ନ୍ୟୁୟର୍କ ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟ ବୋର୍ଡରେ ସାମିଲ ହେଲେ ନୀତା ଅମ୍ବାନି

ସଂଗ୍ରହାଳୟ ଇତିହାସରେ ପ୍ରଥମ ଭାରତୀୟ ଟ୍ରଷ୍ଟି ହେଲେ ନୀତା ଅମ୍ବାନି

ଭୁବନେଶ୍ୱର: ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବାରୁ ଫିଲାନଥ୍ରୋପିଷ୍ଟ (ଦାତବ୍ୟ କର୍ମୀ), ଶିକ୍ଷାଦ୍ୟୋଗୀ ତଥା ମହିଳା ଉଦ୍ୟୋଗୀ ନୀତା ଅମ୍ବାନିଙ୍କୁ ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟାନ୍  ମ୍ୟୁଜିୟମ୍ ଅଫ୍ ଆର୍ଟ (ଦି ମେଟ୍)ର ବୋର୍ଡରେ ସାମିଲ କରାଯାଇଛି ।

ସର୍ବାଧିକ ଲୋକ ପରିଦର୍ଶନ କରୁଥିବା ବିଶ୍ୱର ସର୍ବବୃହତ ମ୍ୟୁଜିୟମ୍ (ସଂଗ୍ରହାଳୟ) ଭାବେ ଜଣାଶୁଣା ଏହି ସଂଗ୍ରହାଳୟର ଅଧ୍ୟକ୍ଷ ଡାନିଏଲ୍ ବ୍ରୋଡସ୍କି କହିଛନ୍ତି ଯେ ନୀତା ଅମ୍ବାନିଙ୍କୁ ଅବୈତନିକ ଟ୍ରଷ୍ଟି (ଅନରାରି ଟ୍ରଷ୍ଟି) ଭାବେ ଘୋଷଣା କରାଯାଇଛି । ମଙ୍ଗଳବାର ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ବୋର୍ଡର ବୈଠକରେ ତାଙ୍କୁ ନିର୍ବାଚିତ କରାଯାଇଛି ଏବଂ ଏହି ଭଳି ସମ୍ମାନର ଅଧିକାରିଣୀ ହେବାରେ ସେ ପ୍ରଥମ ଭାରତୀୟ ।
ସଂଗ୍ରହାଳୟର ବୋର୍ଡକୁ ନୀତା ଅମ୍ବାନିଙ୍କୁ ସ୍ୱାଗତ କରି ଶ୍ରୀଯୁକ୍ତ ବ୍ରୋଡସ୍କି କହିଛନ୍ତି ଯେ, “ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏବଂ ଦି ମେଟ୍ ପ୍ରତି ତାଙ୍କ ପ୍ରତିବଦ୍ଧତା ବାସ୍ତବରେ ଉଲ୍ଲେଖନୀୟ । ତାଙ୍କ ସହଯୋଗରେ ବିଶ୍ୱର କୋଣ ଅନୁକୋଣର କଳାକୁ ସର୍ବେକ୍ଷଣ କରିବା ଓ ପ୍ରଦର୍ଶିତ କରିବାରେ ସଂଗ୍ରହାଳୟର ଦକ୍ଷତା ବୃଦ୍ଧି ପାଇବ ।’’
ଏହି ଅବସରରେ ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ଯେ, “ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ କଳା ସଂସ୍କୃତିକୁ ପ୍ରଦର୍ଶିତ କରିବା ଦିଗରେ ଦି ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟର ଉଦ୍ୟମକୁ ସହଯୋଗ କରିଥିବାରୁ ମୁଁ ବେଶ ଆନନ୍ଦିତ । ଭାରତୀୟ କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବାର ଆମର ଲକ୍ଷ୍ୟ ପ୍ରତି ଦି ମେଟ୍ କର୍ତୃପକ୍ଷଙ୍କ ଉତ୍ସାହ ଆମକୁ ବେଶ ପ୍ରଭାବିତ ଓ ଚମତ୍କୃତ କରିଛି । ଏହି ସମ୍ମାନ ଭାରତର ପୁରାତନ ଓ ସମସାମୟିକ ଐତିହ୍ୟକୁ ନେଇ ମୋର ଉଦ୍ୟମକୁ ଦ୍ୱିଗୁଣିତ କରିବାକୁ ପ୍ରେରିତ କରିବ ।’’
ନୀତା ଅମ୍ବାନି ହେଉଛନ୍ତି ଭାରତୀୟ ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପିକା ଅଧ୍ୟକ୍ଷା । ଏହି ଫାଉଣ୍ଡେସନ ୨୦୧୬ ପର ଠାରୁ ଦି ମେଟକୁ ସହାୟତା କରିଆସୁଛି, ଯାହା ନସରିନ୍ ମୋହମେଦିଙ୍କ ପ୍ରଦର୍ଶନୀରୁ ଆରମ୍ଭ ହୋଇଥିଲା ଏବଂ ତାହା ଥିଲା ଦି ମେଟ୍ ବ୍ରିଉଅର୍ର ଉଦଘାଟନୀ ପ୍ରଦର୍ଶନୀ ।

ନୀତି ଅମ୍ବାନି ଦି ମେଟ୍ ଆନ୍ତର୍ଜାତିକ ପରିଷଦର ମଧ୍ୟ ସଦସ୍ୟା ଅଛନ୍ତି । ୨୦୧୭ ଅକ୍ଟୋବରରେ ସଂଗ୍ରହାଳୟରେ ଭାରତର କଳାକୁ ନେଇ ଆୟୋଜିତ ପ୍ରଦର୍ଶନୀ ଓ ଉତ୍ସବଗୁଡ଼ିକୁ ସହାୟତା କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ସେହି ସମୟରେ ନୀତା କହିଥିଲେ ଯେ ଭାରତୀୟ କଳାର ସମୃଦ୍ଧ ପରମ୍ପରାକୁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ବିଭିନ୍ନ ଅନୁଷ୍ଠାନ ଜରିଆରେ ପ୍ରଚାର ପ୍ରସାର ଲାଗି ସୁଯୋଗ ଓ ମଂଚ ପ୍ରଦାନ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି ।
ଏହି କ୍ରମରେ ପ୍ରଥମ ପ୍ରଦର୍ଶନୀ “ମଡର୍ନିଜମ ଅନ୍ ଦି ଗଙ୍ଗେସ୍’ରେ ରଘୁବୀର ସିଂହଙ୍କ ଫଟୋଗୁଡ଼ିକୁ ୨୦୧୭ ଅକ୍ଟୋବରରୁ ୨୦୧୮ ଜାନୁଆରି ପର୍ଯ୍ୟନ୍ତ ପ୍ରଦର୍ଶିତ କରାଯାଇଥିଲା । ଏହା ପରେ ମୃଣାଳିନୀ ମୁଖାଜୀଙ୍କ “ଫିନୋମିନାଲ ନେଚର’ ପ୍ରଦର୍ଶନୀ ୨୦୧୯ ଜୁନ୍-ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା ଯାହା ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ସ୍ଥାପତ୍ୟ କଳାର ପ୍ରଥମ ସାମଗ୍ରିକ ପ୍ରଦର୍ଶନୀ ରହିଥିଲା ।
୨୦୨୦ ନଭେମ୍ବର ୧୦ରୁ ଦି ମେଟ ଫିଫଥ ଆଭେନୁ୍ୟରେ ଆରମ୍ଭ ହେବାକୁ ଯାଉଥିବା “ଟ୍ରି ଆଣ୍ଡ ସେରପେଂଟ: ଆର୍ଲି ବୁଦ୍ଧିଷ୍ଟ ଆର୍ଟ ଇନ ଇଣ୍ଡିଆ, ୨୦୦ ବିସି-ଏଡି ୪୦୦’କୁ ମଧ୍ୟ ଫାଉଣ୍ଡେସନର ସହାୟତା ମିଳିଛି । ଏଥିରେ ଶପ୍ତଦଶ ଶତାବ୍ଦୀର ମୋଗଲ କଳା ଏବଂ ପାରମ୍ପରିକ ଭାରତୀୟ ସ୍ଥାପତ୍ୟ କଳାକୁ ମଧ୍ୟ ପ୍ରଦର୍ଶିତ କରାଯିବ । ଭାରତୀୟ କଳା ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ନୀତି ଅମ୍ବାନିଙ୍କ ରିଲାଏନ୍ସ ଫାଉଣ୍ଡେସନ ଖ୍ୟାତନାମା କଳାକାରମାନଙ୍କୁ ସମ୍ମାନିତ କରିବା ଏବଂ ଯୁବପିଢ଼ିଙ୍କୁ କଳା ସାଙ୍ଗରେ ଯୋଡ଼ିବା ଦିଗରେ ଉଦ୍ୟମ ଜାରି ରଖି ଦି ଏଲିଫାଂନ୍ଟା ଫେଷ୍ଟିଭାଲ୍, ଉସ୍ତାଦ ଜାକିର ହୁସେନଙ୍କ ବାର୍ଷିକ କନସର୍ଟ “ଆବାଜୀ’ ତଥା ସମ୍ମାନଜନକ ଆର୍ଟ ଇନଷ୍ଟିଚୁ୍ୟଟ ଅଫ୍ ଚିକାଗୋର “ଦି ଟ୍ରାଡିସନ ଅଫ କ୍ରିଷ୍ଣା ପେଂଟିଙ୍ଗ’କୁ ମଧ୍ୟ ସହଯୋଗ ପ୍ରଦାନ କରିଛି ।

ସମ୍ବନ୍ଧିତ ଖବର