ନୂଆ ଟ୍ରେଣ୍ଡ୍‌ : ହାଇପାକୁଲ୍‌ ଟୋପି

ଭୁବନେଶ୍ବର : ଟୋପି ପିନ୍ଧିବା କିଛି ଲୋକଙ୍କ ପାଇଁ ‌ସଉକ ହୋଇଥିବାବେଳେ ଆଉ କିଛି ଲୋକଙ୍କ ପାଇଁ ଏହା ଏକ ଆବଶ୍ୟକତା। ବାହାରେ କାର୍ଯ୍ୟ କରିବା କିମ୍ବା ବୁଲାବୁଲି କରିବା ବେଳେ ସୂର୍ଯ୍ୟକିରଣ ପ୍ରଭାବରୁ ମୁଣ୍ଡ ଏବଂ ଆଖିକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ସାଧାରଣତଃ ଟୋପି ପିନ୍ଧିଥାନ୍ତି। ସେହିଭଳି ଆଉ କିଛି ଲୋକ ମୁଣ୍ଡରେ ରାସ୍ତାର ଧୂଳି ନପଶିବା ପାଇଁ ମଧ୍ୟ ଟୋପି ପିନ୍ଧନ୍ତି। ଏଥିସହିତ କିଛି ଲୋକ ନିଜର ଚନ୍ଦାପଣକୁ ଲୁଚାଇବା ପାଇଁ ଟୋପି ପିନ୍ଧିବା ଦେଖିବାକୁ ମିଳିଥାଏ। ତେବେ ଯୁବବର୍ଗ ଏବଂ ଯୁବସୁଲଭ ମାନସିକତା ଥିବା ବ୍ୟକ୍ତିମାନେ ହିଁ ଅଧିକ ସଂଖ୍ୟାରେ‌ ଟୋପି ପରିଧାନ କରିବା ପରିଲକ୍ଷିତ ହେଉଛି।

ଲୋକଙ୍କ ଏହି ଆବଶ୍ୟକତା ଦୃଷ୍ଟିରୁ ଟୋପି ଏକ ବଡ଼ ବଜାରରେ ପରିଣତ ହୋଇଯାଇଛି। ନାମୀଦାମୀ କମ୍ପାନିମାନେ ମଧ୍ୟ ଏ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ବଡ଼ ବଡ଼ ସୋ’ରୁମ୍‌ରେ ଟୋପି ପାଇଁ ମଧ୍ୟ ସ୍ବତନ୍ତ୍ର ବିଭାଗ ଖୋଲିଲାଣି। ଓଡ଼ିଶା ବଜାର ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ‌ରାଜ୍ୟର ଏହି ବଜାର ଦ୍ରୁତ ବେଗରେ ଆଗକୁ ବଢ଼ୁଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ବିଶେଷକରି ଗୋଟିଏ ପଟେ ଲୋକଙ୍କ ଆୟ ବଢ଼ୁଥିବାବେଳେ ଅନ୍ୟପଟେ ବ୍ରାଣ୍ଡ୍‌ ପ୍ରତି ସଚେତନତା ବଢ଼ୁଥିବାରୁ ଟୋପି ବଜାର ପ୍ରତିବର୍ଷ ଆଗକୁ ବଢ଼ୁଛି। ସୋ’ରୁମ୍ ଛଡ଼ା ଗ୍ରାହକମାନେ ଅନଲାଇନରେ ମଧ୍ୟ ଟୋପି କିଣୁଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ଲୋକମାନେ ଏବେ ଶୀତ ଟୋପି ପରିବର୍ତ୍ତେ ଖରାଦିନିଆ ଟୋପି କିଣିବା ଆରମ୍ଭ ‌କରିଦେଇଛନ୍ତି। ବଜାରରେ ଏଥିପାଇଁ ଭଳିକି ଭଳି ଟୋପି ଉପଲବ୍ଧ ହେଲାଣି। ନୂଆ ଟୋପିଗୁଡ଼ିକ ମଧ୍ୟରେ ବକେଟ୍‌ କ୍ୟାପ୍‌, ସ୍କଲ୍ କ୍ୟାପ୍ ଏବଂ ଭାଇଜର କ୍ୟାପ୍ ଆଦି ରହିଛି। ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ଏବଂ ପିଲାମାନଙ୍କ ପାଇଁ ବଜାରରେ ଟୋପି ବିକ୍ରି କରାଯାଉଛି।

୮୦ ଟଙ୍କାରୁ ଆରମ୍ଭ
ହାଇପାକୁଲ୍‌ ଟୋପିର ଚାହିଦା ଏବେ ଅଧିକ ରହୁଛି ବୋଲି ଏକ ସୋ’ରୁମ୍‌ର ଜଣେ କର୍ମକର୍ତ୍ତା କହିଛନ୍ତି। ଉକ୍ତ ଟୋପି ତାତିରୁ ମୁଣ୍ଡକୁ ଯଥେଷ୍ଟ ମାତ୍ରାରେ ଆରାମ ପ୍ରଦାନ କରୁଥିବାରୁ କମ୍ପାନି ଏହାର ନାମ ହାଇପାକୁଲ୍‌ ରଖିଛି। ଏହାକୁ ପିନ୍ଧିଲେ କେବଳ ଗରମରୁ ଆରାମ ଲାଗି ନଥାଏ ଝାଳ ମଧ୍ୟ ବୋହି ନଥାଏ ବୋଲି ଦାବି କରାଯାଉଛି। ଉକ୍ତ ଟୋପିର ମୂଲ୍ୟ ୪୯୫ ଟଙ୍କା ରହିଛି। ପ୍ରମୁଖ ବ୍ରାଣ୍ଡ୍‌ ଗୁଡ଼ିକୁ ଦେଖିଲେ ବଡ଼ ବଡ଼ ସୋରୁମ୍‌ରେ ବିକ୍ରି ହେଉଥିବା ବହୁରାଷ୍ଟ୍ରୀୟ କମ୍ପାନି ଗୁଡ଼ିକର ଟୋପି ଦାମ ପ୍ରାୟ ୪୯୯ ଟଙ୍କାରୁ ଆରମ୍ଭ ହୋଇଛି। ୟୁଏସ୍‌ ପୋଲୋ ଟୋପିର ମୂଲ୍ୟ ୭୯୯ ଟଙ୍କାରୁ ଆରମ୍ଭ ହୋଇ ୯୯୯ ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ଆଡିଡାସ୍‌ ଟୋପିର ମୂଲ୍ୟ ୧୩୯୯ ଟଙ୍କାରୁ ଆରମ୍ଭ ହୋଇ ୧୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ରିବକ୍ ଟୋପିର ମୂଲ୍ୟ ୧୩୯୯ ଟଙ୍କାରୁ, ପୁମା ଟୋପିର ମୂଲ୍ୟ ୯୯୯ ଟଙ୍କାରୁ ଏବଂ ୱାଇଲ୍ଡକ୍ରାଫ୍ଟ ଟୋପିର ମୂଲ୍ୟ ୪୯୯ ଟଙ୍କାରୁ ଆରମ୍ଭ ହୋଇଛି। ଏଥିସହିତ ଫୁଟପାଥ୍ ଏବଂ ରାସ୍ତା ପାର୍ଶ୍ବ ଛୋଟ ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ଟୋପିର ମୂଲ୍ୟ ୮୦ ଟଙ୍କାରୁ ଆରମ୍ଭ ହେଉଛି। ଲୋକେ ଉଭୟ ବ୍ରାଣ୍ଡେଡ୍‌ ଏବଂ ଅଣବ୍ରାଣ୍ଡେଡ୍ ଟୋପି କିଣୁଛନ୍ତି ବୋଲି ଜଣେ ବ୍ୟବସାୟୀ ମତ ଦେଇଛନ୍ତି। ଗ୍ରାହକମାନେ କେବଳ ବ୍ରାଣ୍ଡ୍‌ ନୁହେଁ, ରଙ୍ଗ ଅନୁସାରେ ମଧ୍ୟ ଟୋପି ପସନ୍ଦ କରୁଛନ୍ତି। ନୀଳ, କଳା, ‌କମଳା, ଧଳା, ଘନ ନୀଳ, ଘନ ଧୂସର ଏବଂ ଧୂଆଁଳିଆ ଧୂସର ଆଦି ଆକର୍ଷଣୀୟ ରଙ୍ଗରେ ଟୋପିଗୁଡ଼ିକ ବିକ୍ରି ହେଉଛି।

ବ୍ରାଣ୍ଡ୍‌
ଟୋପି ବ୍ୟବସାୟରେ ଥିବା ପ୍ରମୁଖ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟରେ ୟୁଏସ୍‌‌ ପୋଲୋ, ଆଡିଡାସ୍‌, ରିବକ୍‌, ପୁମା ଓ ୱାଇଲ୍‌ଡକ୍ରାଫ୍ଟ ଆଦି ରହିଛି। ଏଥିସହିତ ଅନେକ ସ୍ଥାନୀୟ କମ୍ପାନି ମଧ୍ୟ ସେମାନଙ୍କ ନିଜସ୍ବ ବ୍ରାଣ୍ଡ୍‌ର ଟୋପି ବଜାରରେ ବିକ୍ରି କରୁଛନ୍ତି।

ରିଫ୍ଲେକ୍ଟିଭ ଟୋପି
ରାଜଧାନୀର ପ୍ରମୁଖ ସୋ’ରୁମ୍‌ ପଣ୍ଡା ଲାଇଫ୍‌ଷ୍ଟାଇଲ୍‌ରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ଟୋପି ସମେତ ଏକ ପ୍ରକାର ରିଫ୍ଲେକ୍ଟିଭ କ୍ୟାପ୍ ବା ଟୋପି ମିଳୁଛି। ଏହି ଟୋପିକୁ ରାତିରେ ପିନ୍ଧିଲେ ଏହା ଉପରେ ପଡ଼ୁଥିବା ଆଲୋକ ପ୍ରତିଫଳିତ ହୋଇଥାଏ। ଉକ୍ତ ଟୋପିର ଚାହିଦା ଭଲ ରହିଛି ବୋଲି ସୋ’ରୁମ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର