ମାର୍ଚ୍ଚରୁ ଟିଭି ଦେଖିବା ଶସ୍ତା ହେବ: ୧୩୦ ଟଙ୍କା+ଜିଏସ୍‌ଟିରେ ମିଳିବ ୨୦୦ ଚ୍ୟାନେଲ୍

ଏକାଧିକ ଟିଭି ଥିବା ଗ୍ରାହକ ପାଇବେ ରିହାତି, ଆ-ଲା-କାର୍ଟ ଚ୍ୟାନେଲ୍ ଦାମ୍ କମିପାରେ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚରୁ ଟିଭି ଦେଖିବା ଶସ୍ତା ହେବ। ଟିଭି ଚ୍ୟାନେଲ୍‌ଗୁଡ଼ିକର ମୂଲ୍ୟ ହ୍ରାସ ପାଇବ। ଗ୍ରାହକମାନେ କମ୍ ଟଙ୍କା ଦେଇ ଅଧିକ ଚ୍ୟାନେଲ୍‌ ଦେଖିବାର ସୁଯୋଗ ପାଇବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଟିଭି ଶୁଳ୍କ ନିୟମରେ ସଂଶୋଧନ କରାଯାଇଛି। ଏହା ଅନୁସାରେ, ଯେକୌଣସି ପ୍ୟାକ୍ ବା ବୁକେରେ ରହୁଥିବା କୌଣସି ଚ୍ୟାନେଲ୍‌ର ଦାମ୍‌ ଏକ ନିର୍ଦିଷ୍ଟ ପରିମାଣ ଠାରୁ ଅଧିକ ହୋଇପାରିବ ନାହିଁ। ବର୍ତ୍ତମାନ କୌଣସି ଚ୍ୟାନେଲ୍‌ର ସର୍ବାଧିକ ଦାମ୍ ୧୯ ଟଙ୍କା ରହିଛି। ସେହି ମୂଲ୍ୟ ୧୨ ଟଙ୍କା ପାଖାପାଖି ଖସିଯିବ ବୋଲି ଅନୁମାନ କରାଯାଉଛି। ଚ୍ୟାନେଲ୍‌ଗୁଡ଼ିକୁ ନେଇ କେବୁଲ୍ ଅପରେଟର କିମ୍ବା ଡିଟିଏଚ୍‌ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପ୍ରସ୍ତୁତ କରୁଥିବା ପ୍ୟାକ୍ କିମ୍ବା ବୁକେ ଲାଗି ଟ୍ରାଇ ଦୁଇଟି ସର୍ତ୍ତ ରଖିଛି। ପ୍ରଥମ ସର୍ତ୍ତ ହେଉଛି ଏକ ପ୍ୟାକ୍ ଭିତରେ ଥିବା ଆ-ଲା-କାର୍ଟ ଚ୍ୟାନେଲ୍‌ଗୁଡ଼ିକର ଏମ୍‌ଆର୍‌ପିକୁ ଯଦି ଯୋଗ କରାଯିବ ତାହା ସମ୍ପୂର୍ଣ୍ଣ ପ୍ୟାକ୍‌ ମୂଲ୍ୟର ଦେଢ଼ ଗୁଣାରୁ ଅଧିକ ହୋଇପାରିବ ନାହିଁ। ଏହାର ଅର୍ଥ ହେଉଛି ଏହା ଯେ, କଂପାନିଗୁଡ଼ିକ ପ୍ୟାକ୍‌ ପ୍ରସ୍ତୁତ କରିବା ବେଳେ ଆ-ଲା-କାର୍ଟ ଚ୍ୟାନେଲ୍‌ଗୁଡ଼ିକର ଦାମ୍ କମାଇବେ। ଅନ୍ୟଥା ଏହି ସର୍ତ୍ତ ପୂରଣ ହୋଇପାରିବ ନାହିଁ। ଉଦାହରଣ ସ୍ବରୂପ, ଯଦି କୌଣସି ଏକ ସଂସ୍ଥା ୧୦ଟି ଚ୍ୟାନେଲ୍‌କୁ ନେଇ ଏକ ପ୍ୟାକ୍ ପ୍ରସ୍ତୁତ କରି ମାସିକ ୧୦୦ ଟଙ୍କାରେ ତାହାକୁ ପ୍ରଦାନ କରୁଥାଏ ତେବେ ସେହି ପ୍ୟାକ୍ ଭିତରେ ଥିବା ସବୁ ଚ୍ୟାନେଲ୍‌ର ଦାମ୍‌କୁ ମିଶାଇ ଦେଲେ ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ତେଣୁ, ନୂଆ ହିସାବ ଅନୁସାରେ କଂପାନିଗୁଡ଼ିକ ଚ୍ୟାନେଲ୍ ଓ ପ୍ୟାକ୍ ଉଭୟର ଦାମ୍ କମ୍ କରିବାକୁ ପଡ଼ିବ।

