ଲମ୍ବା ଭାଷଣ ପଢ଼ି ଅସୁସ୍ଥ ହୋଇପଡିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

୨ ଘଣ୍ଟା ୪୧ ମିନିଟ୍‌ ପଢ଼ିଲେ, ଦୁଇ ପୃଷ୍ଠା ବାକିଥିଲା, ଅଟକିଗଲେ

୫ଟି ଭାଷାରେ ପଢ଼ିଲେ
କାଳିଦାସଙ୍କ ଶ୍ଳୋକ, ଦୀନନାଥ, ଥିରୁଭଲ୍ଲୁରଙ୍କ କବିତା ଶୁଣାଇଲେ
ବଜେଟ୍‌ ଟିମ୍‌ରେ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍ ଅଭିଭାଷଣକୁ ଶେଷ କରି ପାରିନଥିଲେ। ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍ ପର୍ଯ୍ୟନ୍ତ ବଜେଟ୍‌କୁ ପଢ଼ିବା ପରେ ସେ ଅସୁସ୍ଥ ଅନୁଭବ କରି‌ଥିଲେ। ଫଳରେ ଶେଷ ଆଡ଼କୁ ସେ ବଜେଟ ପଢ଼ିବା ବନ୍ଦ କରିଦେଇଥିଲେ। ତାଙ୍କୁ ସୁଗାର୍‌ ଦିଆଯାଇଥିଲା। ତାଙ୍କ ଶରୀରରୁ ଝାଳ ବାହାରୁଥିଲା। ଏହି ସମୟରେ ନିର୍ମଳା କହିଥିଲେ ଆଉ ମାତ୍ର ଦୁଇ ପୃଷ୍ଠା ବାକି ଅଛି। ଏହାକୁ ବଜେଟ ଭାବେ ଗ୍ରହଣ କରାଯାଉ ବୋଲି ସେ ଅନୁରୋଧ କରିଥିଲେ। ତାଙ୍କ ରକ୍ତ ଚାପ ସ୍ବାଭାବିକଠାରୁ ତଳକୁ ଯାଇଥିଲା। ତେଣୁ ତାଙ୍କୁ ସିଟ୍‌ରେ ବସିଯିବାକୁ ପରାମର୍ଶ ଦିଆଯାଇଥିଲା। ଜଣେ ସହଯୋଗୀ ତାଙ୍କୁ ଚକୋଲେଟ୍‌ କ୍ୟାଣ୍ଡି ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। କ୍ୟାବିନେଟ୍ ମନ୍ତ୍ରୀ ହରସିମ୍‌ରତ୍‌ କୌର ତାଙ୍କୁ ଏକ ଗ୍ଲାସ୍ ପାଣିଦେଇଥିଲେ। ଏହା ପରେ ସେ ଆଉ ବଜେଟ୍‌କୁ ପଢ଼ିବାକୁ ଚାହିନଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତାଙ୍କୁ ଆଶ୍ବାସନା ଦେଉଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ କିନ୍ତୁ ନିର୍ମଳା ସୁସ୍ଥ ମନେ କରିଥିଲେ। ରାଜ୍ୟସଭାରେ ବଜେଟ୍‌କୁ ଉପସ୍ଥାପନ କରିବାକୁ ବାହାରି ଯାଇଥିଲେ।

ଚଳିତ ବର୍ଷ ୬୦ ବର୍ଷ ବୟସ୍କା ନିର୍ମଳା ସବୁଠୁ ଲମ୍ବା ବଜେଟ୍‌ ପଢ଼ିବାର ନିଜ ରେକର୍ଡକୁ ଭାଙ୍ଗିଛନ୍ତି। ଗତ ବର୍ଷ ସେ ଦୁଇ ଘଣ୍ଟା ୧୭ ମିନିଟ୍ ପର୍ଯ୍ୟନ୍ତ ବଜେଟ୍ ପଢ଼ିଥିଲେ। ଚଳିତ ବର୍ଷ ତାଙ୍କ ବଜେଟ୍‌ ଭାଷଣ ୨ ଘଣ୍ଟା ୪୧ ମିନିଟ୍ ଲମ୍ବା ରହିଥିଲା। ତାଙ୍କର ଏହି ସୁଦୀର୍ଘ ଭାଷଣରେ କାଶ୍ମୀରି ଓ ତାମିଲ କବିତାର ଅଂଶ ସାମିଲ ରହିଥିଲା। ଏହା ପୂର୍ବରୁ ସବୁଠୁ ଲମ୍ବା ବଜେଟ୍ ଭାଷଣ ପଢ଼ିବାର ରେକର୍ଡ ଯଶବନ୍ତ ସିଂହଙ୍କ ନାମରେ ରହିଥିଲା। ଗତବର୍ଷ ୨ ମିନିଟ୍ ବ୍ୟବଧାନରେ ସେହି ରେକର୍ଡକୁ ନିର୍ମଳା ଭାଙ୍ଗିଥିଲେ। ୨୦୧୪ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ମଧ୍ୟ ଦୁଇ ଘଣ୍ଟା ୧୦ ମିନିଟ୍‌ର ଲମ୍ବା ବଜେଟ୍‌ ଭାଷଣ ପଢ଼ିଥିଲେ। ୧୯୯୧ରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଲମ୍ବା ଭାଷଣ ପଢ଼ିଥିଲେ। ଚଳିତ ବର୍ଷର ନିର୍ମଳାଙ୍କ ବଜେଟ୍ ଅଭିଭାଷଣକୁ ସେ ବହୁତ ଲମ୍ବା ବୋଲି କହିବା ସହିତ ଏହାକୁ ମୁଁ ସମ୍ପୂର୍ଣ୍ଣ ଗ୍ରହଣ କରିପାରିଲି ନାହିଁ ବୋଲି କହିଛନ୍ତି।

୫ଟି ଭାଷାରେ ପଢ଼ିଲେ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍ ଭାଷଣ ପଢ଼ିବା ସମୟରେ ୪ଟି ଭାଷାର ପ୍ରୟୋଗ କରିଥିବା ଦେଖିବାକୁ ମିଳିଛି। ବଜେଟ୍‌ରେ ରଖାଯାଇଥିବା ପ୍ରସ୍ତାବ, ଉପଲବ୍ଧି ଏବଂ ନୂଆ ଯୋଜନାଗୁଡ଼ିକୁ ଅର୍ଥମନ୍ତ୍ରୀ ଇଂରାଜୀ ଭାଷାରେ ପଢ଼ିଥିଲେ। ତେବେ ବିଭିନ୍ନ କବିତା ଏବଂ ଦୋହା ଆଦିକୁ ପଢ଼ିବା ଏବଂ ବୁଝାଇବା ପାଇଁ କଶ୍ମୀରୀ, ସଂସ୍କୃତ ଏବଂ ତାମିଲ ଭାଷାର ପ୍ରୟୋଗ କରିଥିଲେ। ତେବେ କଶ୍ମୀର କବିଙ୍କ କବିତା ବୁଝାଇବାବେଳେ ସେ ହିନ୍ଦୀ ଭାଷାର ଉପଯୋଗ କରିଥିଲେ।

