ନିରବଙ୍କ ବଙ୍ଗଳା ଭଙ୍ଗାହେଲା

ବେଆଇନ ନିର୍ମାଣ ହୋଇଥିଲା, ପୂର୍ବରୁ ସିଲ୍ କରିଥିଲା ଇଡି, ଅତିଥିଙ୍କୁ ଏଠାରେ ଦିଆଯାଉଥିଲା ଭୋଜି

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ରାଇଗଡ ଜିଲ୍ଲାସ୍ଥିତ ଅଲିବାଗ୍ ବିଚ୍‌‌ରେ ବେଆଇନ ଭାବେ ନିର୍ମାଣ ହୋଇଥିବା ବଙ୍ଗଳାକୁ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି। ଜିଲ୍ଲାପାଳ ବିଜୟ ସୂର୍ଯ୍ୟବଂଶୀ ଏହି ବଙ୍ଗଳାକୁ ଭାଙ୍ଗିବା ଲାଗି ନିର୍ଦେଶ ଦେଇଛନ୍ତି। ଫେରାର ହେବା ପୂର୍ବରୁ ଏହି ବଙ୍ଗଳାରେ ନିରବ ତାଙ୍କ ଅତିଥିମାନଙ୍କୁ ପାର୍ଟି ଦେଉଥିଲେ। ୨୦ ହଜାର ବର୍ଗଫୁଟ ପରିମିତ ଜମିରେ ଏହି ବଙ୍ଗଳା ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବା ଲାଗି ୩ରୁ ୪ ଦିନ ଲାଗିବ ବୋଲି ଅନୁମାନ କରାଯାଉଛି। ଜିଲ୍ଲା ପ୍ରଶାସନ ଏହି ଅଂଚଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୨୦୨ଟି ବଙ୍ଗଳାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଦେଇଛି। ରାଇଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏହି ବଙ୍ଗଳାକୁ ଯାଞ୍ଚ କରିବା ପରେ ଏହି କୋଠାକୁ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଘୋଷେଣା କରିଥିଲା। ପୂର୍ବରୁ ଏହି ବଙ୍ଗଳାକୁ ପ୍ରବର୍ତନ ନିର୍ଦେଶାଳୟ (ଇଡି) ସିଲ୍ କରିଥିଲା। ସିଲ୍ ହୋଇଥିବା ଏହି କୋଠାକୁ ଭାଙ୍ଗିବା ପାଇଁ ଅନୁମତି ଲୋଡ଼ି ରାଜ୍ୟ ସରକାର ପୂର୍ବରୁ ଇଡିକୁ ଚିଠି ଲେଖିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଗତମାସରେ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଥିଲେ ଯେ, ଯଦି ନିରବଙ୍କ ବଙ୍ଗଳା ବେଆଇନ ଭାବେ ନିର୍ମାଣ ହୋଇଛି ତାହେଲେ ତାହାକୁ ଭାଙ୍ଗି ଦିଆଯିବା ଉଚିତ। ବେଆଇନ ଭାବେ ସମୁଦ୍ର କୂଳରେ ନିର୍ମାଣ ହୋଇଥିବା କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ଶମ୍ଭୁରାଜେ ଯୁବକ୍ରାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର