ବ୍ରସେଲ୍ସ ପଲାଇଲେ ନିରବ

ଲଣ୍ଡନ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବେଲ୍‌ଜିୟମ୍‌ର ବ୍ରସେଲ୍ସ ଚାଲିଯାଇଛନ୍ତି। ଏକ ବିମାନରୁ ଓହ୍ଲାଇବା ବେଳେ ସେ ବିଭିନ୍ନ ସମ୍ବାଦପତ୍ରରେ ତାଙ୍କ ସମ୍ପର୍କିତ ଖବର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିବା ଦେଖିବାକୁ ପାଇଥିଲେ। ବ୍ରିଟେନ୍‌ରେ ରହିବା ଓ ରାଜନୈତିକ ଶରଣ ଚାହୁଁଥିବା ସମ୍ପର୍କିତ ଲେଖାଟିକୁ ପଢ଼ିବା ପରେ ସେ ତୁରନ୍ତ ବ୍ରସେଲ୍ସ ଚାଲିଯାଇଥିଲେ ବୋଲି କୁହାଯାଉଛି। ତାଙ୍କ ପାଖରେ ସିଙ୍ଗାପୁର୍‌ର ପାସ୍‌ପୋର୍ଟ ରହିଛି। ଅନ୍ୟ ଏକ ଘଟଣାକ୍ରମରେ, ଆଜି ବ୍ରିଟେନ୍‌ ପକ୍ଷରୁ ନିରବ ମୋଦିଙ୍କ ସମ୍ପର୍କରେ ସୂଚନା ଭାରତକୁ ପ୍ରଦାନ କରାଯାଇଛି। ତେବେ ସେ କେଉଁଠାରେ ଅଛନ୍ତି ତାହା ବ୍ରିଟେନ୍‌ ଜଣାଇ ନାହିଁ। ସିବିଆଇକୁ ବ୍ରିଟେନ୍‌ ଏହି ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ନିରବ ମୋଦି, ତାଙ୍କ ମାମୁଁ ମେହୁଲ ଚୋକ୍‌ସି ଓ ଅନ୍ୟ ସମ୍ପର୍କୀୟଙ୍କ ବିଷୟରେ ବ୍ରିଟେନ୍‌କୁ ଭାରତ ସରକାର ତଥ୍ୟ ମାଗିଥିଲେ। କେବଳ ବ୍ରିଟେନ୍‌ ନୁହେଁ, ଯେଉଁ ସବୁ ଦେଶରେ ନିରବ ଅଛନ୍ତି ବୋଲି ସନ୍ଦେହ ହେଉଥିଲା ସେହି ସବୁ ରାଷ୍ଟ୍ରକୁ ଭାରତ ତଥ୍ୟ ମାଗିଥିଲା। ଫେବ୍ରୁଆରି ମାସରୁ ବ୍ରିଟେନ୍‌କୁ ତଥ୍ୟ ମଗାଯାଇଥିବା ବେଳେ ଏତେ ତାହାର ଉତ୍ତର ମିଳିଛି। ତେବେ ବ୍ରିଟେନ୍‌ ଅନ୍ୟ କଣ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ତାହା ସିବିଆଇ ପକ୍ଷରୁ କହିବାକୁ ମନା କରାଯାଇଛି। ଇତି ମଧ୍ୟରେ ସିବିଆଇ ପକ୍ଷରୁ ନିରବ ଓ ତାଙ୍କ ଭାଇ ନିଶାଲ୍‌ଙ୍କ ବିରୋଧରେ ଇଣ୍ଟରପୋଲ୍‌ ଜରିଆରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିବାକୁ ଆବେଦନ କରାଯାଇଛି। ଅନ୍ୟ ପକ୍ଷରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ପିଏନ୍‌ବି ଠକେଇର ଜଣେ ବଡ଼ ହିତାଧିକାରୀ ହେଉଛନ୍ତି ନିରବ।

ସମ୍ବନ୍ଧିତ ଖବର