ନୀଳାଚଳ ଇସ୍ପାତର ଲୁହାପଥର ଖଣି କାର୍ଯ୍ୟକ୍ଷମ

ହାଇଦ୍ରାବାଦ: ଲୁହାପଥର ଖଣି କାର୍ଯ୍ୟ ଆରମ୍ଭ କରିବାରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)କୁ ଏନ୍‌ଏମ୍‌ଡିସି ସାହାଯ୍ୟ କରିଛି। ଏଥିପାଇଁ ନୀଳାଚଳ ଇସ୍ପାତକୁ ଏହା ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିଛି। ଆଜି ଠାରୁ କଂପାନିର ମିଥିରଡ଼ା ଲୁହା ପଥର ଖଣି ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି। ଏଥିପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଏନ୍‌ଏମ୍‌ଡିସିର ସିଏମ୍‌ଡି ସୁମିତ ଦେବ, ନିର୍ଦେଶକ (ଉତ୍ପାଦନ) ପି କେ ଶତପଥୀ ଓ ନୀଳାଚଳ ଇସ୍ପାତର ଏମ୍‌ଡି ଆର୍‌ କେ ଝା ଉପସ୍ଥିତ ଥିଲେ। ଲୁହାପଥର ଖଣିକୁ କାର୍ଯ୍ୟକ୍ଷମ କରିବା ଲାଗି ଏନ୍‌ଏମ୍‌ଡିସିର ସହାୟତା ଲୋଡ଼ିଥିଲା ନୀଳାଚଳ ଇସ୍ପାତ। ରାଜ୍ୟରେ ଉଚ୍ଚ ମାନର ଲୁହାପଥର ଯୋଗାଣ ପାଇଁ ସାହାଯ୍ୟ କରିବାକୁ ଏନ୍‌ଏମ୍‌ଡିସି ଏକ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। ମିଥିରଡ଼ା ଖଣିରୁ ନିଜ ବ୍ୟବହାର ଲାଗି ଲୁହାପଥର ଉତ୍ପାଦନ କରିବା ଲାଗି କଂପାନି ୨୦୧୭ ଜାନୁଆରି ଖଣି ଲିଜ୍ ହାସଲ କରିଥିଲା। କଂପାନିର ଖର୍ଚ୍ଚ ତୁଲାଇବା ଓ ରାଜ୍ୟର ଲୁହାପଥର ଆବଶ୍ୟକତା ପୂରଣ କରିବା ଲାଗି ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଏକ ନିୟୁତ ଟନ୍ ଲୁହାପଥର ବିକ୍ରି କରିବାକୁ ନୀଳାଚଳ ଇସ୍ପାତକୁ ଅନୁମତି ଦିଆଯାଇଥିଲା।

ନୀଳାଚଳ ଇସ୍ପାତକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସଂସ୍ଥାରେ ଚାରିଟି କେନ୍ଦ୍ରୀୟ ପିଏସ୍‌ୟୁ ଓ ଓଡ଼ିଶା ସରକାରଙ୍କ ଦୁଇଟି ପିଏସ୍‌ୟୁର ଯେଉଁ ଅଂଶଧନ ରହିଛି ତାହା ବିକ୍ରି କରାଯିବ। ଆସନ୍ତା ଦୁଇ ମାସରେ ଏହି କାର୍ଯ୍ୟ ଶେଷ କରିବା ଯୋଜନା ରହିଛି। ଏହାକୁ କିଣିବା ଲାଗି ଆବେଦନ କରିଥିବା ସଂସ୍ଥାଗୁଡ଼ିକୁ ଆର୍ଥିକ ବିଡ୍‌ ଦାଖଲ କରିବା ଲାଗି ଖୁବ୍‌ଶୀଘ୍ର କୁହାଯିବ। ନୀଳାଚଳ ଇସ୍ପାତକୁ କିଣିବା ଲାଗି ଟାଟା ଷ୍ଟିଲ୍‌, ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ଆର୍ସେଲର ମିତ୍ତଲ ଭଳି ସଂସ୍ଥା ଦୌଡ଼ରେ ଅଛନ୍ତି।

ସମ୍ବନ୍ଧିତ ଖବର