ଲଣ୍ଡନରେ ବୁଲୁଛନ୍ତି ନିରବ, ଆପାର୍ଟମେଣ୍ଟର ଦାମ ୭୪ କୋଟି, ମାସିକ ଭଡ଼ା ୧୬ ଲକ୍ଷ

ପୁଣି ଚଳାଇଛନ୍ତି ଗହଣା ବ୍ୟବସାୟ

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ ୧୪ ହଜାର କୋଟି ଟଙ୍କାର ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦୀ ଏବେ ଲଣ୍ଡନରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ସେ ଆରାମରେ ରହିବା ସହିତ ଖୋଲାଖୋଲି ଭାବେ ବ୍ୟବସାୟ ମଧ୍ୟ କରୁଛନ୍ତି। ବ୍ରିଟେନର ଦୈନିକ ସମ୍ବାଦପତ୍ର ଟେଲିଗ୍ରାଫ୍ ପକ୍ଷରୁ ତାଙ୍କୁ ଠାବ କରାଯାଇଛି। ଏହି ସମ୍ବାଦପତ୍ର ପକ୍ଷରୁ ତାଙ୍କର ଏକ ଭିଡିଓ ପ୍ରସାର କରିଛି। ୪୮ ବର୍ଷୀୟ ନିରବ ଲଣ୍ଡନର ଅକ୍ସଫୋର୍ଡ ଷ୍ଟ୍ରିଟ୍ ନିକଟରେ ଏକ ବିଳାସପୂର୍ଣ୍ଣ ଫ୍ଲାଟରେ ଆରାମ ଜୀବନ ଜିଉଁଛନ୍ତି। ସୋହୋଠାରେ ସେ ନୂଆକରି ହୀରା ବ୍ୟବସାୟ ମଧ୍ୟ ଚଳାଇଛନ୍ତି। ଟେଲିଗ୍ରାଫ୍ ସାମ୍ବାଦିକ ତାଙ୍କୁ ଠାବ କରିବା ପରେ ଏକାଧିକ ପ୍ରଶ୍ନ ପଚାରିଥିଲେ ବି ସେ କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି। ତେବେ ଭିଡିଓରେ ସେ ଟିକେ ମୋଟା ହୋଇଯିବା ସହିତ ମୋଟା ନିଶ ଓ ଦାଢ଼ି ରଖିଥିବା ଦେଖିବାକୁ ମିଳିଛି। ନିରବ ପିନ୍ଧିଥିବା ଜ୍ୟାକେଟର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ନିରବ ପ୍ରତ୍ୟର୍ପଣରୁ ବଞ୍ଚିବା ପାଇଁ ନିଜର ପ୍ଲାଷ୍ଟିକ୍ ସର୍ଜରି ଲଣ୍ଡନରେ କରାଇଛନ୍ତି। ଲଣ୍ଡନର ଟୋଟେନହାମ୍ କୋର୍ଟ ରୋଡ୍‌ର ସେଣ୍ଟର ପଏଣ୍ଟ୍ ଆପାର୍ଟମେଣ୍ଟରେ ଏକ ତିନୋଟି ଶୟନ କକ୍ଷ ବିଶିଷ୍ଟ ଫ୍ଲାଟରେ ରହୁଛନ୍ତି। ଏହି ଫ୍ଲାଟର ମୂଲ୍ୟ ପ୍ରାୟ ୮ ନିୟୁତ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୭୩ କୋଟି ୬୦ ଲକ୍ଷ ଟଙ୍କା ହେବ। ସେହିଭଳି ଏହି ଫ୍ଲାଟର ମାସିକ ଭଡ଼ା ୧୭ ହଜାର ପାଉଣ୍ଡ ବା ୧୫ ଲକ୍ଷ ୬୪ ହଜାର ଟଙ୍କା ରହିଛି। ନିରବ ରହୁଥିବା ଆପାର୍ଟମେଣ୍ଟଠାରୁ ଅଳ୍ପ କିଛି ଗଜ ଦୂରରେ ହୀରା ଗହଣା ବ୍ୟବସାୟ କରୁଛନ୍ତି। ୨୦୧୮ ମେ’ରେ ସେ ଏହି ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି। ଘଣ୍ଟା ଏବଂ ଗହଣାର ପାଇକାରୀ ଓ ଖୁଚୁରା ବ୍ୟବସାୟ କରୁଥିବା ନେଇ ସେ ପଞ୍ଜୀକୃତ ହୋଇଛନ୍ତି।

