ମୁଁ ପଳାତକ ନୁହେଁ: ସିବିଆଇକୁ ନିରବଙ୍କ ଇ-ମେଲ୍‌

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ୧୨,୭୦୦ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦି ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ)କୁ ଏକ ଇ-ମେଲ୍‌ ପଠାଇଛନ୍ତି। ଏଥିରେ ସେ ପଳାତକ ନୁହନ୍ତି ବୋଲି ଦାବି କରିଛନ୍ତି। ସେହିଭଳି ପଳାତକ ଅର୍ଥନୈତିକ ଅପରାଧ ଆଇନ ଆଣିବା ଲାଗି ସରକାର ଯେଉଁ ତତ୍ପରତା ଦେଖାଇଛନ୍ତି ସେଥିପାଇଁ ତାଙ୍କୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି। ଗତ ୭ ତାରିଖରେ ସିବିଆଇକୁ ନିରବ ଏକ ଇମେଲ୍‌ ଦେଇ ଏହା ମଧ୍ୟ କହିଛନ୍ତି ଯେ, ବାହାରେ ତାଙ୍କର ବ୍ୟାବସାୟିକ କାର୍ଯ୍ୟକ୍ରମ ରହିଥିବାରୁ ସେ ଏବେ ଭାରତକୁ ଫେରିପାରିବେ ନାହିଁ। ତେବେ ସିବିଆଇ ତାଙ୍କ ସହିତ ଇ-ମେଲ୍‌ରେ ଯୋଗାଯୋଗ କରିପାରିବ । ଏହି ମେଲ୍‌ରେ ସେ ଗଣମାଧ୍ୟମ ଓ ରାଜନୈତିକ ଦଳ ଗୁଡ଼ିକ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି ମୁଁ ପଳାତକ ହୋଇ ନଥିଲେ ମଧ୍ୟ ଗଣମାଧ୍ୟମ ମୋତେ ପଳାତକ କରିସାରିଛି। ସେହିଭଳି ମୋ ପାଇଁ ପଳାତକ ଅର୍ଥନୈତିକ ଅପରାଧ ବିଲ୍‌ ଆସିଛି ବୋଲି କହି ରାଜନୈତିକ ଦଳ ଓ ଗଣମାଧ୍ୟମ ନାଁ ନେବାକୁ ଉଦ୍ୟମ କରୁଥିବା ବିଷୟ ତାଙ୍କ ନଜରକୁ ଆସିଛି ବୋଲି ସେ କହିଛନ୍ତି। ଏପରିକି ଗଣମାଧ୍ୟମ ଏବଂ ରାଜନୈତିକ ଦଳ ଗୁଡ଼ିକ ତାଙ୍କର ବିଚାର ପ୍ରକ୍ରିୟା ଚଳାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ତାଙ୍କ ପାସ୍‌ପୋର୍ଟ ପ୍ରତ୍ୟାହାର କିମ୍ବା ସମ୍ପତ୍ତି ଜବତ ସଂପର୍କରେ କୌଣସି କାରଣ କର୍ତୃପକ୍ଷ ଦର୍ଶାଇ ନଥିବା ସେ କହିଛନ୍ତି। ଏତଦ୍‌ବ୍ୟତୀତ ଦରମା ପାଇ ନଥିବା କର୍ମଚାରୀ ଓ ଗିରଫ ହୋଇଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କଠାରୁ ସେ ଧମକ ପାଉଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର