ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ମହାଠକେଇର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ମେହୁଲ୍ ଚୋକ୍ସି ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିବା ସହିତ ସେଠାରେ ବାସ କରୁଛନ୍ତି। ଏହି ଖବର ପଦାକୁ ଆସିବା ପରେ ଭାରତ ସରକାରଙ୍କ ଚୋକ୍ସିଙ୍କୁ ଆଣ୍ଟିଗୁଆରୁ ଆଣିବା ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ତଥା ମେହୁଲ୍ଙ୍କ ଭଣଜା ନିରବ ମୋଦୀ ଏବେ କେଉଁଠି ଅଛନ୍ତି ତାହା ଜାଣିବା ଲାଗି ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ସରକାରଙ୍କ ନିକଟରେ ଯଦିଓ ନିରବଙ୍କ ଠିକଣା ସମ୍ପର୍କରେ କିଛି ଠୋସ୍ ଖବର ନାହିଁ ତେବେ ସେ ମାଲ୍ଟାରେ ବାସ କରୁଥିବା ନେଇ ଅନୁମାନ କରାଯାଉଛି। ଅତୀତରେ ନିରବଙ୍କୁ ଆର୍ଥିକ ସେବା ଯୋଗାଇ ଦେଇଥିବା ପେସାର ଲୋକେ ଏବଂ ସେବା ପ୍ରଦାନକାରୀମାନେ ଏପ୍ରକାର ସନ୍ଦେହ କରୁଛନ୍ତି। ଆଣ୍ଟିଗୁଆ ଭଳି ମାଲ୍ଟାରେ ମଧ୍ୟ ବିଦେଶୀ ନାଗରିକମାନେ ପୁଞ୍ଜି ନିବେଶ କରି ନାଗରିକତ୍ୱ ଗ୍ରହଣ କରିବା ସୁବିଧା ରହିଛି। ଏହି ଦେଶ ୟୁରୋପୀୟ ସଂଘର ସଦସ୍ୟ ମଧ୍ୟ।
ଏହି ବର୍ଗର ବ୍ୟକ୍ତିଙ୍କ କହିବାନୁଯାୟୀ, ବିଶ୍ୱର ହୀରା କେନ୍ଦ୍ର ଭାବେ ଜଣାଶୁଣା ବେଲ୍ଜିୟମ୍ର ଏଣ୍ଟଓ୍ଵର୍ପ ସହିତ ନିରବ ମୋଦୀଙ୍କର ଯଦିଓ ନିବିଡ଼ ସମ୍ପର୍କ ରହିଛି ତଥାପି ସେ ଏଠାରେ ନାଗରିକତ୍ୱ ଗ୍ରହଣ କରିବାକୁ ପସନ୍ଦ କରି ନଥିବେ। କାରଣ ବେଲ୍ଜିୟମରେ ଟିକସ ବ୍ୟବସ୍ଥା ଅପେକ୍ଷାକୃତ ଭାବେ କଡ଼ାକଡ଼ି ରହିଛି। ଏତଦ୍ବ୍ୟତୀତ କାରବୀୟ ଦେଶ ତୁଳନାରେ ମାଲ୍ଟା ଅଧିକ ନିରାପଦ। ତେଣୁ ନିରବ ମୋଦୀ ଯଦି ମାଲ୍ଟାର ନାଗରିକତ୍ୱ ଗ୍ରହଣ କରିଥାନ୍ତି ତାହେଲେ ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଏହି ବ୍ୟକ୍ତିମାନେ ମତ ଦେଇଛନ୍ତି। ସେହିଭଳି ଆଇନ ବିଶାରଦମାନେ କୁହନ୍ତି, ଆଣ୍ଟିଗୁଆ ଭଳି ମାଲ୍ଟାରେ ମଧ୍ୟ ପ୍ରତ୍ୟର୍ପଣ ବ୍ୟବସ୍ଥା ଅପେକ୍ଷାକୃତ ଜଟିଳ ଏବଂ ସମୟସାପେକ୍ଷ। ତେଣୁ ନିରବ ଯଦି ମାଲ୍ଟାରେ ରହିଥାନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ଜଣେ ଆଇନ ବିଶାରଦ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିରବଙ୍କ ବିରୋଧରେ ବ୍ୟୁରୋ ଅଫ୍ ଇମିଗ୍ରେସନ୍ ପକ୍ଷରୁ ଚଳିତବର୍ଷ ଫେବ୍ରୁଆରି ୨୨ ତାରିଖରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ଏହି ନୋଟିସ ୨୦୧୯ ମସିହା ପର୍ଯ୍ୟନ୍ତ ବୈଧ ରହିଛି। ନିକଟରେ ଆୟକର ବିଭାଗ ପକ୍ଷରୁ ନିରବଙ୍କ ବିରୋଧରେ କଳାଟଙ୍କା (ଅଘୋଷିତ ବିଦେଶୀ ଆୟ ଏବଂ ସମ୍ପତ୍ତି) ଏବଂ ଟିକସ ଆଇନ ୨୦୧୫ ଅନୁଯାୟୀ ୩ଟି ନୋଟିସ ଜାରି କରିଛି। ଇଣ୍ଟରପୋଲ୍ ପକ୍ଷରୁ ମଧ୍ୟ ନିରବଙ୍କ ନାମରେ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଛି। ତେବେ ଏପର୍ଯ୍ୟନ୍ତ ନିରବଙ୍କ ବିଷୟରେ କିଛି ଖୋଜ ଖବର ମିଳିପାରିନାହିଁ।