ଦ୍ବିତୀୟ ସର୍ତ୍ତଟି ହେଉଛି ଏକ ପ୍ୟାକ୍‌ ଭିତରେ ଥିବା କୌଣସି ଚ୍ୟାନେଲ୍‌ର ମୂଲ୍ୟ ଉକ୍ତ ପ୍ୟାକ୍‌ର ହାରାହାରି ଚ୍ୟାନେଲ୍‌ ଦାମ୍‌ର ତିନି ଗୁଣାରୁ ଅଧିକ ହୋଇପାରିବ ନାହିଁ। ଉଦାହରଣ ସ୍ବରୂପ, ଯଦି ଗୋଟିଏ ପ୍ୟାକ୍‌ରେ ଥିବା ଚ୍ୟାନେଲ୍‌ଗୁଡ଼ିକର ହାରାହାରି ମୂଲ୍ୟ ୩ ଟଙ୍କା ତେବେ ସେଥିରେ ଥିବା କୌଣସି ଗୋଟିଏ ଚ୍ୟାନେଲ୍‌ର ଦାମ୍ ୯ ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ଟ୍ରାଇ ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ଯଦି କୌଣସି ପ୍ରସାରଣକାରୀ ପାଖରେ ମୋଟ୍ ୧୨ଟି ଚ୍ୟାନେଲ୍ ରହିଛି ତେବେ ତାହା ପ୍ୟାକ୍ ପ୍ରସ୍ତୁତ କରିବା ବେଳେ ସେହି ୧୨ରୁ ଅଧିକ ଚ୍ୟାନେଲ୍‌କୁ ବ୍ୟବହାର କରିପାରିବ ନାହିଁ। ନେଟ୍‌ୱର୍କ କାପାସିଟି ଫି’ (ଏନ୍‌ସିଏଫ୍‌)ରେ ମଧ୍ୟ ଦୁଇଟି ସ୍ଲାବ୍ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ନିୟମ ଅନୁସାରେ ୧୩୦ ଟଙ୍କା ଉପରେ ଜିଏସ୍‌ଟି ଲାଗୁ କରି ୧୦୦ଟି ଚ୍ୟାନେଲ୍‌କୁ ଏନ୍‌ସିଏଫ୍‌ ଅଧୀନରେ ପ୍ରଦାନ କରାଯାଉଛି। ଟ୍ରାଇର ନୂଆ ନିୟମ ଅନୁସାରେ ସେହି ୧୩୦ ଟଙ୍କାରେ ଜିଏସ୍‌ଟିକୁ ସାମିଲ କରିବା ପରେ ଯେଉଁ ମୂଲ୍ୟ ହେବ ସେଥିରେ ୨୦୦ ଚ୍ୟାନେଲ୍‌ ଉପଲବ୍ଧ ହେବ। ଯଦି କୌଣସି ସଂସ୍ଥା ଏନ୍‌ସିଏଫ୍‌ ଅଧୀନରେ ୨୦୦ରୁ‌ ଯେତେ ଅଧିକ ଚ୍ୟାନେଲ୍‌ ଦିଅନ୍ତୁ ନା କାହିଁକି ଗ୍ରାହକଙ୍କ ଠାରୁ ସର୍ବାଧିକ ୧୬୦ ଟଙ୍କା ସହ ଜିଏସ୍‌ଟି ଆଦାୟ କରିପାରିବେ। ଏହା ଠାରୁ ଟଙ୍କାଟିଏ ବି ଅଧିକ ନେଇପାରିବେ ନାହିଁ। ବର୍ତ୍ତମାନ, ନିୟମ ଅନୁସାରେ ଗ୍ରାହକମାନେ ଏନ୍‌ସିଏଫ୍‌ରେ ୧୦୦ଟି ଚ୍ୟାନେଲ୍‌ ପାଇଁ ୧୩୦ ଟଙ୍କା ସହିତ ଜିଏସ୍‌ଟି ଗଣୁଛନ୍ତି। ଏହା ପରେ ପ୍ରତି ୨୫ଟି ନୂଆ ଚ୍ୟାନେଲ୍‌ ଯୋଗ କରିବା ଲାଗି ଆଉ ୨୦ ଟଙ୍କାର ଅତିରିକ୍ତ ଶୁଳ୍କ ଗଣୁଛନ୍ତି। ଚ୍ୟାନେଲ୍‌ଗୁଡ଼ିକର ଏମ୍‌ଆର୍‌ପି (ମୂଲ୍ୟ) ବାଦ ଏହି ଶୁଳ୍କ ଗଣିବାକୁ ପଡ଼ୁଛି। ମାର୍ଚ୍ଚରୁ ଏହି ଧାରା ବଦଳିଯିବ।