କାଳିଦାସଙ୍କ ଶ୍ଳୋକ, ଦୀନନାଥ, ଥିରୁଭଲ୍ଲୁରଙ୍କ କବିତା ଶୁଣାଇଲେ
ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କଶ୍ମୀର କବି ଦୀନନାଥ କୌଲ, ସଂସ୍କୃତ କବି କାଳିଦାସ ଏବଂ ତାମିଲ କବି ଥିରୁଭଲ୍ଲୁରଙ୍କ ପଂକ୍ତିକୁ ଉଦ୍ଧାର କରିଥିଲେ। ପ୍ରଥମେ ସେ କଶ୍ମୀର କବି ଦୀନନାଥଙ୍କ ଦ୍ବାରା ଲିଖିତ କବିତା ଉଲ୍ଲେଖ କରିଥିଲେ। ତାହା ହେଲା ‘ହମାରା ୱତନ ଖିଲତେ ହୁଏ ଶାଲିମାର ବାଗ ଜୈସା, ଡଲ୍ ‌ଝିଲ ମେଁ ଖିଲତେ ହୁଏ କମଲ୍ ଜୈସା, ନୌଯବାନୋ କେ ଗରମ୍‌ ଖୁନ୍ ଜୈସା, ମେରା ୱତନ, ତେରା ୱତନ, ହମାରା ୱତନ, ଦୁନିଆ କା ସବସେ ପ୍ୟାରା ୱତନ’। ସେହିଭଳି ବଜେଟରେ ସ୍ବଚ୍ଛ ପରିବେଶ ଏବଂ ଶୁଦ୍ଧ ବାୟୁ ସମ୍ପର୍କରେ କହିବା ବେଳେ ଅର୍ଥମନ୍ତ୍ରୀ ପ୍ରସିଦ୍ଧ ତାମିଲ କବି ଥିରୁଭଲ୍ଲୁରଙ୍କ ପଂକ୍ତି ଉଲ୍ଲେଖ କରିଥିଲେ। ରୋଗରୁ ମୁକ୍ତି, ଧନ, ଉତ୍ପାଦନ ବୃଦ୍ଧି, ନାଗରିକଙ୍କ ଖୁସି ଏବଂ ସୁରକ୍ଷା ଭଳି ୫ଟି ଜିନିଷ କିଭଳି ଗୁରୁତ୍ବପୂର୍ଣ୍ଣ ତାହା କହିଥିଲେ। ଅର୍ଥମନ୍ତ୍ରୀ କାଳିଦାସଙ୍କ ରଚିତ ରଘୁବଂଶର ଏକ ପଂକ୍ତିକୁ ଉଦ୍ଧାର କରିଥିଲେ। ତାହା ହେଲା ସୂର୍ଯ୍ୟ ଜଲ କି ନହିଁ ବୁନ୍ଦୋ ସେ ବାଷ୍ପ ଲେତା ହୈ। ୟହି ରାଜା ଭି କରତା ହୈ। ବଦଲେ ମେଁ ୟେ ପ୍ରଚୁର ମାତ୍ରା ମେଁ ଲୌଟାତା ହୈଁ। ୱେ ଲୋଗୋଁ କେ କଲ୍ୟାଣ କେ ଲିଏ ହି ସଂଗ୍ରହ କରତେ ହୈଁ। ଏହାପରେ ଅର୍ଥମନ୍ତ୍ରୀ ଏହାର ଅର୍ଥକୁ ଇଂରାଜୀରେ ବୁଝାଇଥିଲେ। ସେ କହିଥିଲେ, ସୂର୍ଯ୍ୟ ଜଳ ବୁନ୍ଦା ନୁହେଁ ବାଷ୍ପ ନିଏ। ରାଜା ମଧ୍ୟ ଏହା କରିଥାନ୍ତି। ପ୍ରତିବଦଳରେ ବିପୁଳ ମାତ୍ରାର ଜଳ ମିଳିଥାଏ। ସେହିଭଳି ରାଜା ମଧ୍ୟ ଦେଶର କଲ୍ୟାଣ ପାଇଁ ଟିକସ ସଂଗ୍ରହ କରି ଲୋକଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଏଥିସହିତ ତାମିଲ କବୟିତ୍ରୀ ଆୟୁବାୟରଙ୍କୁ ମଧ୍ୟ ନିର୍ମଳା ଉଦ୍ଧାର କରିଛନ୍ତି। ଆୟୁବାୟର କହିଥିଲେ ପ୍ରଥମେ ଜଣେ ବ୍ୟକ୍ତି ଜମି ଚାଷ କରି ପରେ ଖାଇବା ଆବଶ୍ୟକ। ତାମିଲରେ ପଂକ୍ତି ପଢ଼ିବା ପରେ ନିର୍ମଳା ଏହାର ଅର୍ଥ ଇଂରାଜୀରେ ବୁଝାଇଥିଲେ।

ବଜେଟ୍‌ ଟିମ୍‌ରେ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ
ନୂଆଦିଲ୍ଲୀ : ନୂଆ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ମୋଟ ୨.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ଲକ୍ଷ୍ୟକୁ ହାସଲ କରାଯାଇ ପାରିବ। ଏନେଇ ମୁଁ ଆଶାବାଦୀ ଅଛି। ଆଜି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ପରେ ଡିଆଇପିଏଏମ ସଚିବ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଟିମ୍‌ର ଜଣେ ପ୍ରମୁଖ ସଦସ୍ୟ ତୁହିନ କାନ୍ତ ପାଣ୍ଡେ ଏହା କହିଛନ୍ତି। ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡରର ଏହି ଆଇଏଏସ୍ ଅଧିକାରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଟିମ୍‌ରେ ସାମିଲ ହୋଇ ବଜେଟ୍‌ ପ୍ରସ୍ତୁତି ତଥା ବଜେଟ୍‌କୁ ଚୂଡ଼ାନ୍ତ ରୂପେ ଦେବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର