ବ୍ୟାଙ୍କ ସଂକଟ ନେଇ ସତର୍କ ହେଲେ ଭାରତ ସରକାର, ଜରୁରୀ ବୈଠକ ଡକାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକା ଓ ୟୁରୋପରେ ଏବେ ବ୍ୟାଙ୍କ ସଂକଟ ଦେଖାଦେଇଥିବାରୁ ତାହାକୁ ନେଇ ଭାରତରେ ବି ଚିନ୍ତା ପ୍ରକାଶ ପାଇଛି । ଉଭୟ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କ ସତର୍କ ହୋଇଉଠିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାରଦିନ ବସିଥିବା ଏକ ଜରୁରୀ ବୈଠକରେ ନିଜର ବିଭିନ୍ନ ଆର୍ଥିକ ମାପଦଣ୍ଡର ସ୍ଥିତିକୁ ଆକଳନ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ କହିଛନ୍ତି । ବୈଠକ ପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ବ୍ୟାଙ୍କମାନଙ୍କୁ ବିପଦ ସମ୍ପର୍କିତ ବିଭିନ୍ନ ବିନ୍ଦୁ ଚିହ୍ନଟ କରିବାକୁ କୁହାଯାଇଛି ।

ଏହି ଜରୁରୀ ବୈଠକ ପୂର୍ବରୁ ସରକାର ବ୍ୟାଙ୍କଗୁଡ଼ିକୁ ସେମାନଙ୍କର ବଣ୍ଡ ପୋର୍ଟଫୋଲିଓର ବିବରଣୀ ମାଗିଥିଲେ। ଯେକୌଣସି ସମ୍ଭାବ୍ୟ ଆର୍ଥିକ ଝଟକାରୁ ବ୍ୟାଙ୍କଗୁଡ଼ିକ ନିଜକୁ ରକ୍ଷା କରିବା ଉଚିତ ବୋଲି ଅର୍ଥମନ୍ତ୍ରୀ ବ୍ୟାଙ୍କରମାନଙ୍କୁ କହିଛନ୍ତି ।

ଏସଆଣ୍ଡପି ଗ୍ଲୋବାଲ ରେଟିଂସ ଚଳିତ ସପ୍ତାହରେ କହିଛି ଯେ ଭାରତୀୟ ଋଣଦାତାମାନେ ଆମେରିକାର ବ୍ୟାଙ୍କିଙ୍ଗ ଅସ୍ଥିରତା ରୁ ଉପୁଜିଥିବା କୌଣସି ସମ୍ଭାବ୍ୟ ସଂକ୍ରାମକ ପ୍ରଭାବକୁ ସହିବାକୁ ସକ୍ଷମ । ରେଟିଂ ଏଜେନ୍ସି କହିଛି, ସୁଦୃଢ଼ ପାଣ୍ଠି ପ୍ରୋଫାଇଲ, ଉଚ୍ଚ ସଞ୍ଚୟ ହାର ଏବଂ ସରକାରୀ ସହାୟତା ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିଥାଏ ।

ଆମେରିକାରେ ସିଲିକନ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବା ପରେ ସମଗ୍ର ବିଶ୍ବର ଆର୍ଥିକ ଜଗତରେ ଆତଙ୍କ ଖେଳିଯାଇଥିଲା । ଏହା ପରେ ଆମେରିକାର ଆଉ ୩ଟି ବ୍ୟାଙ୍କ ବିପଦରେ ପଡ଼ିଯାଇଥିଲେ । ପରେ ସ୍ବିଜରଲାଣ୍ଡର କ୍ରେଡିଟ ସୁଇସ ବି ସଂକଟରେ ପଡ଼ିଯାଇଥିଲା ।

ସମ୍ବନ୍ଧିତ ଖବର