ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଯାତ୍ରା ଆରମ୍ଭ କରି ପ୍ରଦର୍ଶନ କରିବାରେ ବିଫଳ ହେବା ପରେ ଘରୋଇ ସଂସ୍ଥା ହାତକୁ ଯାଇଥିବା ଯାଜପୁରଜିଲ୍ଲା କଳିଙ୍ଗନଗରର ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଟାଟା ଷ୍ଟିଲ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୪-୨୫ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳରୁ ଜଣାପଡ଼ିଛି ଯେ ଏନ୍ଆଇଏନ୍‌ଏଲ୍‌ର ଏବିଟ୍‌ଡା ବା ପରିଚାଳନା ଲାଭ ୧୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି। କମ୍ପାନିର କ୍ୟାସ୍‌ ଫ୍ଲୋ ୧୦୦୦ କୋଟି ଟଙ୍କା ରହିଛି ବୋଲି ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟ ବିତ୍ତ ଅଧିକାରୀ କୌଶିକ ଚାଟାର୍ଜୀ ସୂଚନା ଦେଇଛନ୍ତି। ତିନି ବର୍ଷ ପୂର୍ବେ କମ୍ପାନି ଅଧିଗ୍ରହଣ ବେଳକୁ ତାହା ବନ୍ଦ ପଡ଼ିଥିଲା। ‌ଏତେ ଅଳ୍ପ ସମୟ ଭିତରେ ତାହାର ପୁନରୁଦ୍ଧାର ହୋଇପାରିଛି। 

Advertisment

ଏନ୍‌ଆଇଏନ୍‌ଏଲ୍‌ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କିଛି ଉଦ୍ୟୋଗର ମିଳିତ ସହଯୋଗରେ ଯାତ୍ରା ଆରମ୍ଭ କରିଥିଲା। କେନ୍ଦ୍ରୀୟ ପିଏସ୍‌ୟୁ ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ଭେଲ୍‌, ମେକନ୍ ଏବଂ ଓଡ଼ିଶାର ଦୁଇ ଉଦ୍ୟୋଗ ଓଏମ୍‌ସି ଓ ଇପିକଲ୍‌ର ମିଳିତ ଉଦ୍ୟମରେ ଏହାକୁ ସ୍ଥାପନ କରାଯାଇଥିଲା। କିଛି ବର୍ଷ ପରେ ଏହାର ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଥିଲା। ୨୦୨୦ ମାର୍ଚ୍ଚ ବେଳକୁ କମ୍ପାନି ବିପୁଳ କ୍ଷତି ସହିଥିଲା ଓ କାରଖାନା ବନ୍ଦ ହୋଇଯାଇଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା କମ୍ପାନି ଉପରେ ୬,୬୦୦ କୋଟି ଟଙ୍କାର ଋଣ ଓ ଅନ୍ୟାନ୍ୟ ବକେୟା ଥିଲା ଏବଂ କମ୍ପାନିର କ୍ଷତି ୪୨୨୮ କୋଟି ଟଙ୍କା ରହିଥିଲା।
କେନ୍ଦ୍ର ସରକାରଙ୍କ ପୁଞ୍ଜିପ୍ରତ୍ୟାହାର ଦାୟିତ୍ବରେ ଥିବା ଦିପମ୍ ବିଭାଗ ଅଧୀନରେ କମ୍ପାନିର ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ସମୟରେ ତୁହିନ୍‌କାନ୍ତ ପାଣ୍ଡେ ସେହି ବିଭାଗ ଦାୟିତ୍ବରେ ଥିଲେ। ୨୦୨୨ରେ ଟାଟା ଷ୍ଟିଲ୍‌ ପକ୍ଷରୁ ଏହାର ସହାୟକ କମ୍ପାନି ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟସ୍ ଜରିଆରେ ୧୨,୧୦୦ କୋଟି ଟଙ୍କାରେ ଏନ୍‌ଆଇଏନ୍‌ଏଲ୍‌କୁ ଅଧିଗ୍ରହଣ କରାଯାଇଥିଲା। ଟାଟା ଷ୍ଟିଲ୍‌ର ସୂଚନା ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଏନ୍‌ଆଇଏନ୍‌ଏଲ୍‌ର ରାଜସ୍ବ ପୂର୍ବବର୍ଷ ତୁଳନାରେ ୩.୫ ପ୍ରତିଶତ ବୃଦ୍ଧି ପାଇ ୫୭୦୧ କୋଟି ଟଙ୍କା ହୋଇଛି। ଏହାର ଏବିଟ୍‌ଡା ୨୦ ଗୁଣା ବୃଦ୍ଧି ପାଇ ୧୦୬୭ କୋଟି ଟଙ୍କା ହୋଇଛି। ଟାଟା ଷ୍ଟିଲ୍ ପକ୍ଷରୁ ଏନ୍‌ଆଇଏନ୍‌ଏଲ୍‌ର ଉତ୍ପାଦନ କ୍ଷମତାକୁ ଦଶନ୍ଧି ସୁଦ୍ଧା ବାର୍ଷିକ ୯.୫ ନିୟୁତ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା ରହିଛି।