ଲଣ୍ଡନରେ ନିରବ ମୋଦି

ନିଜ ଷ୍ଟୋର୍‌ ଉପରେ ଥିବା ଫ୍ଲାଟ୍‌ରେ ରହୁଥିଲେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

ଲଣ୍ଡନ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରେ ହୋଇଥିବା ୧୩ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଲଣ୍ଡନରେ ରହୁଥିଲେ। ସେଠାରେ ତାଙ୍କର ଯେଉଁ ଗହଣା ଦୋକାନ ରହିଛି ତାହାର ଉପରେ ଥିବା ଏକ ଫ୍ଲାଟ୍‌ରେ ସେ ରହୁଥିଲେ। ନିରବଙ୍କୁ ଖୋଜିବା ପାଇଁ ଭାରତର ତଦନ୍ତ ଏଜେନ୍ସିଗୁଡ଼ିକ ତନାଘନା ଚଲାଇଥିବା ବେଳେ ସେ ଏହି ଫ୍ଲାଟ୍‌ରେ ଥିଲେ ବୋଲି ସଣ୍ଡେ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। ଗତ ସପ୍ତାହରୁ ଏହି ଷ୍ଟୋର୍‌ ବନ୍ଦ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ନିରବ ଦେଶ ଛାଡ଼ି ଚାଲିଯିବା ପରେ ଫେବ୍ରୁଆରିରେ ତାଙ୍କ ପାସ୍‌ପୋର୍ଟକୁ ଭାରତ ସରକାର ରଦ୍ଦ କରିଦେଇଥିଲେ। ସେବେଠାରୁ ସେ ଚାରି ଥର ଲଣ୍ଡନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିଛନ୍ତି। ଲଣ୍ଡନର ଲୋକପ୍ରିୟ ମେଫେୟାର ଅଞ୍ଚଳରେ ନିରବ ମୋଦିଙ୍କ ଗହଣା ଷ୍ଟୋର ରହିଛି। ନିରବ ଲଣ୍ଡନରେ ବସବାସ କରିବାକୁ ପ୍ରୟାସ କରୁଛନ୍ତି। ରାଜନୈତିକ ଶରଣ ହାସଲ କରିବାକୁ ଆବେଦନ କରିଥିବା ମଧ୍ୟ କୁହାଯାଉଛି। ନିରବ ବ୍ରିଟେନ୍‌କୁ ଏକ ସୁରକ୍ଷିତ ବାସସ୍ଥଳୀ ବୋଲି ଭାବି ନେଇଛନ୍ତି। ତାଙ୍କର ଏଭଳି ଭାବନା ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ପ୍ରଭାବିତ କରିବ ବୋଲି ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି। ହଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ କେଟ୍‌ ଓ୍ଵିନ୍‌ସଲେଟ୍‌ ନିରବ ମୋଦିଙ୍କୁ ଲଣ୍ଡନରେ ଲୋକପ୍ରିୟ କରାଇଥିଲେ। ତାଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଗହଣାକୁ ପିନ୍ଧି କେଟ୍‌ ୨୦୧୬ ଓକ୍ସାର ପୁରସ୍କାର ସମାରୋହକୁ ଯାଇଥିଲେ। ଲଣ୍ଡନର ଚର୍ଚ୍ଚିତ ମଡେଲ୍‌ ରୋଜି ହଣ୍ଟିଙ୍ଗଟନ୍‌-ହ୍ଵାଇଟ୍‌ଲି ମଧ୍ୟ ନିରବଙ୍କ ପାଇଁ ବିଜ୍ଞାପନ କରୁଛନ୍ତି।

ଅନ୍ୟ ଏକ ଘଟଣାକ୍ରମରେ, ରାଜସ୍ୱ ଗୁଇନ୍ଦା ବିଭାଗ (ଡିଆର୍‌ଆଇ) ପକ୍ଷରୁ ନିରବ ମୋଦିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି। ନିରବଙ୍କୁ ଇ-ମେଲ୍‌ ଜରିଆରେ ଏହାକୁ ପଠାଇ ଦିଆଯାଇଛି। ଗୁଜରାଟର ସୁରଟରେ ଥିବା ଅଦାଲତ ପକ୍ଷରୁ ଏହି ଗିରଫ ପରଓ୍ଵାନା ଜାରି କରାଯାଇଛି। ସୀମା ଶୁଳ୍କ ଠକେଇ ଅଭିଯୋଗକୁ ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ସୁରଟ କୋର୍ଟ ଏହି ଗିରଫ ପରଓ୍ଵାନା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର