ନିରବଙ୍କ ୨୪୦୦ କୋଟି ସମ୍ପତ୍ତି ନିଲାମ ହେବ! ଜାନୁଆରି ୧୦ରେ ହେବ ଶୁଣାଣି

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ପଳାତକ ଅର୍ଥନୈତିକ ‌ଅପରାଧୀ ଘୋଷଣା କରିବା ପରେ ଏବେ ତାଙ୍କର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ବିଶେଷକରି ନିରବଙ୍କ କାଲା ଘୋଡ଼ାସ୍ଥିତ ରିଦିମ୍ ହାଉସ୍ ଏବଂ ୱର୍ଲିସ୍ଥିତ ବାସଭବନ ବିକ୍ରି ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ ଅଦାଲତରେ ନିରବଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି ସେହି ଅଦାଲତରେ ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଥିବା ଆବେଦନ ଉପରେ ଶୁଣାଣି ହେବ। ନିରବଙ୍କ ୨୪୦୦ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ସହିତ ସେଗୁଡ଼ିକୁ ନିଲାମ କରିବା ପାଇଁ ଇଡି ଆବେଦନ କରାଯାଇଛି। ଏହି ମାମଲାର ଶୁଣାଣି ଆସନ୍ତାମାସ ୧୦ ତାରିଖରେ ହେବ।
ଥରେ ଏସବୁ ସମ୍ପତ୍ତି ବାଜ୍ୟାପ୍ତ ହୋଇଗଲେ ସେଗୁଡ଼ିକ ସରକାରଙ୍କ ଅଧୀନକୁ ଆସିଯିବ। ଏହାପରେ ସରକାର ସେସବୁ ସମ୍ପତ୍ତିକୁ ନିଲାମ ମାଧ୍ୟମରେ ବିକ୍ରି କରିବେ। ବିକ୍ରିଲବ୍ଧ ଅର୍ଥକୁ ଠକେଇର ଶିକାର ହୋଇଥିବା ବ୍ୟାଙ୍କକୁ ପ୍ରଦାନ କରିବେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନିରବ ମୋଦୀ,‌ମେହୁଲ ଚୋକ୍‌ସି ଓ ଅନ୍ୟ ଅଭିଯୁକ୍ତମାନେ ଜାଲ୍‌ ଏଲ୍‌ଓୟୁ ମାଧ୍ୟମରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକି ନେଇଛନ୍ତି। ଏହି ମାମଲା ପଦାକୁ ଆସିବା ନିରବ, ମେହୁଲ ସମେତ ଅନ୍ୟ ଅଭିଯୁକ୍ତମାନେ ଦେଶ ଛାଡ଼ି ବିଦେଶକୁ ପଳାଇଛନ୍ତି। ତେବେ ଚଳିତବର୍ଷ ମାର୍ଚ୍ଚ ମାସରେ ନିରବ ଲଣ୍ଡନରେ ଧରା ପଡ଼ି ଜେଲ୍‌ରେ ଅଛନ୍ତି। ଜାମିନ ପାଇଁ ସେ ଆବେଦନ କରୁଥିଲେ ମଧ୍ୟ ତାହାକୁ ଅଦାଲତ ମଞ୍ଜୁର କରୁନାହାନ୍ତି। ଏଥିସହିତ ନିରବଙ୍କୁ ଭାରତକୁ ପ୍ରତ୍ୟର୍ପଣ କରି ଆଣିବା ପାଇଁ ଭାରତ ସରକାର ଉଦ୍ୟମ ଚଳାଇଛନ୍ତି। ନିରବ ୱର୍ଲିସ୍ଥିତ ସମୁଦ୍ର ମହଲ ବିଲଡିଂରେ ୪ଟି ଫ୍ଲାଟକୁ ୧୨୫ କୋଟି ଟଙ୍କାରେ କିଣିଥିଲେ। ଏଥିରୁ ୩ଟି ଫ୍ଲାଟକୁ ନିରବ ଜଣେ ଶିଳ୍ପପତିଙ୍କ ଠାରୁ କିଣିଥିଲେ। ଏଗୁଡ଼ିକୁ ପରେ ଡୁପ୍ଲେକ୍ସରେ ପରିଣତ କରାଯାଇଛି। ଚତୁର୍ଥ ଫ୍ଲାଟକୁ ନିରବ ମଧ୍ୟ ପ୍ରଦେଶର ଜଣେ ରାଜନେତାଙ୍କ ସହ ଜଡିତ ଟ୍ରଷ୍ଟଠାରୁ କିଣିଥିଲେ। ଏଥିସହିତ ନିରବ ୨୦୧୭ରେ କର୍‌ମାଲି ପରିବାରଠାରୁ ୩୨ କୋଟି ଟଙ୍କା ବିନିମୟରେ କିଣିଥିଲେ।

ସମ୍ବନ୍ଧିତ ଖବର