ନିରବଙ୍କ ବିଦେଶ ସମ୍ପତ୍ତି ଜବତ ପାଇଁ ଇଡିକୁ ଅନୁମତି

ମୁମ୍ବାଇ, : ମନି ଲଣ୍ଡରିଂ ନିରୋଧ ଆଇନ ଅନୁଯାୟୀ ନିରବ ମୋଦିଙ୍କ ବିଦେଶ ସମ୍ପତ୍ତି ଜବତ ପାଇଁ ପ୍ରବର୍ତନ ନିର୍ଦେଶାଳୟ (ଇଡି) ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରୁ ଅନୁମତି ହାସଲ କରିଛି। ନିରବଙ୍କ ବିଦେଶ ସମ୍ପତ୍ତି ଜବତ ପାଇଁ ଲେଟର୍‌ ଅଫ ରୋଗେଟରି (ଏଲ୍‌ଆର୍‌) ଜାରି ପାଇଁ ଆବେଦନ କରିଥିଲା। ଏହି ମାମଲାର ଆବେଦନ ଶୁଣାଣି କରି ବିଚାରପତି ଏମ୍‌ ଏସ୍‌ ଆଜ୍‌ମି ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟର ଆଦେଶ ପାଇବା ପରେ ଇଡି ଏବେ ହଂକଂ, ଆମେରିକା, ବ୍ରିଟେନ୍‌, ସଂଯୁକ୍ତ ଆରବ ଏମିରେଟ୍‌ସ, ଦକ୍ଷିଣ ଆଫ୍ରିକା ଓ ସିଙ୍ଗାପୁରରୁ ଏଲ୍‌ଆର୍‌ ପଠାଇବ। ଇଡି ପକ୍ଷରୁ ନିରବ, ଚୋକ୍‌ସିଙ୍କୁ ସମନ କରାଯାଇଛି। ଯଦି ସେମାନେ ବ୍ୟକ୍ତିଗତ ଭାବେ ହାଜର ହେବାରେ ବିଫଳ ହେବେ ତେବେ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିବା ପାଇଁ ଆବେଦନ କରାଯିବ ବୋଲି ଇଡି କହିଛି। ପିଏନ୍‌ବି ମାମଲାରେ ସିବିଆଇ ପକ୍ଷରୁ ଆଜି ସାଇରିଲ୍‌ ଅମରଚାନ୍ଦ ମଙ୍ଗଲଦାସ ନାମକ ଲ’ ଫାର୍ମ ଉପରେ ଚଢ଼ଉ କରାଯାଇଛି। ନିରବ ମୋଦିଙ୍କ ସମ୍ପର୍କିତ କାଗଜପତ୍ର ଜବତ କରିବା ପାଇଁ ଏହି ଚଢ଼ଉ କରାଯାଇଥିଲା। ପିଏନ୍‌ବି ଠକେଇ ଧରାପଡ଼ିବା ପରେ ନିରବ ମୋଦିଙ୍କ ଘରେ ଚଢ଼ଉ କରାଯିବା ବେଳେ ଏହି ଲ’ ଫାର୍ମର କିଛି କାଗଜପତ୍ର ମିଳିଥିଲା।

ସମ୍ବନ୍ଧିତ ଖବର