ନିରବଙ୍କ ସମ୍ପ୍ରଦାୟ ଗୋଟିଏ ପରିବାର ଭଳି ଚଳନ୍ତି

ନିଜ ସମ୍ପ୍ରଦାୟରେ ବାହା ହୁଅନ୍ତି, ସମ୍ପୂର୍ଣ୍ଣ ନିରାମିଷାଶୀ

ମୁମ୍ବାଇ: ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ଯେଉଁ ସମ୍ପ୍ରଦାୟରୁ ଆସିଛନ୍ତି ସେମାନେ କେବେ ହେଲେ କାହାର କ୍ଷତି କରନ୍ତି ନାହିଁ। ସମ୍ପ୍ରଦାୟର ପ୍ରାୟ ସମସ୍ତେ ଧନୀ। ଏକାଠି ଖାଇବା, ଏକାଠି ପ୍ରାର୍ଥନା କରିବା, ଏକାଠି ରହିବାକୁ ସେମାନେ ଭଲ ପାଆନ୍ତି। ପୂରା ସମ୍ପ୍ରଦାୟ ଗୋଟିଏ ପରିବାର ଭଳି ରହୁଛନ୍ତି। ସେମାନେ ହେଉଛନ୍ତି ପାଲନ୍‌ପୁରୀ ଜୈନ। ସେମାନଙ୍କ ପାଖରେ ହିଂସାର କୌଣସି ସ୍ଥାନ ନାହିଁ। ଦାଦା, ମାମୁ, ପୁତୁରା, ଝିଆରି, ଭଜଣା, ଭାଣିଜୀ ସମସ୍ତେ ବାନ୍ଧି ହୋଇ ରହିବାକୁ ଭଲ ପାଆନ୍ତି। ପାଲ୍‌ନପୁରୀ ସମ୍ପ୍ରଦାୟର ଯୁବକଯୁବତୀମାନେ ନିଜ ସମ୍ପ୍ରଦାୟରେ ହିଁ ବିବାହ କରନ୍ତି। ସେମାନେ ସମ୍ପୂର୍ଣ୍ଣ ନିରାମିଷାଶୀ। ସେମାନେ ଯେଉଁଠାରେ ବସବାସ କରନ୍ତି ତାହାର ଆଖପାଖରେ ମଧ୍ୟ ଆମିଷ ପୂରାଇ ଦିଅନ୍ତି ନାହିଁ। ସମାଜ ହେଉ କିମ୍ବା ବ୍ୟବସାୟ- ପାଲନପୁରୀ ଜୈନମାନେ ଗୋଟିଏ ପରିବାର ହୋଇ ଚଳିବାକୁ ଭଲ ପାଆନ୍ତି। ଏହି ସମ୍ପ୍ରଦାୟର ଲୋକମାନେ ଅନ୍ୟ ସମ୍ପ୍ରଦାୟରେ ଏଥିପାଇଁ ବିବାହ କରନ୍ତି ନାହିଁ। କାରଣ ବାହାର ସମ୍ପ୍ରଦାୟର କୌଣସି ବ୍ୟକ୍ତି ସେମାନଙ୍କୁ ସହଜରେ ବୁଝିପାରିବେ ନାହିଁ ବୋଲି ଭାବନ୍ତି। କାହାର ବାହାଘର ହେଲେ କିମ୍ବା କାହାର ମୃତ୍ୟୁ ହେଲେ ସମ୍ପ୍ରଦାୟର ସମସ୍ତେ ଏକଜୁଟ ହୁଅନ୍ତି। ଭଜଣା ଭାଣିଜୀ ଘରକୁ ଆସିଲେ ମାମୁମାନେ ତାଙ୍କୁ ଲଫାପା ଭିତରେ ଟଙ୍କା ଦେବାକୁ ଭୁଲନ୍ତି ନାହିଁ। ଛୋଟମାନଙ୍କ ପ୍ରତି ବଡ଼ମାନଙ୍କର ଏହା ହେଉଛି ସବୁଦିନିଆ ସ୍ନେହ ଏବଂ ପୃଷ୍ଠପୋଷକତା। ପାଲନପୁରୀ ବ୍ୟବସାୟୀମାନେ ନିଜ ସମ୍ପ୍ରଦାୟର ଲୋକମାନଙ୍କୁ ହିଁ କର୍ମଚାରୀ ଭାବେ ନିଯୁକ୍ତ କରିଥାନ୍ତି। ଷାଠିଏ ଓ ସତୁରୀ ଦଶକ ବେଳକୁ ସେମାନେ ଜଣକ ପରେ ଜଣେ ବେଲ୍‌ଜିୟମ୍‌ରୁ ଭାରତ ଆସିଥିଲେ। ଏବେ ସେମାନେ ଗୁଜୁରାଟର ସ୍ଥାୟୀ ବାସିନ୍ଦା। ଭାରତର ୯୦% ହୀରା କାରବାର ସେମାନଙ୍କ କବ୍‌ଜାରେ ରହିିଛି। ଦକ୍ଷିଣ ମୁମ୍ବାଇରେ ମଧ୍ୟ ସେମାନଙ୍କ ସମ୍ପ୍ରଦାୟର ଅନେକ ଲୋକ ବାସ କରୁଛନ୍ତି। ମୁମ୍ବାଇ ଏବଂ ବେଲ୍‌ଜିୟମ୍‌ର ଅର୍ନ୍ତେପ୍‌ ମଧ୍ୟରେ ସେମାନେ ସବୁ ବେଳେ ଯାତାୟାତ କରୁଥାନ୍ତି। ପାଲାନ୍‌ପୁରୀ ଜୈନ ପରିବାରର ପିଲାମାନେ ଅଧିକ ପାଠ ପଢ଼ନ୍ତି ନାହିଁ। ଦ୍ୱାଦଶ ଶ୍ରେଣୀ ପାସ୍‌ କରିଯିବା ଯଥେଷ୍ଟ। ଯଦି କେହି ବିକମ୍‌ ପାସ୍‌ କରନ୍ତି ତେବେ ତାଙ୍କ ସମ୍ପ୍ରଦାୟ ପକ୍ଷରୁ ସୃଷ୍ଟି କରାଯାଇଥିବା ସ୍ୱତନ୍ତ୍ର େଓ୍ଵବସାଇଟ୍‌ରେ ତାଙ୍କ ନାମ ସ୍ଥାନ ପାଏ। ବିକମ୍‌ ଡିଗ୍ରିକୁ ଏକ ବଡ଼ ଧରଣର ଉପଳବ୍ଧି ଭାବେ ସେମାନେ ବିଚାର କରନ୍ତି।

ମାମୁ, ଭଣଜାଙ୍କ ବିଦେଶ ସଂପତ୍ତି ଉପରେ ଇଡିର ନଜର
୧୭ ଦେଶକୁ ଅନୁରୋଧ ପତ୍ର ପଠାଯିବ

ମୁମ୍ବାଇ/ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ୧୧,୪୦୦ କୋଟି ଟଙ୍କା ଠକେଇ ଘଟଣାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ଏହାର ତଦନ୍ତକୁ ବ୍ୟାପକ କରିବ। ବିଦେଶରେ ଏମାନେ ଚଳାଇଥିବା ବ୍ୟାବସାୟିକ କାରବାର ସମେତ ବିଦେଶରେ ଥିବା ସମ୍ପତ୍ତିକୁ ଖୋଜିବ। ବିଦେଶରେ ଥିବା ସଂପତ୍ତି ବିଷୟରେ ତଥ୍ୟ ପାଇବା ପାଇଁ ଇଡି ଏକ ଡଜନେରୁ ଅଧିକ ଦେଶକୁ ଆଇନଗତ ଅନୁରୋଧପତ୍ର ପଠାଇବ। ଇଡି ମୁମ୍ବାଇର ଏକ ଅଦାଲତରେ ଏଥିପାଇଁ ଲେଟର୍ସ ରୋଗୋଟୋରିଜ୍‌ ହାସଲ ପାଇଁ ଆବେଦନ କରିବ। ଏହି ଚିଠିଗୁଡ଼ିକୁ ଇଡି ୧୫ରୁ ୧୭ଟି ଦେଶକୁ ପଠାଇବ। ନିରବ ମୋଦି, ତାଙ୍କ ମାମୁ ମେହୁଲ ଚୋକ୍‌ସି ଓ ସେମାନଙ୍କ ସହ ଜଡ଼ିତ କଂପାନି ଯେଉଁସବୁ ଦେଶରେ ହୀରା ଓ ସୁନା ଗହଣା ବ୍ୟବସାୟ କରୁଥିବା ସୂଚନା ଇଡି ପାଇଛି ସେସବୁ ଦେଶକୁ ଏହି ଆଇନଗତ ଚିଠି ପଠାଇବ। ସେହି ଦେଶ ଗୁଡ଼ିକ ମଧ୍ୟରେ ବେଲଜିୟମ, ହଂକଂ, ସ୍ୱିଜରଲାଣ୍ଡ୍‌, ଆମେରିକା, ବ୍ରିଟେନ୍‌, ଦୁବାଇ, ସିଙ୍ଗାପୁର ଏବଂ ଦକ୍ଷିଣ ଆଫ୍ରିକା ରହିଛି। ଏତଦ୍‌ବ୍ୟତୀତ କେତେକ ଦେଶକୁ ଇଡି ଏହାର ପ୍ରତିପକ୍ଷ ସଂସ୍ଥାଠାରୁ ସୂଚନା ପାଇବା ପାଇଁ ଅନୁରୋଧପତ୍ର ପଠାଇବ ବୋଲି ଜଣାଯାଇଛି। ମୁଖ୍ୟତଃ ବିଦେଶରେ ଏମାନଙ୍କର ରହିଥିବା ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି, ବ୍ୟବସାୟିକ ସହଯୋଗୀ, ସୋ’ରୁମ୍‌ ଓ ଟ୍ରଷ୍ଟ ଆଦି ସମ୍ପର୍କରେ ସୂଚନା ସଂଗ୍ରହ କରାଯିବ। ବ୍ୟାଙ୍କରୁ ଜାଲିଆତି କରି ନେଇଥିବା ଅର୍ଥରେ ଯଦି ଏସବୁ ସଂପତ୍ତି ସେମାନେ କରିଥିବେ ତା’ହେଲେ ସେଗୁଡ଼ିକୁ ମନି ଲଣ୍ଡରିଂ ନିରୋଧ ଆଇନ ଅନୁଯାୟୀ ଜବତ କରାଯିବ। ଏତଦ୍‌ବ୍ୟତୀତ ଇଡି ପିଏନ୍‌ବି ସମେତ ୧୭ଟି ବ୍ୟାଙ୍କକୁ ତଥ୍ୟ ମାଗିଛି। ନିରବ, ମେହୁଲ ଓ ସେମାନଙ୍କ କଂପାନି ଏହି ସବୁ ବ୍ୟାଙ୍କରୁ କେତେ ଋଣ ନେଇଥିଲେ ଏବଂ କେତେ ସଂପତ୍ତି ବନ୍ଧକ ରଖିଥିଲେ ତାହାର ଖୋଳତାଡ଼ ଇଡି କରୁଛି।

ସେଣ୍ଟ୍‌ କିଟସ୍‌ରେ ଘର କିଣିଛନ୍ତି ନିରବ, ନାଗରିକତ୍ୱ ଗ୍ରହଣ କରିବେ, ସପରିବାର ରହିବେ

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି କାରବୀୟ ଦ୍ୱୀପ ସେଣ୍ଟ୍‌ କିଟସ୍‌ରେ ଭିଲ୍ଲା କିଣିଛନ୍ତି। ସେ ନିଜ ପରିବାର ସହ ସେଠାରେ ରହିବାକୁ ମନ ସ୍ଥିର କରିଛନ୍ତି। ସେଣ୍ଟ୍‌ କିଟସ୍‌ ସହିତ ଭାରତର କୌଣସି ଦ୍ୱିପାକ୍ଷିକ ଚୁକ୍ତି ନାହିଁ। ସେଥିପାଇଁ ନିରବ ସେହି ସ୍ଥାନକୁ ବାଛିଛନ୍ତି। ନିରବଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ସେଣ୍ଟ୍‌ କିଟସ୍‌ ଉପରେ ଭାରତ କୌଣସି ଚାପ ପକାଇ ପାରିବ ନାହିଁ। ରାଜ୍ୟଗୋଷ୍ଠୀର ଏକ ସଦସ୍ୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ସେଣ୍ଟ୍‌ କିଟସ୍‌ ସହିତ ଭାରତ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିନାହିଁ। ମୁମ୍ବାଇ ଏବଂ ସୁରଟର ହୀର ବ୍ୟବସାୟ ଜଗତରେ ନିରବଙ୍କୁ ନେଇ ଏଭଳି ଚର୍ଚା ଚାଲିଛି। କେତେକ ବ୍ୟବସାୟୀ କହିଛନ୍ତି ସେଣ୍ଟ୍‌ କିଟସ୍‌ରେ ବସବାସ କରିବାକୁ ନିରବ ଦୀର୍ଘ ଦିନ ଧରି ଚିନ୍ତା କରୁଥିଲେ। ଗତ ସପ୍ତାହରେ ସେ ନିଜ ପରିବାର ବର୍ଗଙ୍କ ସହିତ ସେଣ୍ଟ୍‌ କିଟସ୍‌ ବୁଲିବାକୁ ମଧ୍ୟ ଯାଇଥିଲେ। ପ୍ରତ୍ୟର୍ପଣ ଚୁକ୍ତି ଥିଲେ ଅଭିଯୁକ୍ତଙ୍କୁ ଦେଶକୁ ଫେରାଇ ଆଣିବା ସହଜ ହୋଇଥାଏ। କିନ୍ତୁ ଯେଉଁ ଦେଶ ସହିତ ଏଭଳି ଚୁକ୍ତି ନାହିଁ, ଭାରତ ସେମାନଙ୍କୁ କେବଳ ଅନୁରୋଧ କରିପାରିବ। ସେହି ଦେଶ ପ୍ରଥମେ ନିଜ ଦେଶରେ ପ୍ରଚଳିତ ଥିବା ନିୟମ ଅନୁସାରେ ଭାରତର ଅନୁରୋଧ ଠିକଠାକ୍‌ ଅଛି ନା ନାହିଁ ତାହା ଦେଖିବ। ଏହା ପରେ ଯାହା କିଛି ନିଷ୍ପତ୍ତି ନେବ। ତେଣୁ ସେଣ୍ଟ୍‌ କିଟସ୍‌ରୁ ନିରବଙ୍କୁ ଫେରାଇ ଆଣିବା ଭାରତ ପାଇଁ ସହଜ ହେବନାହିଁ ବୋଲି କୁହାଯାଇପାରିବ। କାରଦୀୟ ଦ୍ୱୀପରେ ସମ୍ପତ୍ତିରେ ନିବେଶ କଲେ ନାଗରିକତ୍ୱ ହାସଲ କରିବା ସହଜ ହୋଇଯାଏ। ସେଥିପାଇଁ ନିରବ ସେଣ୍ଟ୍‌ କିଟସ୍‌କୁ ନିଜର ବାସସ୍ଥାନ ଭାବେ ବାଛିଛନ୍ତି। କାରବୀୟ ଦ୍ୱୀପରେ ପ୍ରଚଳିତ ନିୟମ ଅନୁସାରେ ଯଦି ଜଣେ ବ୍ୟକ୍ତି ସେଠାରେ ଥିବା ହୋଟେଲ୍‌ର ସେୟାର, ଭିଲ୍ଲା କିମ୍ବା ସମ୍ମିଳିତ ୟୁନିଟ୍‌ରେ କୌଣସି ରିଅଲ ଇଷ୍ଟେଟ୍‌ ସମ୍ପତ୍ତି କିଣିବେ ତେବେ ସେ ଦେଶର ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଯୋଗ୍ୟ। ଯେହେତୁ ଭାରତ ସରକାର ନିରବଙ୍କ ପାସ୍‌ପୋର୍ଟ ରଦ୍ଦ କରିଦେଇଛନ୍ତି, ତେଣୁ ସେ ନିଜର କାରବାର ସାମ୍ରାଜ୍ୟକୁ ବିଦେଶରୁ ପରିଚାଳନା କରିବାକୁ ମନ ସ୍ଥିର କରିଛନ୍ତି। ସେ ନିଜର ହୀରା କାରବାରର କେନ୍ଦ୍ର ସ୍ଥଳ ହଂକଂ କିମ୍ବା ସିଙ୍ଗାପୁରରେ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପିଏନ୍‌ବି ଠକେଇ ବିଷୟରେ ଜଣାପଡ଼ିବା ପୂର୍ବରୁ ଜାନୁଆରି ମାସର ପ୍ରଥମ ସପ୍ତାହରେ ନିରବ, ତାଙ୍କ ଭାଇ ନିଶଲ୍‌ ଏବଂ ମାମୁଁ ମେହୁଲ ଚୋକ୍‌ସି ଦେଶ ଛାଡ଼ି ଚାଲିଯାଇଥିଲେ। ଓ୍ଵିନ୍‌ସନ୍‌ ଡାଇମଣ୍ଡ୍‌ ଗ୍ରୁପ୍‌ର ମାଲିକ ଜତିନ୍‌ ମେହ୍‌ତା ଯେଭଳି ଦେଶରୁ ଖସି ଚାଲିଯାଇଥିଲେ ନିରବ ସେଭଳି ପଦକ୍ଷେପ ସବୁ ଗ୍ରହଣ କରୁଛନ୍ତି। ଜତିନ୍‌ ମେହତା ଭାରତର ୧୫ଟି ବ୍ୟାଙ୍କରୁ ୬,୮୦୦ କୋଟି ଟଙ୍କା ଠକି ଦେଶ ଛାଡ଼ି ଚାଲିଯାଇଛନ୍ତି। ଏବେ ସେ ସେଣ୍ଟ୍‌ କିଟସ୍‌ରେ ବସବାସ କରୁଛନ୍ତି। କିଙ୍ଗଫିସର୍‌ ଏୟାରଲାଇନ୍‌ସ ପରେ ଦେଶର ଦ୍ୱିତୀୟ ବଡ଼ ବ୍ୟାଙ୍କ ଠକେଇ ଓ୍ଵିନ୍‌ସନ୍‌ ଗ୍ରୁପ୍‌ କରିଛି।

ସମ୍ବନ୍ଧିତ ଖବର