ନୂଆଦିଲ୍ଲୀ: ଜାପାନକୁ ଟପି ଭାରତ ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଭାରତ ଏବେ ୪ ଟ୍ରିଲିଅନ୍ ଡଲାର ଅର୍ଥନୀତି। ନିତି ଆୟୋଗ ସିଇଓ ବିଭିଆର୍ ସୁବ୍ରମଣ୍ୟମ ଆଜି ଏହି ସୂଚନା ଦେଇଛନ୍ତି। ନିତି ଆୟୋଗର ୧୦ମ ଗଭର୍ନିଂ କାଉନସିଲ୍ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ଭାରତ ଅର୍ଥନୀତିର ଆକାର ଜାପାନ ଅର୍ଥନୀତିର ଆକାରଠାରୁ ବଡ଼ ହୋଇଥିବା ଯୁକ୍ତିକୁ ଦର୍ଶାଇବା ପାଇଁ ସେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍) ତଥ୍ୟର ସାହାରା ନେଇଛନ୍ତି। ଫଳରେ ବର୍ତ୍ତମାନ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ଏବଂ ଜର୍ମାନୀ ଭାରତର ଅର୍ଥନୀତିଠାରୁ ବଡ଼। ଯୋଜନା ଅନୁଯାୟୀ ସବୁ କାର୍ଯ୍ୟ ଚାଲିଲେ ଅଢ଼େଇରୁ ତିନି ବର୍ଷ ଭିତରେ ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ।
ନିତି ଆୟୋଗ ସିଇଓଙ୍କ ସୂଚନା
ଜାପାନକୁ ଟପିଯାଇଛି, ଆକାର ୪ ଟ୍ରିଲିଅନ ଡଲାର, ୩ ବର୍ଷରେ ତୃତୀୟ ସ୍ଥାନ
ଏଥିସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ତାଙ୍କ ଦେଶରେ ବିକ୍ରି ହେଉଥିବା ଆଇଫୋନ ସେଠାରେ ଉତ୍ପାଦନ କରିବା ପାଇଁ ଆପଲ୍କୁ ଏକ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି। ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ଉତ୍ପାଦନ କରି ଆମେରିକାରେ ବିକ୍ରି କରିଲେ ଏହା ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯିବ ବୋଲି ସେ କମ୍ପାନିକୁ ଧମକାଇଛନ୍ତି। ଏ ସଂପର୍କରେ ପ୍ରଶ୍ନର ଉତ୍ତରରେ ସୁବ୍ରମଣ୍ୟମ କହିଛନ୍ତି, ଶୁଳ୍କ କ’ଣ ରହିବ ତାହା ଅନିଶ୍ଚିତ। କିନ୍ତୁ ସାଂପ୍ରତିକ ସ୍ଥିତିକୁ ଦେଖିଲେ ଭାରତରେ କମ୍ମୂଲ୍ୟରେ ହିଁ ଉତ୍ପାଦନ ହୋଇପାରିବ। ନିତି ଆୟୋଗ ସିଇଓ ଏହି ଅବସରରେ ସୂଚନା ଦେଇଛନ୍ତି ଯେ ଦ୍ବିତୀୟ ପର୍ଯ୍ୟାୟ ଆସେଟ୍ ମନିଟାଇଜେସନ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟରେ ଏ ନେଇ ଘୋଷଣା ହେବ।