ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ତୃତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବା ସହ ନିଜ ମନ୍ତ୍ରୀମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବେ ସେ ପୁଣି ଥରେ ନିର୍ମଳା ସୀତାରମଣଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ଲଗାତାର ଛଅଟି ବଜେଟ୍‌ ଉପସ୍ଥାପନ କରିବାର ରେକର୍ଡ ନିର୍ମଳାଙ୍କ ନାମରେ ରହିଛି। ସେ ପୁଣି ଥରେ ଅର୍ଥମନ୍ତ୍ରୀ ହୋଇ ସେହି ରେକର୍ଡକୁ ଆହୁରି ମଜଭୂତ କରିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ଥିଲା।

Advertisment

୨୦୧୯ରେ ନିର୍ମଳା ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ସେ ୨୦୧୯, ୨୦୨୦,‌ ୨୦୨୧, ୨୦୨୨ ଓ ୨୦୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ସହ ୨୦୨୪ର ଅନ୍ତରୀଣ ବଜେଟ୍‌ ମଧ୍ୟ ଉପସ୍ଥାପନ କରିଛନ୍ତି। ଆସନ୍ତା ଜୁଲାଇ ମାସରେ ସେ ଏନ୍‌ଡିଏ ୩.୦ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ୬୪ ବର୍ଷୀୟା ନିର୍ମଳା ୨୦୧୯ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ପରେ ଅର୍ଥମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ସେ ଥିଲେ ଦେଶର ପ୍ରଥମ ମହିଳା ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ। ନିଜ କାର୍ଯ୍ୟକାଳ ଭିତରେ ସେ ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପ ମଧ୍ୟରେ ଆଗରେ ରହିଛି କମ୍ପାନି ଟିକସକୁ ୩୦%ରୁ ୨୨%କୁ ହ୍ରାସ କରିବା। କୋଭିଡ୍ ମହାମାରୀ ସମୟରେ ସେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ।