ରାଜ୍ୟଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ଦେଲା ୩୫ ହଜାର କୋଟି

ନିର୍ମଳାଙ୍କ ପ୍ରାକ୍ ବଜେଟ୍ ଆଲୋଚନା ଆରମ୍ଭ

ଜିଏସ୍‌ଟି ପରିଷଦ ବୈଠକ ଦିନକ ପୂର୍ବରୁ ଦେଲେ କ୍ଷତିପୂରଣ

ନୂଆଦିଲ୍ଲୀ/ଭୁବନେଶ୍ବର: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ଆଜି ୩୫ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜିଏସଟି ପରିଷଦର ଦୁଇ ଦିନିଆ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ କେନ୍ଦ୍ର ସରକାର ଆଜି ଏହି ରାଶି ପ୍ରଦାନ କରିଥିବା କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଶି ରିଲିଜ୍ କରାଯାଇଥିବା ସମ୍ପର୍କରେ କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଆଜି ଟ୍ବିଟ୍ କରାଯାଇଛି। କେନ୍ଦ୍ର ସରକାର ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ପ୍ରଦାନ କରିବାରେ ବିଳମ୍ବ କରୁଥିବା ଅଭିଯୋଗ ନିକଟ ଅତୀତରେ କେତେକ ରାଜ୍ୟ ଆଣିଥିଲେ। ଏଥିଯୋଗୁ ରାଜ୍ୟ ଗୁଡ଼ିକର ବିକାଶମୂଳକ କାର୍ଯ୍ୟ ମଧ୍ୟ ବ୍ୟାହତ ହେଉଛି ବୋଲି ଅଭିଯୋଗ କରାଯାଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ କେତେକ ରାଜ୍ୟର ଅର୍ଥମନ୍ତ୍ରୀ ଏବଂ ଅଧିକାରୀମାନେ ଭେଟି ଜିଏସଟି କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଥିଲେ। ସିବିଆଇସି ପକ୍ଷରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ପ୍ରଦାନ କରିବା ସଂକ୍ରାନ୍ତ ଟ୍ବିଟ୍ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ସରକାର ରାଜ୍ୟଗୁଡ଼ିକୁ କ୍ଷତିପୂରଣ ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯିବେ ନାହିଁ। ତେବେ ଜିଏସଟି ଆଦାୟ ମନ୍ଥର ଥିବା ଯୋଗୁ କ୍ଷତିପୂରଣ ପ୍ରଦାନ ବିଳମ୍ବ ହୋଇଛି। ରାଜ୍ୟଗୁଡ଼ିକ ଏ ନେଇ ‌ଚିନ୍ତିତ ହେବା ଉଚିତ ନୁହେଁ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା ମଧ୍ୟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ୧୧୯୪ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ରାଶି ପାଇ ନଥିଲା। ବାରମ୍ବାର କେନ୍ଦ୍ରକୁ ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା। କିନ୍ତୁ ତାହା ପ୍ରଦାନ କରାଯାଇଥିଲା। ଏହାକୁ ନେଇ ସରକାର ଚିନ୍ତାରେ ଥିଲେ। ଉଲ୍ଲେଖଯୋଗ୍ୟ, ଜିଏସଟି କ୍ଷତିପୂରଣ ଆଇନ ୨୦୧୭ର ବ୍ୟବସ୍ଥା ଅନୁଯାୟୀ, ରାଜ୍ୟଗୁଡ଼ିକର ଜିଏସଟି ଆଦାୟ ଅଭିବୃଦ୍ଧି ୧୪ ପ୍ରତିଶତରୁ କମ୍ ରହିଲେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ୫ ବର୍ଷ ପାଇଁ କ୍ଷତିପୂରଣ ପ୍ରଦାନ କରିବେ। ତେଣୁ ୨୦୨୨ ମସିହା ପର୍ଯ୍ୟନ୍ତ ରାଜ୍ୟ ଗୁଡ଼ିକ ଏହି କ୍ଷତିପୂରଣ କେନ୍ଦ୍ରଠାରୁ ପାଇବେ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପ୍ରତି ୨ ମାସରେ ଥରେ ଏହି କ୍ଷତିପୂରଣ ରାଜ୍ୟଗୁଡ଼ିକୁ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ଜିଏସଟି ପରିଷଦର ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ପ୍ରଥମ ଦିନ ଅଧିକାରୀସ୍ତରୀୟ ବୈଠକ ‌ଥିବାବେଳେ ବୁଧବାର ଜିଏସଟି ପରିଷଦର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଜିଏସଟି କ୍ଷତିପୂରଣ ରାଶି ଏପର୍ଯ୍ୟନ୍ତ ମିଳି ନଥିବାରୁ ବୈଠକରେ ରାଜ୍ୟଗୁଡ଼ିକ ପାଟିତୁଣ୍ଡ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କେ‌ନ୍ଦ୍ର ସରକାର ଏହି କ୍ଷତିପୂରଣ ରାଶି ପ୍ରଦାନ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏତଦବ୍ୟତୀତ ଜିଏସଟି ହାରକୁ ବଢ଼ାଇବା ସମ୍ପର୍କରେ ମଧ୍ୟ ପରିଷଦରେ ନିଷ୍ପତ୍ତି ‌ନିଆଯିବାର ସମ୍ଭାବନା ରହିଛି। ଜିଏସଟି ଠକେଇକୁ କିଭଳି ରୋକାଯାଇ ଅଧିକ ରାଜସ୍ବ ଆଦାୟ ହେବ ତାହା ଉପରେ ମଧ୍ୟ ପରିଷଦ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ୫ ପ୍ରତିଶତ ସ୍ଲାବକୁ ୮ ପ୍ରତିଶତ କରିବା ପାଇଁ ସରକାର ଯୋଜନା ରଖିଥିବା ଚର୍ଚ୍ଚା ହେଉଛି। ଏହା ହେଲେ ଦେଶରେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଯିବା ଆଶଙ୍କା ରହିଛି।

ନିର୍ମଳାଙ୍କ ପ୍ରାକ୍ ବଜେଟ୍ ଆଲୋଚନା ଆରମ୍ଭ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ ପ୍ରାକ୍ ବଜେଟ୍ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ଡିଜିଟାଲ ଅର୍ଥବ୍ୟବସ୍ଥା, ଆର୍ଥିକ ପ୍ରଯୁକ୍ତି ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରର ଅଂଶୀଦାରମାନଙ୍କ ସହ ଆଲୋଚନା କରିଛନ୍ତି। ଆଜିର ବୈଠକରେ ମୁଖ୍ୟତଃ ଡାଟା ପ୍ରଯୁକ୍ତି, ଡିଜିଟାଲ ଭିତ୍ତିଭୂମି, ଆର୍ଥିକ ନିୟାମକ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଉତ୍ତମ ବ୍ୟାବସାୟିକ ପରିବେଶ, ଡିଜିଟାଲ ଇଣ୍ଡିଆ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ଟିକସ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆଜିର ‌ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ‌ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ରାଜୀବ କୁମାର, ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ସଚିବ ଅଜୟ ପ୍ରକାଶ ସାୱାନୀ, ଟେଲି ଯୋଗାଯୋଗ ସଚିବ ଅଂଶୁ ପ୍ରକାଶ, ସିବିଡିଟି ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ମୋଦୀ, ସିବିଆଇସି ଅଧ୍ୟକ୍ଷ ପି କେ ଦାସ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ଏବଂ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ଟିକସ ସହାୟତା ଦେବାକୁ ବହୁ ପ୍ରତିନିଧି ମତ ଦେଇଥିଲେ।

ସମ୍ବନ୍ଧିତ ଖବର