ରାଜ୍ୟ ସରକାରଙ୍କ ନୀତି ଅନେକ ବ୍ରାଣ୍ଡ୍‌ ସୃଷ୍ଟି କରିବ : ଶୁଭ୍ରକାନ୍ତ ପଣ୍ଡା

‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ଇଣ୍ଡିଆନ୍ ମେଟାଲସ୍‌ ଆଣ୍ଡ୍‌ ଫେରୋ ଆଲଏଜ୍‌ ଲିମିଟେଡ୍‌ (ଇମ୍ଫା)ର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏକ ସାକ୍ଷାତକାରରେ କରୋନା ମହାମାରୀର ପ୍ରଭାବ, ଫେରୋ କ୍ରୋମ୍ ଶିଳ୍ପ, ନିଜର ଅନୁଭବ ଏବଂ ଆଗାମୀ ଦିନର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଛନ୍ତି। ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି…
ମହାମାରୀ ଉଭୟ ବ୍ୟକ୍ତିବିଶେଷ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଭାବିତ କରିଛି। ଇମ୍ଫା ଭଳି ସଂସ୍ଥା ପାଇଁ ସ୍ଥିତି କିଭଳି ବଦଳିଛି?
ଚାପ ସମୟ ଦେଇ ଗତି କରିବା ପରେ ସମ୍ପୂର୍ଣ୍ଣ ଅନିଶ୍ଚିତତା ରହିଥିଲା ଏବଂ ଟିକା ନଆସିବା ପର୍ଯ୍ୟନ୍ତ ଭୂତାଣୁ ସହିତ ଆମକୁ ବଞ୍ଚିବା ଶିଖିବାକୁ ହେବ ବୋଲି ଆମେ ଜାଣିବା ପରେ ସ୍ଥିତି କିଛିଟା ସୁଧୁରିଛି। ନିରନ୍ତର ପ୍ରକ୍ରିୟା ଦ୍ବାରା ପରିଚାଳିତ ଶିଳ୍ପ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ଛାଡ଼ ଯୋଗୁଁ ଆମର ମାନୁଫାକ୍‌ଚରିଂ ଏବଂ ତତ୍‌ ସଂକ୍ରାନ୍ତୀୟ କାର୍ଯ୍ୟ ଚାଲୁ ରହିଥିଲା। ଏଥିପାଇଁ ଆମେ ଉପଯୁକ୍ତ ସୁରକ୍ଷା ପଦକ୍ଷେପ ଓ ସହାୟକ ବ୍ୟବସ୍ଥା ଗ୍ରହଣ କରିଥିଲୁ ଏବଂ ଭର୍ଚୁଆଲ୍ ମାଧ୍ୟମରେ ପରିଚାଳନାର ସମୀକ୍ଷା କରାଯାଉଥିଲା। କାର୍ଯ୍ୟ ଶୈଳୀ ସୁରୁଖୁରୁରେ ‘ୱାର୍କ ଫ୍ରମ୍ ହୋମ୍‌’କୁ ରୂପାନ୍ତରିତ ହୋଇଥିଲା ଓ କାର୍ଯ୍ୟଦକ୍ଷତାରେ ଉନ୍ନତି ଦେଖିବାକୁ ମିଳିଥିଲା।
ଶିଳ୍ପର ବିଭିନ୍ନ କ୍ଷେତ୍ରରେ ସୁଧାରର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଛି। ଫେରୋ କ୍ରୋମ୍ ଶିଳ୍ପରେ ମଧ୍ୟ କ’ଣ ସେଭଳି ସୁଧାର ଘଟିଛି?
ଜୀବନଜୀବିକାକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ବାରୋପ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁଚିନ୍ତିତ ନୀତି ଯୋଗୁଁ ମାନୁଫାକ୍‌ଚରିଂ କ୍ଷେତ୍ରରେ ହୋଇଥିବା ସୁଧାର ସ୍ପଷ୍ଟ ବାରି ହେଉଛି। ଭୂତାଣୁକୁ ନିୟନ୍ତ୍ରଣ କରିବା ପଦକ୍ଷେପ ନିର୍ଦିଷ୍ଟ ଲକ୍ଷ୍ୟ ଭିତ୍ତିକ ରହିଛି ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହୋଇଛି। ସାରା ବିଶ୍ବର ଅର୍ଥନୀତି ଉନ୍ମୁକ୍ତ ହେବା ଯୋଗୁଁ ଅନ୍ୟା‌ନ୍ୟ ସାମଗ୍ରୀଗୁଡ଼ିକ ଭଳି ଫେରୋ କ୍ରୋମ୍ ଚାହିଦାରେ ମଧ୍ୟ ବୃଦ୍ଧି ଘଟିଛି।
