ବୋଷ୍ଟନ: ବିଦ୍ବାନମାନେ ନିଜ ପସନ୍ଦ ଅପସନ୍ଦ ଅନୁସାରେ ପ୍ରଭାବିତ ହୋଇଯିବା ଓ ତଥ୍ୟକୁ ବିଚାରକୁ ନନେଇ ମନ୍ତବ୍ୟ ଦେବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏଭଳି ମନ୍ତବ୍ୟ ଦେଇ ସେ ପରୋକ୍ଷରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ଙ୍କୁ କଟାକ୍ଷ କରିଛନ୍ତି। ଶ୍ରୀ ସେନ୍ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରଙ୍କ ନୀତିକୁ ସମାଲୋଚନା କରନ୍ତି। ହାର୍ଭାର୍ଡ କେନେଡି ସ୍କୁଲ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଣେ ପ୍ରଫେସର ସରକାରଙ୍କୁ ନେଇ ସାଧାରଣରେ ଥିବା ଧାରଣା, ବିଶେଷକରି ଅମର୍ତ୍ୟ ସେନ୍ ଦେଉଥିବା ମନ୍ତବ୍ୟ ବିଷୟରେ ତାଙ୍କ ମତ ଜାଣିବାକୁ ଚାହିଥିଲେ। ସେହି ପ୍ରଶ୍ନର ଉତ୍ତରରେ ନିର୍ମଳା କହିଥିଲେ ଯେ ଆପଣ ଯେଉଁ ନାମ ନେଇଛନ୍ତି (ଅମର୍ତ୍ୟ) ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ସେ ଭାରତ ଯାଉଛନ୍ତି ଓ ଅବାଧରେ ବିଚରଣ କରୁଛନ୍ତି ଏବଂ ସେଠାରେ କ’ଣ ଘଟୁଛି ତାହା ଦେଖୁଛନ୍ତି। ସେ ତଥ୍ୟ ଆଧାରରେ ମନ୍ତବ୍ୟ ଦେବେ ବୋଲି ଆମ ସମସ୍ତଙ୍କ ଆଶା ରହିଛି। କିନ୍ତୁ ସେଭଳି ହେଉନାହିଁ। ବିଦ୍ବାନମାନେ ନିଜ ବ୍ୟକ୍ତିଗତ ପସନ୍ଦ ଓ ଅପସନ୍ଦ ଆଧାରରେ ମତ ଦେଉଛନ୍ତି। ତଥ୍ୟ କିମ୍ବା ସତକୁ ସେମାନେ ବିଚାରକୁ ନେଉନଥିବା ଚିନ୍ତାର ବିଷୟ ବୋଲି ନିର୍ମଳା କହିଛନ୍ତି।
ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ଆମେରିକା ଭଳି ଭାରତରେ ମଧ୍ୟ ଆଇନ ଶୃଙ୍ଖଳା ହେଉଛି ରାଜ୍ୟ ବ୍ୟାପାର। ଆମେରିକାର କୌଣସି ନିର୍ଦିଷ୍ଟ ପ୍ରଦେଶରେ କିଛି ଘଟଣା ଘଟିଲେ ସେଥିପାଇଁ ରାଷ୍ଟ୍ରପତିଙ୍କୁ ଦାୟୀ କରିବା ଯାହା ଭାରତରେ ଠିକ୍ ସେହିଭଳି ଘଟଣା ଘଟୁଛି। କିଛି ଲୋକ ପ୍ରଧାନମନ୍ତ୍ରୀଙ୍କ ପ୍ରତି କଟୁ ଶବ୍ଦ ବ୍ୟବହାର କରୁଛନ୍ତି। କିନ୍ତୁ ସେମାନଙ୍କୁ କେହି ସ୍ପର୍ଶ କରିନାହାନ୍ତି। ମାତ୍ର ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କେହି କିଛି ଖରାପ ମନ୍ତବ୍ୟ ଦେଲେ ତାଙ୍କୁ ଜେଲ୍ରେ ଭର୍ତ୍ତି କରାଯାଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅଡ଼ୁଆରେ ପକାଇବା ଲାଗି କିଭଳି ଏକ ନିର୍ଦିଷ୍ଟ ଗୋଷ୍ଠୀ ମିଳିତ ଉଦ୍ୟମ କରିଥିଲେ ସେବିଷୟରେ ମଧ୍ୟ ନିର୍ମଳା ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଶାସନ ଭାର ଗ୍ରହଣ କରିବାର କିଛି ଦିନ ପରେ ହଠାତ୍ ପୁରସ୍କାର ଫେରସ୍ତ କରିବାର ଏକ ଧାରା ଆରମ୍ଭ ହୋଇଥିଲା। ଏହି ସରକାର ସଂଖ୍ୟା ଲଘୁ ବିରୋଧୀ ବୋଲି ପ୍ରଚାର କରାଗଲା। ଖ୍ରିଷ୍ଟିଆନ ସମ୍ପ୍ରଦାୟ ଓ ଚର୍ଚ୍ଚ ଆଦି ଉପରେ ଆକ୍ରମଣ ହେଉଥିବା ପ୍ରଚାର କରାଗଲା। ଏହି ସବୁ ଘଟଣା ରାଜ୍ୟରେ ଘଟିଥିଲେ ମଧ୍ୟ ସେଥିପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରାଗଲା। କିନ୍ତୁ ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା ଯେ ସେହି ସବୁ ଘଟଣା ସହିତ ପ୍ରଧାନମନ୍ତ୍ରୀ, ସରକାର କିମ୍ବା ବିଜେପିର କୌଣସି ହାତ ନଥିଲା। ସବୁ ବେଳେ ବିଭିନ୍ନ ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେବା ଲାଗି ଉଦ୍ୟମ ହେଉଥିବା ମଧ୍ୟ ସେ କହିଛନ୍ତି।