ସେପ୍ଟେମ୍ବର ସୁଦ୍ଧା ନୂଆ ମଜୁରି କୋଡ୍‌! ୮ଘଣ୍ଟା ଡ୍ୟୁଟି, ଠିକ୍ ସମୟରେ ପାଉଣା

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଶ୍ରମ ସଂସ୍କାର ପାଇଁ ନେଇଥିବା ପଦକ୍ଷେପକୁ ଆସନ୍ତା ସେପ୍ଟେମ୍ବରରୁ କାର୍ଯ୍ୟକାରୀ କରିପାରନ୍ତି। ଶ୍ରମ ମନ୍ତ୍ରାଳୟ ପକ୍ଷରୁ ସରକାରୀ ଗେଜେଟ୍‌ରେ ଏ ସଂକ୍ରାନ୍ତ ଚିଠା ନିୟମ ଗତ ୭ ତାରିଖରେ ପ୍ରକାଶ କରାଯାଇ ସାର୍ବଜନୀନ କରାଯାଇଛି। ଏହା ଉପରେ ଲୋକମାନଙ୍କୁ ସେମାନଙ୍କ ମତାମତ ଦେବାଲାଗି ୪୫ ଦିନର ସମୟ ପ୍ରଦାନ କରାଯାଇଛି। ମତାମତ ମିଳିବା ପରେ ସବୁକିଛି ଠିକ୍ ରହିଲେ ଏହାକୁ ସରକାର କାର୍ଯ୍ୟକାରୀ କରିବା ଆଶା ରହିଛି। ନୂଆ ମଜୁରି କୋଡ୍‌ ଅନୁସାରେ ଦୈନିକ କାର୍ଯ୍ୟ ସମୟ ଆଠ ଘଣ୍ଟା ରହିବ। କର୍ମଚାରୀମାନଙ୍କୁ ଠିକ୍ ସମୟରେ ସେମାନଙ୍କ ପାଉଣା ମିଳିବ। ଏହା ସହିତ ଉଭୟ ଶିଳ୍ପ ସଂସ୍ଥା ଓ କର୍ମଚାରୀ ଉପକୃତ ହେବା ଭଳି ଅନେକ ବ୍ୟବସ୍ଥା ନୂଆ କୋଡ୍‌ରେ ରହିଛି।

ବେତନ ସଂହିତ ବିଧେୟକ-୨୦୧୯କୁ ଗତବର୍ଷ ଜୁଲାଇ ୩୦ ତାରିଖରେ ଲୋକସଭାର ମଞ୍ଜୁରି ମିଳିଥିବାବେଳେ ଅଗଷ୍ଟ ୨ ତାରିଖରେ ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏଥିରେ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ବେତନ ନିୟମ ଲାଗୁ କରାଯିବା ସହିତ ବିଳମ୍ବରେ ବେତନ ମିଳିବା ସଂକ୍ରାନ୍ତ ସମସ୍ୟାର ସମାଧାନ ବ୍ୟବସ୍ଥା ରହିଛି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଦେଶରେ ୫୦ କୋଟି ଶ୍ରମିକ ଉପକୃତ ହେବେ ବୋଲି ସଂସଦରେ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବକ୍ତବ୍ୟ ରଖିଥିଲେ।

ଶ୍ରମ ଆଇନରେ ମଜୁରିର ୧୨ଟି ଭିନ୍ନ ଭିନ୍ନ ସଂଜ୍ଞା ରହିଛି। ‌କିନ୍ତୁ ନୂଆ କୋଡ୍‌ରେ ଏହି ସଂଜ୍ଞାକୁ ସରଳ କରାଯାଇଛି। ତେଣୁ ଏହାକୁ ନେଇ ହେଉଥିବା ଆଇନଗତ ମାମଲା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏଥିସହିତ ଦୈନିକ, ସାପ୍ତାହିକ ଏବଂ ମାସିକ ଆଦି ଭିତ୍ତିରେ ମିଳୁଥିବା ମଜୁରି ପ୍ରଦାନରେ ବିଳମ୍ବଜନିତ ସମସ୍ୟାର ମଧ୍ୟ ସମାଧାନ ଏଥିରେ ହୋଇପାରିବ। ମହିଳା, ପୁରୁଷ ଏବଂ ତୃତୀୟ ଲିଙ୍ଗ କ୍ଷେତ୍ରର ଶ୍ରମିକଙ୍କ ମଜୁରିରେ ରହୁଥିବା ତାରତମ୍ୟର ସମାଧାନ ମଧ୍ୟ ଏହି କୋଡ୍‌ଦ୍ବାରା କରାଯାଇ ପାରିବ। ଏଥିସହିତ ନୂଆ ନିୟମରେ ଶ୍ରମିକଙ୍କ ପାଇଁ ଦୈନିକ ୮ ଘଣ୍ଟା କାର୍ଯ୍ୟ କରିବାର ବ୍ୟବସ୍ଥା ରହିବ। କାରଖାନା ଆଇନ ଅଧୀନରେ ଥିବା ବ୍ୟବସ୍ଥା ଅନୁଯାୟୀ କାମ କରିବା ସମୟରେ କୌଣସି ପରିବର୍ତ୍ତନ ହେବନାହିଁ। ଉତ୍ପାଦନଜନିତ କ୍ଷତିକୁ ଭରଣା କରିବା ପାଇଁ ଲକ୍‌ଡାଉନ୍ ସମୟରେ କେତେକ ରାଜ୍ୟ ଦୈନିକ କାର୍ଯ୍ୟ ସମୟ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ଦୈନିକ କାମ କରିବା ସମୟ ବଢ଼ିପାରେ ବୋଲି ଶ୍ରମିକଙ୍କ ମନରେ ଆଶଙ୍କା ରହିଥିଲା।

‌ଜୀବନ ଧାରଣର ସର୍ବନିମ୍ନ ମାନକୁ ନେଇ ନୂଆ କୋଡ୍‌ରେ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ହେବ। ସର୍ବନିମ୍ନ ଜୀବନ ଧାରଣ ମାନରେ ଶ୍ରମିକଙ୍କ ଖାଦ୍ୟ, ପୋଷାକ, ଗୃହ ଏବଂ ଅନ୍ୟାନ୍ୟ ବିଷୟ ବିଚାରକୁ ନିଆଯିବ। କେନ୍ଦ୍ରୀୟ ଉପଦେଷ୍ଟ ବୋର୍ଡ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବ ବୋଲି ବ୍ୟବସ୍ଥା ରହିଛି। ମଜୁରି କୋଡ୍ ଶ୍ରମ ସଂସ୍କାରର ଏକ ଅଂଶବିଶେଷ। କେନ୍ଦ୍ର ସରକାର ୪୪ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ୪ଟି କୋଡ୍‌ ଅଧୀନରେ ରଖିବାକୁ ଯୋଜନା ରଖିଛନ୍ତି। ସେହି ୪ଟି କୋଡ୍‌ ହେଲା ମଜୁରି କୋଡ୍‌, ଶିଳ୍ପ ସମ୍ପର୍କ, ସାମାଜିକ ସୁରକ୍ଷା ଏବଂ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଓ ସୁରକ୍ଷା କୋଡ୍‌। ମଜୁରି କୋଡ୍‌ରେ ୪ଟି ଶ୍ରମ ନିୟମକୁ ମିଶାଇ ଦିଆଯିବ। ସେଗୁଡ଼ିକ ହେଲା ସର୍ବନିମ୍ନ ମଜୁରି ଆଇନ, ବେତନ ପ୍ରଦାନ ଆଇନ, ବୋନସ ପ୍ରଦାନ ଆଇନ ଏବଂ ସମାନ ପାରିଶ୍ରମିକ ଆଇନ। ନୂଆ କୋଡ୍ କାର୍ଯ୍ୟକାରୀ ହେଲେ ଏସବୁ ଆଇନ ‌ଅକାମୀ ହୋଇଯିବ। ଉକ୍ତ କୋଡ୍ କାର୍ଯ୍ୟକାରୀ ହେଲେ ସର୍ବନିମ୍ନ ମଜୁରି ଏବଂ ଠିକ୍ ସମୟରେ ବେତନ ପ୍ରଦାନ ବ୍ୟବସ୍ଥାକୁ ସବୁବର୍ଗର ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ କରାଯିବ। କର୍ମଚାରୀମାନେ କେଉଁ ବର୍ଗରେ କାମ କରୁଛନ୍ତି ଏବଂ ସେମାନେ କେତେ ବେତନ ପାଉଛନ୍ତି ତାହାର କିଛି ଫରକ୍ ନୂଆ କୋଡ୍‌ରେ ମଜୁରି ନିର୍ଦ୍ଦାରଣ ସମୟରେ ରହିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗଙ୍ଗୱାର କହିଥିଲେ। ବର୍ତ୍ତମାନ ସର୍ବନିମ୍ନ ମଜୁରି ଆଇନ ଏବଂ ମଜୁରି ପ୍ରଦାନ ଆଇନ ଏକ ନିର୍ଦ୍ଦିଷ୍ଟ ବେତନ ସୀମାଠାରୁ କମ୍‌ ବେତନ ପାଉଥିବା କର୍ମଚାରୀଙ୍କ ପାଇଁ ଲାଗୁ ହେଉଛି।

ସମ୍ବନ୍ଧିତ ଖବର