ନିରବଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହେବ

ଲଣ୍ଡନ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୩ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ବ୍ରିଟେନ୍‌ରୁ ପ୍ରତ୍ୟର୍ପଣ କରିବା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବ୍ରିଟେନ୍‌ର କ୍ରାଉନ୍‌ ପ୍ରସିକ୍ୟୁସନ୍‌ ସର୍ଭିସେସ୍‌ (ସିପିଏସ୍‌) ପକ୍ଷରୁ ଭାରତକୁ ଜଣାଇ ଦିଆଯାଇଛି ଯେ ଏହା ନିରବଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିପାରିବ। ନିରବ କେଉଁଠାରେ ଅଛନ୍ତି ତାହାର କୌଣସି ନିର୍ଦିଷ୍ଟ ସୂଚନା କାହା ପାଖରେ ନାହିଁ। ସେ ବ୍ରିଟେନ୍‌ରେ ଅଛନ୍ତି ବୋଲି କିଛି ଦିନ ତଳେ ଜଣାପଡ଼ିଥିଲା। ମାତ୍ର ଗତକାଲି ଖବର ମିଳିଥିଲା ଯେ ନିରବ ବ୍ରିଟେନ୍‌ ଛାଡ଼ି ବେଲ୍‌ଜିୟମ୍‌ର ବ୍ରସେଲ୍ସ ଚାଲିଯାଇଛନ୍ତି। ସିବିଆଇ ପକ୍ଷରୁ ନିରବଙ୍କ ପ୍ରତ୍ୟର୍ପଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତାହା ଯଦି ବ୍ରିଟେନ୍‌ର ହୋମ୍‌ ଅଫିସ୍‌ ଦ୍ୱାରା ଗ୍ରହଣୀୟ ହେବ ତେବେ ନିରବଙ୍କ ବିରୋଧରେ ପ୍ରତ୍ୟର୍ପଣ ଓ୍ଵାରେଣ୍ଟ୍‌ ଜାରି କରାଯିବ। ନିରବ ବ୍ରିଟେନ୍‌ରେ ଅଛନ୍ତି ନା ବାହାରକୁ ଚାଲିଯାଇଛନ୍ତି ତାହା ସେଠାକାର କର୍ତୃପକ୍ଷଙ୍କୁ ଜଣାନାହିଁ। ଶେଷ ଥର ପାଇଁ ସେ ପ୍ୟାରିସ୍‌କୁ ଯାଉଥିବା ଏକ ବିମାନରେ ବସିଥିଲେ। ଏହା ପରେ ତାଙ୍କ ବିଷୟରେ କୌଣସି ସୂଚନା ବ୍ରିଟେନ୍‌ କର୍ତୃପକ୍ଷଙ୍କ ପାଖରେ ନାହିଁ। ଯଦି ଭାରତ ପକ୍ଷରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରାଯିବ ତେବେ ଓ୍ଵାରେଣ୍ଟ୍‌ ବଳରେ ନିରବଙ୍କୁ ଠାବ କରି ଗିରଫ କରାଯାଇପାରିବ। ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କାର ଠକେଇ କରିବା ପରେ ଭାରତୀୟ ପାସ୍‌ପୋର୍ଟ ଜରିଆରେ ନିରବ ବ୍ରିଟେନ୍‌ ଚାଲିଯାଇଥିଲେ। କିଛି ଦିନ ପରେ ତାଙ୍କ ପାସପୋର୍ଟକୁ ଭାରତ ସରକାର ରଦ୍ଦ କରିଦେଇଥିଲେ। ଏହା ପରେ ନିରବ କେଉଁଠାରେ ରହୁଛନ୍ତି ତାହାକୁ ନେଇ ବିଭିନ୍ନ ପ୍ରକାର ରିପୋର୍ଟ ପ୍ରକାଶ ପାଇଛି। ସେ ହଂକଂ, ସିଙ୍ଗାପୁର ଓ ପ୍ୟାରିସ୍‌ରେ ଥିଲେ ବୋଲି କୁହାଯାଉଥିଲା। କିନ୍ତୁ କିଛି ଦିନ ତଳେ ଜଣାପଡ଼ିଥିଲା ଯେ ନିରବ ବ୍ରିଟେନ୍‌ରେ ଅଛନ୍ତି ଓ ସେଠାରେ ରାଜନୈତିକ ଶରଣ ପାଇବା ପାଇଁ ଆବେଦନ କରିଛନ୍ତି। ନିରବଙ୍କ ପାଖରେ କେତୋଟି ରାଷ୍ଟ୍ରର ପାସପୋର୍ଟ ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ଶେଷ ସୂଚନା ମୁତାବକ ତାଙ୍କ ପାଖରେ ସିଙ୍ଗାପୁରର ପାସ୍‌ପୋର୍ଟ ରହିଛି। ଭାରତରେ ପିଏନ୍‌ବି ଠକେଇର ତଦନ୍ତ ସିବିଆଇ, ଇଡି ଓ ଆୟକର ବିଭାଗ ପକ୍ଷରୁ କରାଯାଉଛି। ଗତ ମାସରେ ଇଡି ପକ୍ଷରୁ ନିରବ ଓ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ଉଭୟ ସିବିଆଇ ଓ ଇଡି ପକ୍ଷରୁ ସ୍ୱତନ୍ତ୍ର ଅଦାଲତରେ ନିରବଙ୍କ ବିରୋଧରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର