ନୂଆଦିଲ୍ଲୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ପୁନେସ୍ଥିତ ଫ୍ଲାଟ୍‌ର ନିଲାମ ଆସନ୍ତାମାସ ୩ ତାରିଖରେ ହେବ। ମୁମ୍ବାଇସ୍ଥିତ ଋଣ ଅସୁଲି ଟ୍ରିବ୍ୟୁନାଲ (ଡିଆର୍‌ଟି-୧)ର ରିକଭରି ଅଫିସର ଆଶୁ କୁମାର ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁନେସ୍ଥିତ ହାଦାପସାର ଠାରେ ୟୁପୁନେ ହାଉସିଂ ସ୍କିମର ୧୬ତମ ମହଲାର ଏଫ୧ କୋଠାରେ ନିରବଙ୍କର ଦୁଇଟି ଫ୍ଲାଟ୍‌ ପାଖାପାଖି ରହିଛି। ନିଲାମ ପାଇଁ ଗୋଟିଏ ଫ୍ଲାଟ୍‌ର ସର୍ବନିମ୍ନ ମୂଲ୍ୟ ୮.୯୯ କୋଟି ଟଙ୍କା ଥିବାବେଳେ ଅନ୍ୟ ଫ୍ଲାଟ୍‌ର ସର୍ବନିମ୍ନ ମୂଲ୍ୟ ୮.୯୩ କୋଟି ଟଙ୍କା ରଖାଯାଇଛି।

Advertisment

ଗୋଟିଏ ଫ୍ଲାଟ୍‌ ୩୯୮ ବର୍ଗମିଟର ଏବଂ ଅନ୍ୟ ଫ୍ଲାଟ୍‌ଟି ୩୯୬ ବର୍ଗମିଟର ଅଞ୍ଚଳରେ ଅଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ଘଟଣାରେ ନିରବ ମୋଦୀ ଓ ମେହୁଲ ଚୋକ୍‌ସି ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ଉକ୍ତ ସ୍କାମ୍‌ ସାମ୍ନାକୁ ଆସିବା ପୂର୍ବରୁ ସେମାନେ ଦେଶ ଛାଡ଼ି ପଳାଇଥିଲେ। ନିରବ ଲଣ୍ଡନରେ ଏବଂ ମେହୁଲ ଆଣ୍ଟିଗୁଆ ଓ ବାରବୁଡ଼ାରେ ରହୁଥିବା ବେଳେ ଧରାପଡ଼ିଛନ୍ତି। ସେମାନଙ୍କୁ ଭାରତ ଆଣିବା ଲାଗି ପ୍ରତ୍ୟର୍ପଣ ପ୍ରକ୍ରିୟା ଜାରି ରହିଛି।