ନୂଆଦିଲ୍ଲୀ: ଦେଶରେ ପ୍ରଚୁର ସମ୍ଭାବନା ଥିବା ନୂଆନୂଆ କ୍ଷେତ୍ରରେ ନିବେଶ ପାଇଁ ଉଦ୍ୟୋଗୀମାନେ ଆଗେଇ ଆସିବା ଆବଶ୍ୟକ। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଜାତୀୟ ପରିଷଦ ବୈଠକରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏଭଳି ଆହ୍ବାନ ଦେଇଛନ୍ତି। ୨୦୨୨-୨୩ ଆର୍ଥିକବର୍ଷର ବଜେଟ୍ରେ ଅଧିକ ପୁଞ୍ଜିବ୍ୟୟର ପ୍ରସ୍ତାବ ରହିଛି। ଏହାଦ୍ବାରା ଦେଶର ଅଭିବୃଦ୍ଧି ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ିବ ଏବଂ ଏକବିଂଶ ଶତାବ୍ଦୀ ପାଇଁ ସଂପତ୍ତି ସୃଷ୍ଟି କରାଯାଇ ପାରିବ। ପୁଞ୍ଜି ବ୍ୟୟ ବୃଦ୍ଧି ଫଳରେ ଅର୍ଥନୀତିରେ ଯେଉଁ ସୁଧାର ଗତ କିଛିଦିନ ହେଲା ଘଟୁଛି ତାହା ଆଗାମୀ ଦିନରେ ଅବ୍ୟାହତ ରହିବ। ଦେଶରେ ଯେଉଁ ନିବେଶ ପରିବେଶ ସୃଷ୍ଟି ହୋଇଛି ସେଥିରେ ଘରୋଇ କ୍ଷେତ୍ର ସାମିଲ ହେବାକୁ ସେ ଏହି ଅବସରରେ ଶିଳ୍ପଜଗତକୁ ଆହ୍ବାନ କରିଛନ୍ତି। ଭାରତ ଏବେ ସ୍ବାଧୀନତାର ୧୦୦ତମ ବର୍ଷ କକ୍ଷପଥ ଆଡ଼କୁ ଅଗ୍ରଗତି କରୁଛି। ଏହି ଘୂର୍ଣ୍ଣନରେ ଭାରତର ଅଭିବୃଦ୍ଧିକୁ ଉଚ୍ଚ କକ୍ଷପଥକୁ ନେବାପାଇଁ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ଯେଭଳି ହାତଛଡ଼ା ନହେବ ସେଥିପାଇଁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପ୍ରଚୁର ସମ୍ଭାବନା ଥିବା ନୂଆ ନୂଆ କ୍ଷେତ୍ରରେ ନିବେଶ ପାଇଁ ନିବେଶକମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ୨୦୧୯ ସେପ୍ଟେମ୍ବରରେ ସରକାର କମ୍ପାନିଗୁଡ଼ିକ ପାଇଁ କର୍ପୋରଟ୍ ଟିକସ ହାର ୨୨ ପ୍ରତିଶତକୁ ହ୍ରାସ କରିଥିଲେ। ଯେଉଁମାନେ କୌଣସି ପ୍ରୋତ୍ସାହନ ସୁବିଧା ନେଉ ନଥିଲେ ସେମାନଙ୍କ ପାଇଁ ଏହି ଟିକସ ହ୍ରାସ କରାଯାଇଥିଲା। ବଜେଟରେ ନୂଆକରି ପ୍ରତିଷ୍ଠା ହୋଇଥିବା ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗ ପାଇଁ ୧୫ ପ୍ରତିଶତ ହାରରେ କର୍ପୋରେଟ୍ ଟିକସ ପ୍ରଦାନର ବ୍ୟବସ୍ଥା ଆଉ ବର୍ଷେ ପାଇଁ ବୃଦ୍ଧି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/nirmala-sitharaman.jpg)