ଟେଲିଗ୍ରାଫକୁ ଏହା ଜଣାପଡ଼ିଛି ଯେ, ବ୍ର‌ିଟେନର ୱାର୍କ ଓ ପେନସନ ବିଭାଗ ପକ୍ଷରୁ ନିରବଙ୍କୁ ନିକଟରେ ନ୍ୟାସନାଲ ଇନସ୍ୟୁରାନ୍ସ ନମ୍ବର ପ୍ରଦାନ କରାଯାଇଛି। ଏହି ନମ୍ବର ହାସଲ କରି ନିରବ ଅନଲାଇନରେ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବା ସୁବିଧା ପାଇଛନ୍ତି। ଏଥିସହିତ ପଶ୍ଚିମ ଲଣ୍ଡନରେ ଥିବା ସମ୍ପତ୍ତି ପରିଚାଳନା କମ୍ପାନି ସହିତ ସେ ଯୋଗାଯୋଗରେ ଅଛନ୍ତି। ସେ ଯେଉଁ କମ୍ପାନି ସହ ଯୋଗାଯୋଗରେ ଅଛନ୍ତି ସେଇଟି ସାଧାରଣତଃ ଧନୀ ବିଦେଶୀମାନଙ୍କୁ ସମ୍ପତ୍ତି ପରିଚାଳନା ପରାମର୍ଶ ପ୍ରଦାନ କରିଥାଏ। ଇଣ୍ଟରପୋଲ ପକ୍ଷରୁ ନିରବଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଛି। ରେଡ୍ କର୍ଣ୍ଣର ନୋଟିସ ‌ଜାରି ହୋଇଥିଲେ ମଧ୍ୟ ଇଂଲଣ୍ଡ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କିଭଳି ବିଫଳ ହେଲେ ଏବଂ ସେ କିଭଳି ନ୍ୟାସନାଲ ଇନସ୍ୟୁରାନ୍ସ ନମ୍ବର ହାତେଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଗତବର୍ଷ ଅଗଷ୍ଟରେ ନିରବଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ ସରକାରଙ୍କୁ ନିବେଦନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଭଳି କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ।

ପ୍ରତ୍ୟର୍ପଣ ଅନୁରୋଧ ଅଦାଲତକୁ ପଠାଯାଇଛି
ନୂଆଦିଲ୍ଲୀ: ପିଏନବି ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ବ୍ରିଟେନକୁ କରାଯାଇଥିବା ଅନୁରୋଧପତ୍ରକୁ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ୍ ଜାବିଦ୍ ଲଣ୍ଡନର ଏକ ଅଦାଲତକୁ ପଠାଇଛନ୍ତି। ପ୍ରାୟ ଦୁଇ ଦିନ ପୂର୍ବେ ବ୍ରିଟେନ ଗୃହମନ୍ତ୍ରୀ ଏହାକୁ ପଠାଇଥିବା ବିଷୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି। ନିରବଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଗତ ଜୁଲାଇରୁ ଭାରତ ବ୍ରିଟେନକୁ ଅନୁରୋଧ ପଠାଇଥିଲା। ବ୍ରିଟେନ ଗୃହ ମନ୍ତ୍ରାଳୟର କେନ୍ଦ୍ରୀୟ କର୍ତ୍ତୃପକ୍ଷ ୱେଷ୍ଟମିନିଷ୍ଟର ‌ମାଜିଷ୍ଟ୍ରେଟଙ୍କ ଅଦାଲତକୁ ଏହି ଅନୁରୋଧପତ୍ର ପଠାଇଥିବା ବିଷୟ ସ୍ପଷ୍ଟ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ନିରବଙ୍କ ପ୍ରତ୍ୟର୍ପଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ଆଜି ବୈଦଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର