ ଗୁଣା ବଢ଼ିବ। ବର୍ତ୍ତମାନ ଏହି କ୍ଷମତା ମିନିଟ୍ ପିଛା ୪ ଲକ୍ଷ ଥିବା ବେଳେ ନୂଆ ବ୍ୟବସ୍ଥାରେ ତାହା ୪୦ ଲକ୍ଷରୁ ଅଧିକ ହେବ। ଛାତ୍ରଛାତ୍ରୀ, ବିଦ୍ୟାଙ୍ଗ ଓ ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ମିନିଟ୍କୁ ୧.୫ ଲକ୍ଷ ଟିକଟ ବୁକିଂ
ଅନୁସନ୍ଧାନ କ୍ଷମତା ୧୦ ଗୁଣା ବଢ଼ିବ
ରାତି ୯ଟା ସୁଦ୍ଧା ଚାର୍ଟ
ୱେଟିଂ ଲିଷ୍ଟ୍ରେ ଥିବା ଯାତ୍ରୀମାନଙ୍କ ସୁବିଧା ଲାଗି ଆଠ ଘଣ୍ଟା ପୂର୍ବରୁ ଚାର୍ଟ ତିଆରି କରାଯିବ। ଅପରାହ୍ନ ୨ଟା ପୂର୍ବରୁ ପ୍ରସ୍ଥାନ କରିବାକୁ ଥିବା ଟ୍ରେନ୍ଗୁଡ଼ିକର ଚାର୍ଟ ତା’ ପୂର୍ବଦିନର ରାତି ୯ଟା ସୁଦ୍ଧା ପ୍ରସ୍ତୁତ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଲାଗୁ କରିବା ଲାଗି ମନ୍ତ୍ରୀ ଶ୍ରୀ ବୈଷ୍ଣବ ରେଳ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଦୂରଗାମୀ ଟ୍ରେନ୍ ଧରିବା ଲାଗି ଗ୍ରାମାଞ୍ଚଳ କିମ୍ବା ଦୂରଦୂରାନ୍ତ ସ୍ଥାନରୁ ଆସୁଥିବା ଯାତ୍ରୀମାନେ ଆଗୁଆ ଚାର୍ଟ ଜରିଆରେ ଉପକୃତ ହେବେ। ଆସନ୍ତା ଜୁଲାଇ ୧ରୁ ଆଇଆର୍ସିଟିସିର ୱେବସାଇଟ୍ ଓ ମୋବାଇଲ୍ ଆପ୍ରେ ଟିକଟ ବୁକିଂ ପାଇଁ ଆଧାର ପ୍ରମାଣୀକରଣ ବ୍ୟବହାର କରାଯିବ। ଜୁଲାଇ ଶେଷ ସୁଦ୍ଧା ଆଧାର ଭିତ୍ତିକ ଓଟିପି ଲାଗିବ।