ନିର୍ମଳାଙ୍କ ବଜେଟ୍‌ ଟିମ୍‌ : ୫ ବରିଷ୍ଠ ପ୍ରଶାସକ ଦେବେ ଚୂଡ଼ାନ୍ତ ରୂପ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍‌କୁ ପ୍ରସ୍ତୁତ କରିବା ଲାଗି ଏକ ଟିମ୍ ଲାଗିପଡ଼ିଛନ୍ତି। ସେହି ଟିମ୍‌ର ପାଞ୍ଚ ଜଣ ପ୍ରମୁଖ ସଦସ୍ୟ ଅଛନ୍ତି। ସେମାନେ ହେଉଛନ୍ତି ଅର୍ଥ ସଚିବ ରାଜୀବ କୁମାର, ଅର୍ଥନୈତିକ ବ୍ୟାପର ସଚିବ ଅତନୁ ଚକ୍ରବର୍ତୀ, ବ୍ୟୟ ସଚିବ ଟି ଭି ସୋମନାଥନ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଓ ପୁଞ୍ଜିପ୍ରତ୍ୟାହାର ସଚିବ ତୁହିନ କାନ୍ତ ପାଣ୍ଡେ। ପ୍ରଚ୍ଛଦରେ ରହି ଏହି ପାଞ୍ଚ ଅଧିକାରୀ ବଜେଟ୍‌କୁ ଚୂଡ଼ାନ୍ତ ରୂପ ଦେଉଛନ୍ତି।

ରାଜୀବ କୁମାର: ଅର୍ଥ ମନ୍ତ୍ରଣାଳୟର ସେ ହେଉଛନ୍ତ ବରିଷ୍ଠ ଅଧିକାରୀ। ସରକାରୀ ବ୍ୟାଙ୍କଗୁଡ଼ିକୁ ନୂତନ ପାଣ୍ଠି ପ୍ରଦାନ କରିବା ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ କରିବା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବ୍ୟାଙ୍କ କ୍ଷେତ୍ରରେ ରହିଥିବା ସମସ୍ୟା ଲାଗି ସେ ମୂଲ୍ୟବାନ ପ୍ରସ୍ତାବ ଦେବାର ସମ୍ଭାବନା ରହିଛି।

ଅତନୁ ଚକ୍ରବର୍ତୀ: ସରକାରୀ ସମ୍ପତ୍ତି ବିକ୍ରି କରାଇବାରେ ବଡ଼ଧରଣର ସଫଳତା ହାସଲ କରିଥିବା ଅତନୁ ଚକ୍ରବର୍ତୀ ଗତ ଜୁଲାଇରେ ଅର୍ଥନୈତିକ ବ୍ୟାପାର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ବଜେଟ୍‌ ନିଅଣ୍ଟର ମୁକାବିଲା କରିବା ଲାଗି ସେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇପାରନ୍ତି।

ଟି ଭି ସୋମନାଥନ: ଅର୍ଥ ମନ୍ତ୍ରଣାଳୟରେ କିଛି ଦିନ ତଳେ ଯୋଗ ଦେଇଥିବା ସୋମନାଥନଙ୍କ କାମ ହେଉଛି ସରକାରୀ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ହାସଲ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁଭଳି ବଜେଟ୍ ଆଶା କରୁଛନ୍ତି ତାହା ତାଙ୍କୁ ବେଶ ଭଲ ଭାବେ ଜଣା।

ଅଜୟ ଭୂଷଣ ପାଣ୍ଡେ: ରାଜସ୍ବ ବଢ଼ାଇବାର ଗୁରୁ ଦାୟିତ୍ବ ଅଜୟ ଭୂଷଣ ପାଣ୍ଡେଙ୍କ ଉପରେ ନ୍ୟସ୍ତ କରାଯାଇଛି। ପ୍ରତ୍ୟକ୍ଷ ଟିକସ କୋଡ୍‌ରେ ଥିବା କେତେକ ପ୍ରସ୍ତାବକୁ ଲାଗୁ କରିବା ଉପରେ ସେ ଜୋର ଦେଇପାରନ୍ତି।

ତୁହିନକାନ୍ତ ପାଣ୍ଡେ: ଏୟାର ଇଣ୍ଡିଆ ଓ ଅନ୍ୟାନ୍ୟ ସରକାରୀ କଂପାନିକୁ ବିକ୍ରି କରିବାର ଦାୟିତ୍ବ ତାଙ୍କ ଉପରେ ରହିଛି। ପୁଞ୍ଜିପ୍ରତ୍ୟାହାର ଜରିଆରେ ସରକାରଙ୍କ ପାଇଁ କିଭଳି ପାଣ୍ଠି ଯୋଗାଡ଼ କରାଯାଇପାରିବ ସେ ନେଇ ପାଣ୍ଡେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇପାରନ୍ତି।

ସମ୍ବନ୍ଧିତ ଖବର