ନିରବଙ୍କ ୧୪୦୦ କୋଟିର ସମ୍ପତ୍ତି ଜବତ ହେବ

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ସମ୍ପତ୍ତି ଜବତ କରିବାକୁ ଏକ ସ୍ବତନ୍ତ୍ର କୋର୍ଟ ନିର୍ଦେଶ ଦେଇଛନ୍ତି। ନିରବଙ୍କ ୧୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାକୁ ମନି ଲଣ୍ଡରିଂ ମାମଲାଗୁଡ଼ିକର ଶୁଣାଣି କରୁଥିବା ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ବିରୋଧରେ ଆବେଦନ କରିବା ଲାଗି ନିରବଙ୍କ ପାଖରେ ୩୦ ଦିନର ସମୟ ରହିଛି। ଯଦି ସେହି ସମୟ ଭିତରେ ସେ ଆବେଦନ କରିବାରେ ବିଫଳ ହେବେ ତେବେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ ଆୟକର ବିଭାଗ ପକ୍ଷରୁ ତାଙ୍କ ସମ୍ପତ୍ତିଗୁଡ଼ିକୁ ଜବତ କରାଯିବ। ୨୦୧୯ ଡିସେମ୍ବରରେ ଏହି କୋର୍ଟ ନିରବଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଥିଲା। ଗତବର୍ଷ ମାର୍ଚ୍ଚ ୧୯ରେ ବ୍ରିଟେନ୍‌ରେ ଗିରଫ ହୋଇଥିବା ନିରବ ସେଠାକାର ୱଣ୍ଡସ୍‌ୱର୍ଥ ଜେଲ୍‌ରେ ଅଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତ ସରକାର ଆବେଦନ କରିଥିବା ବେଳେ ଏହା ବିରୋଧରେ ନିରବ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ଗତ ମେ’ ୧୪ରେ ‌ଲଣ୍ଡନର ୱେଷ୍ଟମିନିଷ୍ଟରଙ୍କ ମାଜିଷ୍ଟ୍ରେଟ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ତାଙ୍କ ରିମାଣ୍ଡ ଅବଧିକୁ କୋର୍ଟ ବାରମ୍ବାର ବୃଦ୍ଧି କରୁଥିବା ବେଳେ ଜାମିନ ଆବେଦନକୁ ଖାରଜ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ନିରବ ଓ ତାଙ୍କ ମାମୁଁ ତଥା ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ପିଏନ୍‌ବିର ମୁମ୍ବାଇରେ ଥିବା ଏକ ଶାଖାରେ ଲେଟର ଅଫ୍ ଅଣ୍ଡରଟେକିଂକୁ(ଏଲ୍‌ଓୟୁ) ବ୍ୟବହାର କରି ପ୍ରାୟ ୧୪ ହଜାର କୋଟି ଟଙ୍କାର ଠକେଇ କରିଥିଲେ। ଏହି ଘଟଣାର ପର୍ଦାଫାଶ ହେବା ପୂର୍ବରୁ ସେମାନେ ଦେଶ ଛାଡ଼ି ପଳାଇଥିଲେ। ଦୀର୍ଘଦିନ ପର୍ଯ୍ୟନ୍ତ ବ୍ରିଟେନ୍‌ରେ ଲୁଚି ରହିବା ପରେ ସେଠାକାର ଏକ ବ୍ୟାଙ୍କକୁ ଖାତା ଖୋଲିବା ଲାଗି ଆସିଥିବା ବେଳେ ନିରବ ବ୍ରିଟେନ୍ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ସେହିଦିନଠାରୁ ସେ ଜେଲ୍‌ରେ ରହୁଛନ୍ତି। ତାଙ୍କ ମାମୁଁ ମେହୁଲ ଆଣ୍ଟିଗୁଆରେ ଲୁଚିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର