ପ୍ୟାକେଜ ଘୋଷଣା କଲେ ନିର୍ମଳା, ବିଦେଶୀ ନିବେଶକଙ୍କ ଉପରୁ ବର୍ଦ୍ଧିତ ସର୍‌ଚାର୍ଜ ପ୍ରତ୍ୟାହୃତ

ସରକାରୀ ବ୍ୟାଙ୍କକୁ ମିଳିଲା ୭୦ ହଜାର କୋଟି

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା କବଳରୁ ଭାରତୀୟ ଅର୍ଥନୀତିକୁ ମୁକୁଳାଇବା ପାଇଁ ସରକାର ଆଜି ଏକାଧିକ ପଦକ୍ଷେପ ଘୋଷଣା କରିଛନ୍ତି। ବଜେଟରେ ଧନୀ ବ୍ୟକ୍ତିମାନଙ୍କ ଉପରେ ସରକାର ଲାଗୁ କରିଥିବା ବର୍ଦ୍ଧିତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଉଚ୍ଚସ୍ତରକୁ ନେବା ପାଇଁ ଅର୍ଥମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ସରକାର ଚଳିତ ବର୍ଷ ବଜେଟରେ ବର୍ଷକୁ ୨ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିମାନଙ୍କ ଉପରେ ଟିକସ ହାର ପ୍ରାୟ ୩ ପ୍ରତିଶତ ଏବଂ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ଟିକସ ହାର ୭ ପ୍ରତିଶତ ବୃଦ୍ଧି କରିଥିଲେ। ଏହାର ସିଧାସଳଖ ପ୍ରଭାବ ଭାରତୀୟ ପୁଞ୍ଜି ବଜାରରେ ନିବେଶ କରିଥିବା ବିଦେଶୀ ନିବେଶକଙ୍କ ଉପରେ ପଡ଼ିଥିଲା। ବିଦେଶୀ ନିବେଶକମାନେ ଭାରତର ପୁଞ୍ଜି ବଜାରରୁ ବିପୁଳ ପରିମାଣର ପୁଞ୍ଜି ଉଠାଇ ନେଇଥିଲେ। ଷ୍ଟକ ମାର୍କେଟ ‌ଏଥିଯୋଗୁ କ୍ଷତି ସହିଥିଲା। ପୁଞ୍ଜି ବଜାରର ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଅର୍ଥ (ନମ୍ବର-୨) ଆଇନ, ୨୦୧୯ରେ ବଢ଼ାଯାଇଥିବା ସରଚାର୍ଜକୁ ପ୍ରତ୍ୟାହାର କରି ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଉଭୟ ଘରୋଇ ଏବଂ ବିଦେଶୀ ନିବେଶକଙ୍କ ଉପରୁ ଏହି ବର୍ଦ୍ଧିତ ସରଚାର୍ଜକୁ ପ୍ରତ୍ୟାହାର କରି ନିଆଗଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥାତ୍ ବଜେଟ୍ ପୂର୍ବାବସ୍ଥା ଏ କ୍ଷେତ୍ରରେ ବଜାୟ ରହିବ ବୋଲି ସେ ସୂଚନା ଦେଇଛନ୍ତି। ସେହିଭଳି କମ୍ପାନି ଗୁଡ଼ିକ ସାମାଜିକ ଦାୟିତ୍ବବୋଧ (ସିଏସଆର୍) ନିୟମକୁ ଉଲ୍ଲଂଘନ କରିଲେ ତାହାକୁ ଅପରାଧ ଭାବେ ବିବେଚନା କରାଯିବ ନାହିଁ ‌ବୋଲି ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଛଡ଼ା ଅର୍ଥମନ୍ତ୍ରୀ କହିଛନ୍ତି, ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍‌ରେ ଯେଉଁ ହ୍ରାସ ଘୋଷଣା କରାଯାଇଛି ତାହାର ଲାଭ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ ସୁଧ ହାର ହ୍ରାସ ମାଧ୍ୟମରେ ପ୍ରଦାନ କରିବେ। ଏହାଦ୍ବାରା ଆଗାମୀ ଦିନରେ ଗୃହ ଏବଂ ଅଟୋମୋବାଇଲଠାରୁ ଆରମ୍ଭ କରି ଅନ୍ୟାନ୍ୟ ଋଣର ସୁଧ ହ୍ରାସ ପାଇବ ବୋଲି ଆଶା ରଖାଯାଇଛି।

ଷ୍ଟାର୍ଟ ଅପ୍ ଉପରୁ ଏଞ୍ଜେଲ ଟିକସ ପ୍ରତ୍ୟାହୃତ
ସିଏସଆର ନୟମ ଉଲ୍ଲଂଘନ ଅପରାଧ ନୁହେଁ
ଅଟୋମୋବାଇଲ ଶିଳ୍ପ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ସରକାରୀ ବିଭାଗ ଦ୍ବାରା ନୂଆ ଗାଡ଼ି କ୍ରୟ କଟକଣା ହଟିଲା

ଅଟୋମୋବାଇଲ ଶିଳ୍ପ ମାନ୍ଦାବସ୍ଥା ଦ୍ବାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଅର୍ଥମନ୍ତ୍ରୀ ଏହି ଶିଳ୍ପ ପାଇଁ ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା କ୍ରୟ କରାଯାଇଥିବା ଭାରତ ଷ୍ଟେଜ୍‌-୪ ମାନଦଣ୍ଡର ଯାନ ତାହାର ସମ୍ପୂର୍ଣ୍ଣ ପଞ୍ଜୀକରଣ ଅବଧିରେ ବଳବତ୍ତର ରହିବ। ସରକାରୀ ବିଭାଗ ଦ୍ବାରା ପୁରୁଣା ଗାଡ଼ି ବଦଳାଇ ନୂଆ ଗାଡ଼ି କିଣିବା ଲାଗି ଯେଉଁ ନିଷେଧାଦେଶ ରହିଛି ତାହାକୁ ଉଠାଇ ନିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏତଦ୍‌ବ୍ୟତୀତ ଅଟୋମୋବାଇଲ ଶିଳ୍ପରେ ଚାହିଦା ବୃଦ୍ଧି ପାଇଁ ଅନ୍ୟାନ୍ୟ କେତେକ ପଦକ୍ଷେପ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶରେ ଉଭୟ ବିଦ୍ୟୁତ୍‌ ଯାନ ଏବଂ ପେଟ୍ରୋଲ ଓ ଡିଜେଲରେ ପରିଚାଳିତ ଯାନର ପଞ୍ଜୀକରଣ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସମସ୍ତ ପୁରୁଣା ଟିକସ ନୋଟିସ ସମ୍ପର୍କରେ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ନିଷ୍ପତ୍ତି ନିଆଯିବ କିମ୍ବା କେନ୍ଦ୍ରୀକୃତ ବ୍ୟବସ୍ଥାରେ ସେଗୁଡ଼ିକୁ ଅପଲୋଡ କରାଯିବ। ଦେଶର ସରକାରୀ ବ୍ୟାଙ୍କ ବ୍ୟବସ୍ଥାକୁ ବଳ ଦେବା ପାଇଁ ଅର୍ଥମନ୍ତ୍ରୀ ୭୦ ହଜାର କୋଟି ଟଙ୍କାର ନଗଦ ଅର୍ଥ ପ୍ରବାହ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାଦ୍ବାରା ବଜାରରେ ୫ ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ଉପଲବ୍ଧ ହେବ ବୋଲି କୁହାଯାଇଛି। ବ୍ୟାଙ୍କ ଗୁଡ଼ିକ ଏହାଦ୍ବାରା ଅଧିକରୁ ଅଧିକ ଋଣ ପ୍ରଦାନ କରିବାକୁ ସକ୍ଷମ ହେବେ ବୋଲି ଆଶା ରଖାଯାଇଛି। ପରୋକ୍ଷ ଟିକସ ବା ଜିଏସଟି ବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ଅର୍ଥମନ୍ତ୍ରୀ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା ଏମଏସଏମଇ ଗୁଡ଼ିକର ପଡ଼ି ରହିଥିବା ଜିଏସଟି ବାବଦ ଫେରସ୍ତ ଅର୍ଥକୁ ୩୦ ଦିନ ମଧ୍ୟରେ ପ୍ରଦାନ କରାଯିବ। ଏଥିସହିତ ଭବିଷ୍ୟତରେ ସମସ୍ତ ଜିଏସଟି ରିଫଣ୍ଡକୁ ଆବେଦନର ୬୦ ଦିନ ମଧ୍ୟରେ ଦିଆଯିବ। ଦେଶର ଅଣ ବ୍ୟାଙ୍କିଂ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକୁ ମଧ୍ୟ ବଡ଼ ରିହାତି ପ୍ରଦାନ କରାଯାଇଛି। ଏନବିଏଫସି ଗୁଡ଼ିକ ଆଧାରକୁ ଉପଯୋଗ କେୱାଇସି ସୁବିଧାକୁ ଉପଯୋଗ କରିପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସେହିଭଳି ଷ୍ଟାର୍ଟ ଅପ୍ ଉଦ୍ୟୋଗୀ ଏବଂ ସେମାନଙ୍କ ନିବେଶକମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଏମାନଙ୍କ ଉପରୁ ଏଞ୍ଜେଲ ଟ୍ୟାକ୍ସକୁ ପ୍ରତ୍ୟାହୃତ କରି ନିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ଜଣେ ସିବିଡିଟି ସଦସ୍ୟଙ୍କ ଅଧୀନରେ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନ ପାଇଁ ଏକ ଉତ୍ସର୍ଗୀକୃତ ‌କକ୍ଷ ‌ଗଠନ କରାଯିବ। ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ଯେକୌଣସି ପ୍ରକାର ଆୟକର ଜନିତ ସମସ୍ୟା ଏହି କକ୍ଷ ଦ୍ବାରା ଶୀଘ୍ର ସମାଧାନ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର