ନିରବଙ୍କ ୪ ସ୍ବିସ୍‌ ବ୍ୟାଙ୍କ ଖାତା ଜବତ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରୁ ୧୪ ହଜାର କୋଟି ଟଙ୍କାର ଠକେଇ କରି ଦେଶ ଛାଡ଼ି ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ଭଉଣୀ ପୂର୍ବୀ ମୋଦୀଙ୍କ ଚାରିଟି ସ୍ବିସ୍‌ ବ୍ୟାଙ୍କ ଖାତାକୁ ସ୍ବିଜରଲ୍ୟାଣ୍ଡ୍‌ କର୍ତ୍ତୃପକ୍ଷ ଜବତ କରିଛନ୍ତି। ନିରବଙ୍କ ବିରୋଧରେ ଭାରତରେ ଅପରାଧିକ ମନି ଲଣ୍ଡରିଂ ମାମଲା ଚାଲିଛି। ତାହାକୁ ବିଚାରକୁ ନେଇ ଏହି ଚାରିଟି ବ୍ୟାଙ୍କ ଖାତା ଜବତ କରାଯାଇଛି ଯେଉଁଥିରେ ସମୁଦାୟ ୨୮୩.୧୬ କୋଟି ଟଙ୍କା ଥିବା ଜଣାପଡ଼ିଛି। ପ୍ରବର୍ତ୍ତନ ନି‌ର୍ଦେଶାଳୟ (ଇଡି) ପକ୍ଷରୁ ସ୍ବିଜରଲ୍ୟାଣ୍ଡ୍‌କୁ ନିରବଙ୍କ ବିଷୟରେ ଅବଗତ କରାଯାଇଥିଲା। ତାଙ୍କ ଖାତାରେ ଯେଉଁ ଜମାରାଶି ରହିଛି ତାହା ଅପରାଧିକ ଉପାୟରେ ଅର୍ଜନ କରାଯାଇଛି ବୋଲି ଇଡି ଜଣାଇବା ପରେ ସ୍ବିସ୍ କର୍ତ୍ତୃପକ୍ଷ ଖାତା ଜବତ କରିବା ଭଳି ନିଷ୍ପତ୍ତି ନେଇଛନ୍ତି। ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍‌ଏ) ଅଧୀନରେ ଏହି ଖାତାଗୁଡ଼ିକୁ ଜବତ କରିବା ପାଇଁ ଇଡି ପକ୍ଷରୁ ପ୍ରକ୍ରିୟା‌ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ସେହିପରି, ଅନ୍ୟ ଏକ ଘଟଣାକ୍ରମରେ, ବ୍ରିଟେନ୍‌ର ଜେଲ୍‌ରେ ଅଟକ ଥିବା ନିରବ ମୋଦୀଙ୍କ ବିଚାର ବିଭାଗୀୟ ହାଜତ ମହଲତକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗତ ମାର୍ଚରେ ଗିରଫ ହୋଇ ଜେଲ୍‌ରେ ଥିବା ନିରବଙ୍କ ଜାମିନ ଆବେଦନକୁ ବ୍ରିଟେନ୍‌ କୋର୍ଟ ବାରମ୍ବାର ଖାରଜ କରୁଛନ୍ତି।

ସମ୍ବନ୍ଧିତ ଖବର