ଏକ ସଂସ୍ଥାର ମୁଖ୍ୟ ଭାବେ ମହାମାରୀର ସକାରାତ୍ମକ ଦିଗଗୁଡ଼ିକ କ’ଣ ବୋଲି ଆପଣ ଅନୁଭବ କରୁଛନ୍ତି?
ଏହି ମହାମାରୀ ମାନବ ଜାତିକୁ ଜାଗ୍ରତ କରିବାର ଏକ ଆହ୍ବାନ ଭଳି। କାହିଁକି ଏଭଳି ହେଲା ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ କିଭଳି ରୋକାଯାଇପାରିବ ତାହା ଆମକୁ ଅନୁଶୀଳନ କରିବାକୁ ପଡ଼ିବ। ପରିବାର ସହିତ ଅଧିକ ସମୟ ବିତାଇବା ଓ ସ୍ବଚ୍ଛ ପରିବେଶ ଭଳି ଅନେକ ସକାରାତ୍ମକ ପ୍ରଭାବ ଆମ ଉପ‌‌ରେ ପଡ଼ିଛି। ତେଣୁ, ଆମକୁ ପୁରୁଣା ଦିନକୁ ପୁଣି ଫେରି ନଯାଇ ଏହି ଲାଭଗୁଡ଼ିକୁ ଧରି ରଖିବା ଉପରେ ଗୁରୁତ୍ବ ଦେବାକୁ ହେବ।
କେବେ ସବୁ କିଛି ସ୍ବାଭାବିକ ହେବ?
ଟିକାର ପରୀକ୍ଷଣ ଉତ୍ସାହଜନ ଫଳ ପ୍ରଦାନ କରିଥିବାରୁ ମୁଁ ଆଶା କରୁଛି ଯେ ଭୁତାଣୁ ସଂକ୍ରମଣର ଶୃଙ୍ଖଳା ବାସ୍ତବରେ ୨୦୨୧ ମଧ୍ୟ ଭାଗ ସୁଦ୍ଧା ଭାଙ୍ଗିଯିବ। ମାତ୍ର ଅନେକାଂଶରେ, କିଛିଟା ପରିବର୍ତନ ସହ ପ୍ରତ୍ୟକ୍ଷ ତୁଳନାରେ ଭର୍ଚୁଆଲ୍ ବାର୍ତାଳାପ ଅଧିକ ରହିବ।
ଆପଣଙ୍କ କଂପାନି ଭବିଷ୍ୟତର ସବୁ ନିବେଶ ସ୍ଥଗିତ ରଖିବ କି?
ଆମର ସମ୍ପ୍ରସାରଣ ଯୋଜନାକୁ ରାଜ୍ୟ ସରକାର ୨୦୧୯ ନଭେମ୍ବରରେ ମଞ୍ଜୁରି ପ୍ରଦାନ କରିଥିଲେ ଏବଂ ଆମେ ପ୍ରଳକ୍ପ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରଖିଥିଲୁ। ମାତ୍ର ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବିଭ୍ରାଟ ପାଇଁ ଏହାର ସମୟ ସୀମା ବଢ଼ିଯିବ। ସ୍ଥାନୀୟ ଭାବେ ମୂଲ୍ୟ ଯୋଗ କରିବାକୁ ଆମେ ଦୃଢ଼ ଭାବେ ସମର୍ଥନ କରୁଛୁ ଏବଂ ଏକ୍ଷେତ୍ରରେ ସରକାରଙ୍କ ଥିବା ନୀତିକୁ ସହାୟତା ଜାରି ରଖିବୁ।
ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ମୁଁ ଭାବୁଛି ଏହା ଏକ ଚମତ୍କାର ଅଭିଯାନ। ଗତ ଦୁଇଟି ସଂସ୍କରଣରେ ଆମେ ଏହାକୁ ଅର୍ଜନ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛୁ। ଜଣଙ୍କ ସଫଳତାକୁ ଯେତେବେଳେ ସ୍ବୀକୃତି ପ୍ରଦାନ କରାଯାଏ ଆନନ୍ଦ ଅନୁଭବ ହୁଏ ଏବଂ ଏହା ଯେତେବେଳେ ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଠାରୁ ମିଳିଥାଏ ‌ଯାହା ଲୋକମାନଙ୍କ ମଧ୍ୟରେ ଅଧିକ ପ୍ରଚାରିତ ହୋଇପାରିଥାଏ। ପୁଞ୍ଜିନିବେଶ ହାସଲ କରିବା ପ୍ରତି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଆଭିମୁଖ୍ୟ ଅନେକ ବ୍ରାଣ୍ଡ୍‌ ସୃଷ୍ଟି କରିବ ଏବଂ ଏଭଳି ପୁରସ୍କାର ସେମାନଙ୍କୁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇବାରେ ସହାୟକ ହେବ।

ସାକ୍ଷାତକାର: ପ୍ରଭାତ ପଟ୍ଟନାୟକ

ସମ୍ବନ୍ଧିତ ଖବର