ଟ୍ରାଇ ଆଉ ଏକ ବିଷୟ ସ୍ପଷ୍ଟ କରିଦେଇଛି। ତାହା ହେଉଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯେଉଁ ଚ୍ୟାନେଲ୍‌ଗୁଡ଼ିକୁ ବାଧ୍ୟତାମୂଳକ ଘୋଷଣା କରିଛି ତାହାକୁ କୌଣସି ସଂସ୍ଥା ଏନ୍‌ସିଏଫ୍‌ରେ ଦିଆଯିବାକୁ ଥିବା ୨୦୦ ଚ୍ୟାନେଲ୍‌ ଭିତରେ ଯୋଡ଼ିପାରିବେ ନାହିଁ। ସେଗୁଡ଼ିକୁ ଏନ୍‌ସିଏଫ୍ ଚ୍ୟାନେଲ୍‌ ଭିତରେ ଗଣାଯିବ ନାହିଁ। ଛଅ ମାସ କିମ୍ବା ତା’ଠାରୁ ଲମ୍ବା ଅବଧିର ପ୍ୟାକ୍ ପ୍ରସ୍ତୁତ କରିବାକୁ କଂପାନିଗୁଡ଼ିକୁ ଟ୍ରାଇ କହିଛି। ସେହି ପ୍ୟାକ୍‌ ଉପରେ ଗ୍ରାହକଙ୍କ ପାଇଁ ରିହାତି ଘୋଷଣା କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଯେଉଁ ଘରଗୁଡ଼ିକର ଏକରୁ ଅଧିକ ଟିଭି ରହିଛି, ସେଭଳି ଗ୍ରାହକଙ୍କ କ୍ଷେତ୍ରରେ ପ୍ରଥମ ଟିଭି ବାଦ ଅନ୍ୟ ଟିଭିଗୁଡ଼ିକ ପାଇଁ ଏନ୍‌ସିଏଫ୍‌ ଦାମ୍ ପ୍ରଥମ ଟିଭି ଦାମ୍‌ର ୪୦%ରୁ ଅଧିକ ହୋଇପାରିବ ନାହିଁ ବୋଲି ଟ୍ରାଇ ସ୍ପଷ୍ଟ କରିଦେଇଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଫେବ୍ରୁଆରିରେ ଟ୍ରାଇ ପକ୍ଷରୁ ନୂଆ ଟିଭି ଶୁଳ୍କ ଲାଗୁ କରାଯାଇଥିଲା। ସେତେବେଳେ ଟ୍ରାଇ କହିଥିଲା ଯେ ଗ୍ରାହକମାନେ ଯେଉଁ ଚ୍ୟାନେଲ୍ ଦେଖିବେ କେବଳ ସେଥିପାଇଁ ଟଙ୍କା ଗଣିବେ। ଏହି ନିୟମ ଲାଗୁ ହେବା ପରେ ଟିଭି ଦେଖିବା ଶସ୍ତା ହେବା ବଦଳରେ ବହୁତ ମହଙ୍ଗା ହୋଇଯାଇଥିଲା। ଏହାକୁ ନେଇ ଉପଭେକ୍ତାମାନେ ଅସନ୍ତୋଷ ଜାହିର କରିଥିଲେ। ସେମାନଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗଗୁଡ଼ିକୁ ବିଚାରକୁ ନେଇ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିବା ପରେ ଟ୍ରାଇ ପକ୍ଷରୁ ଶୁଳ୍କ ନିୟମରେ ସଂଶୋଧନ କରାଯାଇଛି। ଆସନ୍ତା ଫେବ୍ରୁଆରି ୧୫ ସୁଦ୍ଧା ପ୍ୟାକ୍‌ ଓ ଚ୍ୟାନେଲ୍‌ ମୂଲ୍ୟର ସୂଚନା ଦେବାକୁ କଂପାନିଗୁଡ଼ିକୁ ଟ୍ରାଇ ନିର୍ଦେଶ ଦେଇଛି। ଏହା ବ୍ୟତୀତ କୌଣସି ନିର୍ଦିଷ୍ଟ ଭାଷାର ‘ଇଲେକ୍ଟ୍ରୋନିକ୍ସ ପ୍ରୋଗ୍ରାମ୍ ଗାଇଡ୍‌’ରେ ବିନା ଅନୁମତିରେ କୌଣସି ପ୍ରକାର ପରିବର୍ତ୍ତନ ନକରିବାକୁ ଟ୍ରାଇ କଂପାନିଗୁଡ଼ିକୁ କହିଛି।

ସମ୍ବନ୍ଧିତ ଖବର