ନିରବଙ୍କୁ ଆମେରିକା ଅଦାତଲରେ ଝଟ୍‌କା

ମେହୁଲ୍‌ଙ୍କୁ ଭାରତ ଆଣିବା ବାଟ ଫିଟୁଛି

ନୂଆଦିଲ୍ଲୀ: ହୀରା ଗହଣା ବ୍ୟବସାୟୀ ତଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କୁ ଆମେରିକାର ଏକ ଅଦାଲତ ବଡ଼ ଝଟ୍‌କା ଦେଇଛନ୍ତି। ନିରବ ଆମେରିକାରେ ବିକ୍ରି କରିଥିବା ସମ୍ପତ୍ତି ଉପରେ ପିଏନ୍‌ବି ଦାବି କରିପାରିବ ବୋଲି ଆମେରିକାରେ ଦେବାଳିଆ ମାମଲାର ବିଚାର କରୁଥିବା ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ନିରବ ମୋଦୀ ଓ ଅନ୍ୟ ୪ ଜଣ ସହ ଅଭିଯୁକ୍ତଙ୍କ ବିରୋଧରେ ସମନ୍‌ ଜାରି କରିବା ଲାଗି ମଧ୍ୟ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି।

ନିରବ ମୋଦୀଙ୍କ ବିରୋଧରେ ଏଭଳି ଦୁଇଟି ରାୟ ଗୁରୁବାର ରାତିରେ ଆସିଛି। ଭାରତ ସରକାରଙ୍କ ପାଇଁ ଏହି ଦୁଇଟି ରାୟ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି। ଭାରତରେ ଏକାଧିକ ବ୍ୟାଙ୍କର ଋଣ ପରିଶୋଧ ନକରି ଲଣ୍ଡନ ପଳାଇଥିବା ବିଜୟ ମାଲ୍ୟାଙ୍କ ବିରୋଧରେ ବ୍ରିଟେନ୍‌ ହାଇକୋର୍ଟ ରାୟ ଦେବାର କିଛିଦିନ ପରେ ଆମେରିକାର ଅଦାଲତ ନିରବ ମୋଦୀଙ୍କ ବିରୋଧରେ ଏପ୍ରକାର ରାୟ ଦେଇଛନ୍ତି। ଆମେରିକାରେ ଦେବାଳିଆ ମାମଲାର ବିଚାର କରୁଥିବା ଅଦାଲତଙ୍କ ଏହି ନିର୍ଦେଶ ପରେ ନିରବ ଅଦାଲତରେ ହାଜର ହେବେ କିମ୍ବା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଯଦି ସେ ଅଦାଲତରେ ହାଜର ହୁଅନ୍ତି ଓକିଲମାନେ ତାଙ୍କୁ ପିଏନ୍‌ବିର ଅର୍ଥ ତୋସରପାତ ଓ ଅନ୍ୟତ୍ର ଅର୍ଥ ପ୍ରେରଣ ସମ୍ପର୍କରେ ପ୍ରଶ୍ନ ପଚାରିବେ। ଏଥିସହିତ ଏହି ଜାଲିଆତି କିଭଳି ସେ କରିଛନ୍ତି ସେ ନେଇ ମଧ୍ୟ ପଚାରିବେ। ନିରବ ମୋଦୀଙ୍କ ସମେତ ଏହି ମାମଲାରେ ତାଙ୍କର ସହଯୋଗୀ ମିହିର ବନ୍‌ସାଲି, ରାଖି ବନ୍‌ସାଲି, ଅଜୟ ଗାନ୍ଧୀ ଏବଂ କୁନାଲ ପଟେଲଙ୍କ ବିରୋଧରେ ସମନ୍‌ ଜାରି ହୋଇଛି। ଚଳିତ ବର୍ଷ ଫେବ୍ରୁଆରି ୨୬ରେ ଦେବାଳିଆ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିରବ ମୋଦୀ କରିଥିବା ଆବେଦନ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ପିଏନ୍‌ବି ଆବେଦନ କରିଥିଲା। ସମ୍ପତ୍ତି ବିକ୍ରି ପ୍ରକ୍ରିୟାରେ ପିଏନ୍‌ବିକୁ ଏକ ପକ୍ଷ କରିବା ଲାଗି ଆବେଦନ କରିଥିଲା। ନିରବଙ୍କ ଫାୟାରଷ୍ଟାର ଇଣ୍ଟରନ୍ୟାସନାଲ୍‌ କମ୍ପାନିରେ ମିହିର ବନ୍‌ସାଲି ଜଣେ ବରିଷ୍ଠ ଅଧିକାରୀଭାବେ କାର୍ଯ୍ୟ କରୁଥିଲେ। ରାଖି ବନ୍‌ସାଲି ହେଉଛନ୍ତି ମିହିରଙ୍କ ପତ୍ନୀ। ଅଜୟ ଗାନ୍ଧୀ ଏବଂ କୁନାଲ ପଟେଲ୍‌ ଆମେରିକାରେ ନିରବଙ୍କ କମ୍ପାନିରେ ବରିଷ୍ଠ ଅଧିକାରୀଭାବେ କାର୍ଯ୍ୟ କରୁଥିଲେ।

ମେହୁଲ୍‌ଙ୍କୁ ଭାରତ ଆଣିବା ବାଟ ଫିଟୁଛି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମହାଠକେଇର ଅନ୍ୟତମ ଅଭିଯୁକ୍ତ ତଥା ନିରବ ମୋଦିଙ୍କ ମାମୁ ମେହୁଲ୍‌ ଚୋକ୍‌ସି ଆଣ୍ଟିଗୁଆରେ ବାସ କରୁଛନ୍ତି। ଏପରିକି ସେହି ଦେଶର ନାଗରିକ ମଧ୍ୟ ହୋଇସାରିଛନ୍ତି। ଆଣ୍ଟିଗୁଆ ସରକାର ଗତବର୍ଷ ନଭେମ୍ବରରେ ତାଙ୍କୁ ନାଗରିକତ୍ୱ ପ୍ରଦାନ କରିଥିବା ବେଳେ ସେ ଚଳିତମାସରେ ସେହି ଦେଶକୁ ଯାଇ ବାସ କରୁଛନ୍ତି। ତେବେ ତାଙ୍କୁ ଭାରତକୁ ଆଣିବା ନେଇ କିଛିଟା ଆଶା ସଞ୍ଚାର ହୋଇଛି। ଆଣ୍ଟିଗୁଆର ବୈଦେଶିକ ମନ୍ତ୍ରୀ ଇପି ସେଟ୍‌ ଗ୍ରିନି କହିଛନ୍ତି, ଭାରତ ସରକାରଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଦେଶ ମେହୁଲ୍‌ଙ୍କ ପ୍ରତ୍ୟର୍ପଣ ନେଇ କୌଣସି ଅନୁରୋଧ ପାଇନାହିଁ। ଭାରତ ସହିତ ଆଣ୍ଟିଗୁଆର କୌଣସି ପ୍ରତ୍ୟର୍ପଣ ଚୁକ୍ତି ହୋଇ ନଥିଲେ ମଧ୍ୟ ଆଇନଗତ ପ୍ରକ୍ରିୟାରେ ଭାରତ ସରକାର ଅନୁରୋଧ କରିଲେ ଆମେ ତାହାକୁ ସମ୍ମାନ ଜଣାଇବୁ ବୋଲି ଗ୍ରିନି କହିଛନ୍ତି।

ସମ୍ବନ୍ଧିତ ଖବର