ଚିଦମ୍ବରମ୍‌ଙ୍କୁ ଉତ୍ତର ଦେଲେ ନିର୍ମଳା, କହିଲେ ଅର୍ଥନୀତି ଭଲ ଡାକ୍ତରଙ୍କ ହାତରେ ଅଛି

ଚିଦମ୍ବରମ୍ କହିଥିଲେ ଅପାରଗ ଡାକ୍ତର ଅର୍ଥନୀତିକୁ ଦେଖୁଛନ୍ତି

ନୂଆଦିଲ୍ଲୀ: ଅର୍ଥନୀତି ଖରାପ ଡାକ୍ତରଙ୍କ ହାତରେ ଏବେ ପଡ଼ିଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କାଲି ମନ୍ତବ୍ୟ ଦେଇଥିଲେ। ଚିଦମ୍ବରମଙ୍କ ମନ୍ତବ୍ୟର ଜବାବ ଆଜି ଅର୍ଥମନ୍ତ୍ରୀ ସଂସଦରେ ଫେରାଇଛନ୍ତି। ଲୋକସଭାରେ ବଜେଟ୍ ଉପରେ ଆଲୋଚନାର ଉତ୍ତର ରଖିବାବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଉପା ସରକାରଙ୍କ ଅମଳରେ ଦକ୍ଷ ଡାକ୍ତରମାନେ ଅର୍ଥନୀତିକୁ ପରିଚାଳନା କରୁଥିବାବେଳେ ବିତ୍ତୀୟ ନିଅଣ୍ଟ ବହୁ ଉଚ୍ଚ ସ୍ତରରେ ରହିଥିଲା। ଅର୍ଥନୀତି ଭୟଙ୍କର ଭାବେ ଧ୍ବଂସର ନିକଟତର ହୋଇଛି ଏବଂ ଅଣକୁଶଳୀ ଡାକ୍ତର ଅର୍ଥନୀତିର ଚିକିତ୍ସା କରୁଛନ୍ତି ବୋଲି ଚିଦମ୍ବରମ କହିଥିଲେ।

ବିତ୍ତୀୟ ଶୃଙ୍ଖଳା ଏବଂ ବଜେଟ ପରିଚାଳନା ଆଇନରେ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ବିତ୍ତୀୟ ନିଅଣ୍ଟ ଅଧିକ ରହିଛି ବୋଲି ବିରୋଧୀମାନେ କରୁଥିବା ଅଭିଯୋଗ ଉପରେ ଉତ୍ତର ରଖି ନିର୍ମଳା କହିଛନ୍ତି ମୋଦୀ ସରକାର ସର୍ବଦା ଏଫଆର୍‌ବିଏମ୍ ଆଇନକୁ ସମ୍ମାନ ଦେଇ ଆସିଛନ୍ତି। ତେବେ ଉପା ସରକାରଙ୍କ ସମୟରେ ପ୍ରାଥମିକ ନିଅଣ୍ଟ (ପ୍ରାଇମେରି ଡେଫିସିଟ୍‌) କଦାପି ଜିଡିପିର ୧ ପ୍ରତିଶତ ତଳକୁ ଖସି ନଥିଲା। କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କ ଅମଳରେ ଏହି ନିଅଣ୍ଟକୁ ୧ ପ୍ରତିଶତରୁ କମ୍‌ରେ ଆମେ ରଖିବାକୁ ସକ୍ଷମ ହୋଇଛୁ। ଅପ୍ରିୟ ସତ୍ୟ ହେଲା ୨୦୦୮-୦୯ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୧ ପ୍ରତିଶତରେ ଥିବାବେଳେ ୨୦୦୯-୧୦ରେ ୬.୬ ପ୍ରତିଶତ, ୨୦୧୦-୧୧ରେ ୪.୯ ପ୍ରତିଶତ, ୨୦୧୧-୧୨ରେ ୫.୯ ପ୍ରତିଶତ, ୨୦୧୨-୧୩ରେ ୪.୯ ପ୍ରତିଶତ, ୨୦୧୩-୧୪ରେ ୪.୫ ପ୍ରତିଶତ ରହିଥିଲା। ତେଣୁ ବି‌ରୋଧୀ ଯେତେବେଳେ ବିତ୍ତୀୟ ନିଅଣ୍ଟ ପ୍ରସଙ୍ଗ ଉଠାଉଛନ୍ତି ସେତେବେଳେ ସେମାନେ ବୁଝିବା ଆବଶ୍ୟକ ଯେ କାହା ଅମଳରେ ଅର୍ଥନୀତି ଦକ୍ଷ ଡାକ୍ତରଙ୍କ ହାତରେ ଚିକିତ୍ସିତ ହେଉଥିଲା।

କେବଳ ସେତିକି ନୁହେଁ, ମୋଦୀ ସରକାର ନିରବଚ୍ଛିନ୍ନ ଭାବେ ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବାରେ ଲାଗିଛନ୍ତି। ମୋଦୀ ସରକାରଙ୍କ ଅମଳରେ ବିତ୍ତୀୟ ନିଅଣ୍ଟ ବିଷୟରେ ଉଲ୍ଲେଖ କରିବାକୁ ଯାଇ ନିର୍ମଳା କହିଛନ୍ତି, ୨୦୧୪-୧୫ରେ ଏହା ଜିଡିପିର ୪.୧ ପ୍ରତିଶତରେ ଥିବାବେଳେ ୨୦୧୫-୧୬ରେ ୩.୯ ପ୍ରତିଶତ, ୨୦୧୬-୧୭ରେ ୩.୫ ପ୍ରତିଶତ, ୨୦୧୭-୧୮ରେ ୩.୪ ପ୍ରତିଶତ ଏବଂ ୨୦୧୮-୧୯ରେ ୩.୪ ପ୍ରତିଶତରେ ରହିଥିଲା। ଚଳିତ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୫ ପ୍ରତିଶତରେ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସଂଶୋଧିତ ଅଟକଳରେ ଏହାକୁ ୩.୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହାକୁ ୩.୩ ପ୍ରତିଶତରେ ରଖିବାକୁ ଲକ୍ଷ୍ୟ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଆଉ ତଳକୁ ଖସିବନି ଅଭିବୃଦ୍ଧି: ସନ୍ୟାଲ
ନୂଆଦିଲ୍ଲୀ: ‌ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆଉ ତଳକୁ ଖସିବନି। ଆସନ୍ତା ଆର୍ଥିକ ବର୍ଷଠାରୁ ଏହା ଉପରକୁ ଉଠିବ ବୋଲି ଅର୍ଥ ମନ୍ତ୍ରାଳୟର ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ସଞ୍ଜୀବ ସନ୍ୟାଲ କହିଛନ୍ତି। କମ୍ପାନି ଟିକସ ହ୍ରାସ, ଦେବାଳିଆ କୋଡ୍ ବା ଆଇବିସି ଏବଂ ବ୍ୟାଙ୍କିଙ୍ଗ ଶିଳ୍ପରେ ସଂସ୍କାର ଭଳି ପଦକ୍ଷେପ ଅର୍ଥନୀତିକୁ ସହାୟକ ହୋଇଛି ଏବଂ ଏହା ଅଭିବୃଦ୍ଧି ଓ ଚାହିଦାକୁ ବଢ଼ାଇବ ବୋଲି ସନ୍ୟାଲ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ଏହା ୬ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ସନ୍ୟାଲ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଅଭିବୃଦ୍ଧି ୪.୫ ପ୍ରତିଶତକୁ ଖସିବା ପରେ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର