ଆଦାନି ପ୍ରସଙ୍ଗରେ ନିର୍ମଳାଙ୍କ ମତ: ନିୟାମକ ସଂସ୍ଥା ସେମାନଙ୍କ କାର୍ଯ୍ୟ କରିବେ

ଦେଶର ଭାବମୂର୍ତ୍ତି ଓ ଅର୍ଥନୀତିକୁ କ୍ଷତି ହୋଇନି

ମୁମ୍ବାଇ: ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଷ୍ଟକ ଏବଂ ଆକାଉଣ୍ଟିଂ ଜାଲିଆତି ଅଭିଯୋଗ ଆଣିବା ପରେ ଏହାକୁ ନେଇ ସଂସଦ ଭିତରେ ଏବଂ ଷ୍ଟକ୍‌ ବଜାରରେ ଝଡ଼ ସୃଷ୍ଟି ହୋଇଛି। ତେବେ ଏ ପ୍ରସଙ୍ଗରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ କହିଛନ୍ତି, ନିୟାମକ ସଂସ୍ଥା ସେମାନଙ୍କ ଦାୟିତ୍ବ ନିର୍ବାହ କରିବେ। ଆପଣମାନେ ରିଜର୍ଭ ବ୍ୟାଙ୍କର ମତାମତ ଗତକାଲି ଶୁଣି ସାରିଛନ୍ତି। ତାହା ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଏବଂ ଭାରତୀୟ ଜୀବନ ବୀମା ନିଗମ ମଧ୍ୟ ସେମାନଙ୍କ ମତ ରଖିସାରିଛନ୍ତି। ତେଣୁ ନିୟାମକ ସଂସ୍ଥା ସେମାନଙ୍କ କାର୍ଯ୍ୟ କରିବେ ବୋଲି ମୁମ୍ବାଇଠାରେ ସାମ୍ବାଦିକମାନଙ୍କୁ ନିର୍ମଳା କହିଛନ୍ତି।

ଭାରତରେ ନିୟାମକ ସଂସ୍ଥାଗୁଡ଼ିକ ସ୍ବାଧୀନ। ବଜାରକୁ ନିୟନ୍ତ୍ରଣ କରିବା ଲାଗି ସେମାନେ ସ୍ବାଧୀନ ଭାବେ ଉପଯୁକ୍ତ ପଦକ୍ଷେପ ନେଇଥାନ୍ତି। ବଜାରର ମୂଳସ୍ଥିତିକୁ ଅତୁଟ ରଖିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଉପଯୁକ୍ତ ସାଧନ ରହିଛି। ଏଥିସହିତ ଭାରତୀୟ ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼ ରହିଛି ଏବଂ ଆଦାନି ଗ୍ରୁପ୍ ଦ୍ବାରା ଫଲୋ ଅନ ପବ୍ଲିକ ଅଫର (ଏଫପିଓ) ବାତିଲ ହେବା ଫଳରେ ଭାରତର ଭାବମୂ୍ର୍ତ୍ତି ମଧ୍ୟ ବିଦେଶରେ କ୍ଷୁଣ୍ଣ ହୋଇନାହିଁ। ଗତ ଦୁଇଦିନ ମଧ୍ୟରେ ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୮ ବିଲିଅନ ଡଲାରର ବୃଦ୍ଧି ଘଟିଥିବା ସେ କହିଛନ୍ତି।

ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଅଣାଯାଇଥିବା ଅଭିଯୋଗଗୁଡ଼ିକୁ ଆଦାନି ଗ୍ରୁପ୍ ଅସ୍ବୀକାର କରିଛି। ଏହା ସତ୍ତ୍ବେ ଆଦାନି ଗ୍ରୁପ୍‌ ଅନ୍ତର୍ଗତ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବହୁମାତ୍ରାରେ ହ୍ରାସ ଘଟିଛି। ଏଥିପାଇଁ ସେମାନଙ୍କ ମୋଟ ବଜାରପୁଞ୍ଜି ଅଧାରୁ ଅଧିକ ବା ୧୦୦ ବିଲିଅନ ଡଲାର କମିଯାଇଛି। ଆଦାନୀ ଗ୍ରୁପ୍‌ର ମୁଖ୍ୟ କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ ଲିମିଟେଡ ନିକଟରେ ୨୦ ହଜାର କୋଟି ଟଙ୍କାର ଫଲୋଅନ୍ ପବ୍ଲିକ ଅଫର (ଏଫପିଓ)କୁ ବାତିଲ କରିଥିଲା। ଏହାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ କମ୍ପାନି ଆଜି ୧୦୦୦ କୋଟି ଟଙ୍କା ମୂଲ୍ୟର ବଣ୍ଡ୍‌ ଜାରି ପ୍ରକ୍ରିୟାକୁ ମଧ୍ୟ ସ୍ଥଗିତ ରଖିଛି। ଏ ସଂକ୍ରାନ୍ତ କାର୍ଯ୍ୟକୁ କମ୍ପାନି ବନ୍ଦ କରିଦେଇଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର