ଲଣ୍ଡନ/ନୂଆଦିଲ୍ଲୀ(ପିଟି): ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରେ ୧୩ ହଜାର କୋଟି ଟଙ୍କା ଠକେଇ କରି ଦେଶ ଛାଡ଼ି ଚାଲିଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦି ଏବେ ବ୍ରିଟେନ୍ରେ ଥିବା ଜଣାପଡ଼ିଛି। ନିରବ ବ୍ରିଟେନ୍ରେ ଥିବା ବିଷୟକୁ ବ୍ରିଟେନ୍ର ଜଣେ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ବ୍ରିଟେନ୍ରେ ତାଙ୍କ କଂପାନିର ଏକ ଷ୍ଟୋର୍ ମଧ୍ୟ ରହିଛି। ନିରବ ବ୍ରିଟେନ୍ରେ ରାଜନୈତିକ ଶରଣ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।
ଭାରତ ଛାଡ଼ିବା ପରେ ନିରବ ବାରମ୍ବାର ନିଜର ବାସସ୍ଥାନ ବଦଳାଉଛନ୍ତି। କିଛି ଦିନ ତଳେ ସେ ହଂକଂରେ ଥିଲେ। ଭାରତ ସରକାର ନିରବଙ୍କ ପାସପୋର୍ଟ ରଦ୍ଦ କରିଦେଇଛନ୍ତି। ଏବେ ସେ ଭାରତ ନୁହେଁ ବେଲ୍ଜିୟମ୍ ପାସ୍ପୋର୍ଟ ଜରିଆରେ ଯାତାୟାତ କରୁଛନ୍ତି। ସେ ବେଲ୍ଜିୟମ୍ର ନାଗରିକ ହୋଇଥିବାରୁ ତାଙ୍କୁ ସେଠାକାର ପାସ୍ପୋର୍ଟ ମିଳିଯାଇଛି। ଆଜି ନୂଆଦିଲ୍ଲୀଠାରେ ବ୍ରିଟେନ୍ର ମନ୍ତ୍ରୀ ବାରୋନିସ୍ ଓ୍ଵିଲିୟମ୍ସ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜ୍ଜିଜୁଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ନିରବ ମୋଦି, ବିଜୟ ମାଲ୍ୟା ଓ ଅନ୍ୟମାନଙ୍କ ପ୍ରତ୍ୟାର୍ପଣ ବିଷୟରେ ଆଲୋଚନା ହୋଇଥିଲା। ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓ୍ଵିଲିୟମ୍ସ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ରିଜ୍ଜିଜୁ କହିଛନ୍ତି। ଇତି ମଧ୍ୟରେ, ନିରବ ଓ ତାଙ୍କ ମାମୁଁ ମେହୁଲ ଚୋକ୍ସିଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବା ପାଇଁ ସିବିଆଇ ପକ୍ଷରୁ ଇଣ୍ଟରପୋଲ୍ ନିକଟରେ ଆବେଦନ କରାଯାଇଥିବା ଜଣାପଡ଼ିଛି।
ନିରବ ବ୍ରିଟେନ୍ରେ ଥିବା ବିଷୟକୁ ସେଠାକାର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଥିଲେ ମଧ୍ୟ ଆମକୁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ପିଏନ୍ବି ଠକେଇର ପର୍ଦାଫାଶ ହେବା ପୂର୍ବରୁ ନିରବ ମୋଦି ଓ ମେହୁଲ ଚୋକ୍ସି ଦେଶ ଛାଡ଼ି ଚାଲିଯାଇଥିଲେ। ତାଙ୍କ ବିରୋଧରେ ସିବିଆଇ, ଇଡି ଓ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ମାମଲା ଦାୟର କରି ତଦନ୍ତ କରାଯାଉଛି। ସିବିଆଇ ପକ୍ଷରୁ ମୁମ୍ବାଇର ଏକ ଅଦାଲତରେ ଦୁଇଟି ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ଇଡି ପକ୍ଷରୁ ୧୨,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଭାରତରେ ବିଭିନ୍ନ ବ୍ୟାଙ୍କଠାରୁ ୯୦୦୦ କୋଟି ଟଙ୍କା ଠକେଇ କରି ବ୍ରିଟେନ୍ ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ମଧ୍ୟ ଭାରତ ସରକାର ଉଦ୍ୟମ କରୁଛନ୍ତି। ମାଲ୍ୟାଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ନା ନାହି ସେ ସମ୍ପର୍କରେ ବ୍ରିଟେନ୍ର ଏକ ଅଦାଲତରେ ବିଚାର ଚାଲିଛି। ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ଏପର୍ଯ୍ୟନ୍ତ ପାଇନାହିଁ।
ବ୍ରିଟେନ୍ରେ ନିରବ ମୋଦି:• ସ୍ପଷ୍ଟ କଲେ ବ୍ରିଟେନ୍ର ଜଣେ ମନ୍ତ୍ରୀ
• ରାଜନୈତିକ ଶରଣ ପାଇଁ ଆବେଦନ କରିଛନ୍ତି
/sambad/media/post_attachments/wp-content/uploads/2018/06/Nirav-Modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)