ମାମୁଁ, ଭଣଜାଙ୍କ ଦାମୀ କାର୍ ନିଲାମ ହେଲା, ମିଳିଲା ୩.୨୯ କୋଟି

ନିରବଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର ଦୁଇ ପ୍ରମୁଖ ଅଭିଯୁକ୍ତ ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ୧୨ଟି କାରର ନିଲାମ କରାଯାଇଛି। ସରକାରଙ୍କୁ ଏ ବାବଦରେ ୩ କୋଟି ୨୯ ଲକ୍ଷ ଟଙ୍କା ମିଳିଛି ବୋଲି ପ୍ରବର୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ କୁହାଯାଇଛି। ଅତୀତରେ ଇଡି ପକ୍ଷରୁ ମନି ଲଣ୍ଡରିଂ ନିରୋଧ ଆଇନ ଅନୁଯାୟୀ ଜବତ କରାଯାଇଥିଲା। ଗତ ମାର୍ଚରେ ମୁମ୍ବାଇର ସ୍ବତନ୍ତ୍ର ପିଏମଏଲଏ ଅଦାଲତ ଏହି କାର ଗୁଡ଼ିକର ନିଲାମ ପାଇଁ ଇଡିକୁ ଅନୁମତି ଦେଇଥିଲେ। ଏହି ଇ-ନିଲାମ ମେଟାଲ ସ୍କ୍ରାପ୍ ଟ୍ରେଡ କର୍ପୋରେସନ (ଏମଏସଟିସି) ପକ୍ଷରୁ ଡକାଯାଇଥିଲା। ଏଥିରେ ୧୩ଟି କାର ରହିଥିଲା। ୧୩ଟି କାର ମଧ୍ୟରୁ ଭଣଜା ନିରବଙ୍କର ୧୧ଟି କାର ହୋଇଥିଲା ବେଳେ ମାମୁଁ ମେହୁଲଙ୍କର ୨ଟି କାର୍ ରହିଛି। ଏମଏସଟିସି ନିଲାମ ସାଇଟରେ ଏହାକୁ ଗତ ୨୫ ତାରିଖରେ ରଖାଯାଇଥିଲା। ତେବେ ୧୩ଟି କାର ମଧ୍ୟରୁ ୧୨ଟି କାରର ବିକ୍ରି ହୋଇଛି। ଏ ବାବଦରେ ୩ କୋଟି ୨୮ ଲକ୍ଷ ୯୪ ହଜାର ୨୯୩ ଟଙ୍କା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଆୟକର ବିଭାଗ ଗତମାସରେ ନିରବଙ୍କ କେତେକ କଳାକୃତିର ନିଲାମ କରି ଏ ବାବଦରେ ୫୯ କୋଟି ୨୭ ଲକ୍ଷ ଟଙ୍କା ପାଇଥିଲା।

ନିରବଙ୍କୁ ମିଳିଲାନି ଜାମିନ
ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମ‌ହାଠକେଇର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀଙ୍କୁ ଜାମିନ ପ୍ରଦାନ କରିବାକୁ ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଆଜି ମନା କରିଦେଇଛନ୍ତି। ମୁଖ୍ୟ ବିଚାରପତି ଏମା ଆର୍ବଥନଟ୍‌ଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ବିଚାର ଆଜି ହୋଇଥିଲା। ୱାଣ୍ଡସୱର୍ଥ ଜେଲ୍‌ରେ ନିରବ ଏବେ ଅଛନ୍ତି। ନିରବଙ୍କ ଆଜିର ଶୁଣାଣିକୁ ଖଣ୍ଡପୀଠ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କରିଥିଲେ। ତେବେ ସେ ନିରବ ମୋଦୀ କି ବୋଲି ପଚାରାଯାଇଥିଲା। ସେ ହଁ କହିବା ବ୍ୟତୀତ ଅନ୍ୟ କିଛି କହି ନଥିଲେ। କିଛି ସମୟ ପାଇଁ ହୋଇଥିବା ଏହି ଶୁଣାଣିରେ ମୁଖ୍ୟ ବିଚାରପତି କହିଥିଲେ ମୋଦୀ ତୁମକୁ ଆସନ୍ତାମାସ ୨୪ ତାରିଖରେ ଆଉଥରେ ଭିଡିଓଲିଙ୍କ୍ ମାଧ୍ୟମରେ ଶୁଣାଣି ପାଇଁ ଆସିବାକୁ ପଡ଼ିବ। ତେବେ ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଆସନ୍ତା ୩୦ରେ ହେବା ପାଇଁ ଯୋଜନା କରାଯାଇଛି। ସେତେବେଳେ ତୁମେ ବ୍ୟକ୍ତିଗତ ଭାବେ ହାଜର ହେବ ବୋଲି ବିଚାରପତି କହିଥିଲେ। ଆଜିକୁ ମିଶାଇଲେ ବିଚାରପତି ତୃତୀୟ ଥର ପାଇଁ ନିରବଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସ୍କଟଲାଣ୍ଡ ପୁଲିସ ଗତ ମାର୍ଚ ୧୯ ତାରିଖରେ ନିରବଙ୍କୁ ଗିରଫ କରିବା ସହିତ ଅଦାଲତରେ ହାଜର କରିଥିଲେ। ସେହିଦିନ ନିରବଙ୍କ ପକ୍ଷରୁ ଜାମିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ତାହାକୁ ବିଚାରପତି ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏହାପରେ ମାର୍ଚ ୨୯ ତାରିଖରେ ଦ୍ବିତୀୟ ଥର ପାଇଁ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ‌ତାଙ୍କୁ ‌ଛାଡ଼ି ଦେଲେ ସେ ଆତ୍ମ ସମର୍ପଣ ନକରିବାର ବିପଦ ରହିଥିବାରୁ ତାଙ୍କ ଜାମିନକୁ ବିଚାରପତି ଖାରଜ କରିଦେଇଥିଲେ। ପରବର୍ତୀ ଶୁଣାଣି ଆସନ୍ତାମାସ ୨୪ ତାରିଖରେ ହେବାକୁ ଥିବାରୁ ନିରବ ଏବେ ପୁଣି ଆଉ ୨୮ ଦିନ ଜେଲରେ ରହିବେ।

ସମ୍ବନ୍ଧିତ ଖବର