ଜରୁରୀ ସହାୟତା ଲୋଡ଼ିଲା ଖବର କାଗଜ ଶିଳ୍ପ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଚିଠି ଲେଖିଲା ଆଇଏନ୍‌ଏସ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଲକ୍‌ଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ଆଜି ବଢ଼ାଇ ଦିଆଯାଇଛି। ତେବେ ଲକ୍‌ଡାଉନ୍ ପାଇଁ ଭାରତର ଖବର କାଗଜ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଭାରତୀୟ ଖବରକାଗଜ ସଂଘ (ଇଣ୍ଡିଆନ୍ ନ୍ୟୁଜ୍‌ପେପର ସୋସାଇଟି) ବା ଆଇଏନ୍‌ଏସ୍‌ ସରକାରଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ିବା ସହିତ ସହାୟତା ଦାବି କରିଛି। କରୋନା ପ୍ରଭାବରେ ଅର୍ଥନୀତିର ସ୍ଥିତି ଖରାପ ହେବାରେ ଲାଗିଥିବାରୁ ବିଜ୍ଞାପନ ମିଳୁନାହିଁ। ଏଭଳି ପରିସ୍ଥିତିରେ ଖବରକାଗଜ ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ସରକାରଙ୍କ ସହାୟତା ଆବଶ୍ୟକ ବୋଲି ଆଇଏନ୍‌ଏସ୍‌ କହିଛି। ଦୁଇବର୍ଷ ପାଇଁ ଟିକସ ଛାଡ଼ ଦାବିକୁ ଆଇଏନ୍‌ଏସ୍‌ ‌ଦୋହରାଇଛି। ଏଥିସହିତ ନ୍ୟୁଜ୍‌ପ୍ରିଣ୍ଟ୍‌ ଉପରୁ ଆମଦାନି ଶୁଳ୍କ ହଟାଇବା ପାଇଁ ମଧ୍ୟ ଦାବି କରିଛି। ଖବରକାଗଜ ଶିଳ୍ପ କରୋନା ଭାଇରସ ସଂକ୍ରମଣ, ବିଜ୍ଞାପନ ରାଜସ୍ବ ହ୍ରାସ ଏବଂ ଆମଦାନି ଶୁଳ୍କ ଆଦାୟ ଭଳି ୩ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛି। ଖବରକାଗଜ ଶିଳ୍ପ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ଖୁବ୍ କମ ସମୟ ମଧ୍ୟରେ ଏହି ଶିଳ୍ପ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ରାଜୀବ ମିତ୍ତଲଙ୍କୁ ଏହି ମର୍ମରେ ଆଇଏନ୍‌ଏସ୍‌ ଚିଠି ଲେଖିଛି। ଅଭୂତପୂର୍ବ ସଙ୍କଟ ଦେଇ ଗତି କରୁଥିବା ଖବରକାଗଜ ଶିଳ୍ପ ସେମାନଙ୍କ ପୃଷ୍ଠା ସଂଖ୍ୟା ବହୁମାତ୍ରାରେ କମାଇଛନ୍ତି। ସାପ୍ତାହିକ ପରିଶିଷ୍ଟ ଗୁଡ଼ିକୁ ମୁଖ୍ୟ ସଂସ୍କରଣ ସହିତ ମିଶାଇ ଦେଇଛନ୍ତି। ଏସବୁ ସତ୍ତ୍ବେ ଖବରକାଗଜ ଗୁଡ଼ିକ ପ୍ରତିଦିନ କ୍ଷତି କରି ଚାଲିଛନ୍ତି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଆଇଏନ୍‌ଏସ୍‌ ଉଲ୍ଲେଖ କରିଛି। ଖାଦ୍ୟ, ଦୁଗ୍ଧ, ଗ୍ରୋସରି ଭଳି ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଗ୍ରାହକ ସେସବୁର ପୂରା ମୂଲ୍ୟ ପ୍ରଦାନ କରିଥାନ୍ତି। କିନ୍ତୁ ଖବରକାଗଜ ଶିଳ୍ପରେ ଗ୍ରାହକମାନେ କେବଳ ମୂଲ୍ୟର ଅଳ୍ପ କିଛି ରାଶି ପ୍ରଦାନ କରିଥାନ୍ତି। ଉତ୍ପାଦନ ଏବଂ ବିକ୍ରି ମୂଲ୍ୟ ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଥାଏ ତାହା ବିଜ୍ଞାପନ ଜରିଆରେ ଭରଣା ହୋଇଥାଏ। କିନ୍ତୁ ବିଜ୍ଞାପନ ସାଂଘାତିକ ମାତ୍ରାରେ କମିଯାଇଛି। ଅଧିକାଂଶ କ୍ଷୁଦ୍ର ଏବଂ ମଧ୍ୟମ ସମ୍ବାଦପତ୍ର ସେମାନଙ୍କ ପ୍ରକାଶନ ବନ୍ଦ କରିଦେଇଛନ୍ତି। ଅନ୍ୟ ସମ୍ବାଦପତ୍ର ଗୁଡ଼ିକ ଗୁରୁତର ସମସ୍ୟା ଦେଇ ଗତି କରୁଛନ୍ତି। ଯଦି ସେମାନେ ବନ୍ଦ ହୋଇଯାଆନ୍ତି ତା’ହେଲେ ଏହାର ପ୍ରଭାବ ନ୍ୟୁଜ୍‌ପ୍ରିଣ୍ଟ ଶିଳ୍ପ ଉପରେ ମଧ୍ୟ ପଡ଼ିବ। ଏହାହେଲେ ବହୁ ସଂଖ୍ୟକ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଆନୁଷଙ୍ଗିକ ଶିଳ୍ପ, ଛାପା ଖାନା, ବିତରଣ ବ୍ୟବସ୍ଥା, ଖବରକାଗଜ ଭେଣ୍ଡର ଏବଂ ବିକ୍ରେତା ଆଦି ପ୍ରଭାବିତ ହେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଏସବୁକୁ ଦୃଷ୍ଟିରେ ରଖି ନ୍ୟୁଜ୍‌ପ୍ରିଣ୍ଟ୍‌ ଉପରୁ ୫ ପ୍ରତିଶତ ଆମଦାନି ଶୁଳ୍କ ହ୍ରାସ, ଖବରକାଗଜ ପ୍ରତିଷ୍ଠାନ ଗୁଡ଼ିକୁ ୨ ବର୍ଷର ଟିକସ ଛୁଟି, ଡିଏଭିପି ବିଜ୍ଞାପନ ଦରରେ ୫୦ ପ୍ରତିଶତ ବୃଦ୍ଧି ସହିତ ଛାପା ଗଣମାଧ୍ୟମ ପାଇଁ ବଜେଟ୍‌ ରାଶି ୧୦୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଆଇଏନ୍‌ଏସ୍ ପ୍ରସ୍ତାବ ଦେଇଛି। ଏଥିସହିତ ବିଜ୍ଞାପନ ସଂକ୍ରାନ୍ତ ସମସ୍ତ ବାକିଆ ବିଲ୍ ପରିଶୋଧ କରିବା ସହିତ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏ ନେଇ ନିର୍ଦ୍ଦେଶ ଦେବାକୁ ଚିଠିରେ କୁହାଯାଇଛି।

ସମ୍ବନ୍ଧିତ ଖବର