ଭୁବନେଶ୍ବର: ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏକ ସମ୍ମାନଜନକ ମଞ୍ଚରେ ଏକତ୍ରିତ କରି ସାଂପ୍ରତିକ ବିଷୟରେ ଆଲୋଚନା କରିବା ଲକ୍ଷ୍ୟ ନେଇ ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ସମ୍ବାଦ ସେମିନାର ସିରିଜ୍‌’ର ପରିକଳ୍ପନା କରାଯାଇଛି। ଚଳିତ ମାସ ୨୭ ତାରିଖରେ ସେମିନାର ସିରିଜ୍‌ର ପ୍ରଥମ ସଂସ୍କରଣ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି। ଏହାର ବିଷୟବସ୍ତୁ ରହିଛି ‘ବ୍ୟାଙ୍କିଙ୍ଗ୍‌ ଓ ଫାଇନାନ୍ସ’। ଏଥିରେ ବ୍ୟାଙ୍କ ଶିଳ୍ପର ବିଶିଷ୍ଟ ବ୍ୟକ୍ତି ଓ ଚିନ୍ତାନାୟକମାନେ ଯୋଗ ଦେଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବ୍ୟାଙ୍କଗୁଡ଼ିକ ‌େହଉଛନ୍ତି ଯେକୌଣସି ଅଞ୍ଚଳ ଆର୍ଥିକ ମେରୁଦଣ୍ଡ। ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ଶିଳ୍ପ ଜଗତ ଓ ଉଦ୍ୟୋଗୀମାନଙ୍କ ପାଇଁ ସେମାନେ ବହୁ ପ୍ରକାର ଯୋଜନା କରନ୍ତି। ସେସବୁ ବିଷୟରେ ଆବଶ୍ୟକ ସଚେତନତାର ଅଭାବ ରହିଛି।

Advertisment

ଲୋକମାନଙ୍କୁ ସେହି ଯୋଜନାଗୁଡ଼ିକ ବିଷୟରେ ଅବଗତ କରାଇବା ଜରୁରୀ। ବ୍ୟାଙ୍କିଙ୍ଗ ଶିଳ୍ପର ବିଭିନ୍ନ ଦିଗ, ବିକାଶରେ ସେମାନଙ୍କ ସହଭାଗିତା, ସାଇବର ନିରାପତ୍ତା, ବ୍ୟାଙ୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅଭିନବ ପ୍ରଯୁକ୍ତିର ବ୍ୟବହାର ଆଦି ଦିଗ ଉପରେ ସେମିନାରରେ ଆଲୋଚନା ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଓ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକର ଉଚ୍ଚ ପଦସ୍ଥ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିବେ। ‘ସମ୍ବାଦ ସେମିନାର ସିରିଜ୍‌- ୨୦୨୩ (୧): ବ୍ୟାଙ୍କିଙ୍ଗ୍‌ ଆଣ୍ଡ୍‌ ଫାଇନାନ୍ସ’ରେ ପ୍ୟାନେଲ୍‌ ଆଲୋଚନା ଓ ଭାବ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଗ୍ରାହକମାନଙ୍କୁ ବିଭିନ୍ନ ବ୍ୟାଙ୍କ ସେବା ବିଷୟରେ ସଚେତନ କରି ସେମାନଙ୍କୁ ସଶକ୍ତ କରିବାରେ ଏହି ସେମିନାର ସିରିଜ୍‌ ବିଶେଷ ସହାୟକ ହେବ।