ନିରବଙ୍କ ପ୍ରତ୍ୟର୍ପଣ ଆଶା ବଢ଼ିଲା, ଜେଲ ବିଷୟରେ ପଚାରିଲେ ବ୍ରିଟେନ ଅଦାଲତ

ଲଣ୍ଡନ: ବହୁ ଚର୍ଚ୍ଚିତ ୧୪ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଆଜି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହୋଇଥିଲା। ନିରବଙ୍କ ଜାମିନ ଆବେଦନକୁ ବିଚାରପତି ଏମା ଆରବଥ୍‌ନଟ୍‌ ଖାରଜ କରିଦେବା ସହ ତାଙ୍କୁ ଜୁନ୍ ୨୭ ପର୍ଯ୍ୟନ୍ତ ରିମାଣ୍ଡ୍‌ରେ ପଠାଇ ଦେଇଥିଲେ। ଯଦି ନିରବଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ ତେବେ ତାଙ୍କୁ କେଉଁ ଜେଲ୍‌ରେ ରଖାଯିବ ତାହା ୧୪ ଦିନ ଭିତରେ ଜଣାଇବାକୁ ସେ ଭାରତ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।ଆଜିର ଶୁଣାଣି ପାଇଁ ୪୮ ବର୍ଷୀୟ ନିରବ ନୀଳ ସାର୍ଟ ଓ କଳା ଟ୍ରାଉଜର ପିନ୍ଧି ଆସିଥିଲେ। ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ପୁଣି ଥରେ ୱାଣ୍ଡସ୍‌ୱାର୍ଥ ଜେଲ୍‌କୁ ପଠାଇ ଦିଆଯାଇଛି। ଏହି ମାମଲାରେ ଭାରତ ସରକାରଙ୍କ ତରଫରୁ ଦାଖଲ କରାଯାଇଥିବା କାଗଜପତ୍ରକୁ ନେଇ ବିଚାରପତି ଆରବଥ୍‌ନଟ୍‌ ଖୁସି ପ୍ରକଟ କରିଥିଲେ। ପୂର୍ବାପେକ୍ଷା କାଗଜପତ୍ର ବହୁତ ଭଲ ରହିଛି ବୋଲି କହିଥିଲେ। ଶୁଣାଣି ବେଳେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଏକ ଟିମ୍ ଉପସ୍ଥିତ ଥିଲେ। ଆଜି କୋର୍ଟ ପରିସର‌ରେ ପ୍ରବଳ ଭିଡ଼ ଥିଲା। ନିରବଙ୍କ ମାମଲାର ଶୁଣାଣି ପାଇଁ ନୁହେଁ, ୱିକିଲିକ୍ସର ମୁଖ୍ୟ ଜୁଲିଆନ୍ ଆସେଞ୍ଜ୍‌ଙ୍କ ଶୁଣାଣି ପାଇଁ ଭିଡ଼ ହୋଇଥିଲା। କିନ୍ତୁ ତାଙ୍କ ଦେହ ଖରାପ ରହିବା ଯୋଗୁ ଶୁଣାଣି ସ୍ଥଗିତ ରହିଥିଲା। ବିଚାରପତି ଆରବଥ୍‌ନଟ୍‌ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ମଧ୍ୟ ସେ ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର