ହ୍ବାଟ୍‌ସଆପ୍‌, ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଖବରକାଗଜ ପିଡିଏଫ୍‌ ପୋଷ୍ଟିଂ ବେଆଇନ

ଗ୍ରୁପ୍‌ ଆଡ୍‌ମିନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇଏନ୍‌ଏସ୍‌ର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇ-ପେପର୍‌ଗୁଡ଼ିକୁ ପିଡିଏଫ୍‌ କରି ହ୍ବାଟ୍‌ସଆପ୍‌ ଓ ଟେଲିଗ୍ରାମ ଗ୍ରୁପ୍‌ରେ ପୋଷ୍ଟିଂ କରିବା ‌ବେଆଇନ କାର୍ଯ୍ୟ ବୋଲି ଭାରତୀୟ ନ୍ୟୁଜପେପର ସୋସାଇଟି (ଆଇଏନ୍‌ଏସ୍‌) ସତର୍କ କରାଇ ଦେଇଛି। ଏହି ମର୍ମରେ ଆଇଏନ୍‌ଏସ୍‌ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ହ୍ବାଟ୍‌ସଆପ୍‌ ଓ ଇନଷ୍ଟାଗ୍ରାମ୍‌ରେ ଏହାକୁ ପଠାଉଥିବା ଗ୍ରୁପ୍‌ର ଆଡମିନିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଜରିମାନା ଲାଗୁ କରିବା ପାଇଁ ଆଇଏନ୍‌ଏସ୍‌ ପକ୍ଷରୁ ଖବରକାଗଜ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଛପା ଯାଇଥିବା ଖବରକାଗଜର ବିତରଣ କ୍ଷେତ୍ରରେ ଖବରକାଗଜଗୁଡ଼ିକ ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏହାର ଚୋରି ଜାରି ରହିଛି।

ବିଶେଷକରି ଡିଜିଟାଲ ଫର୍ମାଟରେ ଏହାର ଚୋରି ଅଧିକ ହେଉଛି। ଅନେକ ବ୍ୟକ୍ତି ଖବରକାଗଜକୁ ପିଡିଏଫ୍‌ କରି ‌ସେଗୁଡ଼ିକୁ ହ୍ବାଟ୍‌ସଆପ୍‌ ଓ ଟେଲିଗ୍ରାମ ଗ୍ରୁପ୍‌ରେ ପ୍ରେରଣ କରୁଛନ୍ତି। ଫଳରେ ଛପା ଖବରକାଗଜର ବିକ୍ରି ରାଜସ୍ବ ହ୍ରାସ ପାଉଛି। ସେହିଭଳି ଇ-ପେପର ଜନିତ ରାଜସ୍ବ ମଧ୍ୟ କମୁଛି ବୋଲି ଆଇଏନ୍‌ଏସ୍‌ କହିଛି। ତେଣୁ ଖବରକାଗଜ ସଂସ୍ଥାଗୁଡ଼ିକ ସେମାନଙ୍କ ଆପ୍‌, ୱେବସାଇଟ୍ ଏବଂ ଖବରକାଗଜରେ ସ୍ପଷ୍ଟଭାବେ ଲୋକଙ୍କୁ ଜଣାଇ ଦେବା ଉଚିତ ଯେ ଖବରକାଗଜକୁ ହ୍ବାଟ୍‌ସଆପ୍‌ ଏବଂ ଟେଲିଗ୍ରାମ୍‌ ଭଳି ଗ୍ରୁପ୍‌ରେ ପଠାଇବା ବେଆଇନ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ମୋଟା ଅଙ୍କର ଜରିମାନା ମଧ୍ୟ ଲାଗୁ ହେବ। ସେହିଭଳି ଆଡ୍‌ମିନିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏଥିସହିତ ପିଡିଏଫ୍‌ କପି ଓ ଛବିର ଡାଉନଲୋଡ୍‌କୁ ସୀମିତ କରିବା କରିବା ପାଇଁ କୁହାଯାଇଛି। ଇନଭିଜିବଲ ୟୁଜର୍‌ ଆଇଡେଣ୍ଟିଫିକେସନ କୋଡ୍‌ର ଉପଯୋଗ କରି ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଠାରୁ ଅଧିକ ସଂଖ୍ୟକ ପିଡିଏଫ୍‌ ଡାଉନଲୋଡ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ଡାଉନଲୋଡ୍‌କୁ ବ୍ଲକ୍ କରିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର