ଭୁବନେଶ୍ବର: ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ଗାଡ଼ିମଟର ଚଳାଚଳ। ପରିବେଶ ପ୍ରଦୂଷଣକୁ ହ୍ରାସ କରି ଲୋକଙ୍କୁ ସ୍ବଚ୍ଛ ବାୟୁ ଯୋଗାଇ ଦେବାକୁ ହେଲେ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ଗାଡ଼ିମଟରଗୁଡ଼ିକୁ ହଟାଇ ବିଦ୍ୟୁତ ଯାନ ଚଳାଇବାର ଆବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ସ୍ବପ୍ନ ପୂରଣରେ ମଧ୍ୟ ଏହା ବିଶେଷ ସହାୟକ ହେବ। ଏଭଳି ସ୍ଥିତିରେ ନିତି ଆୟୋଗ ପକ୍ଷରୁ ଚଳିତମାସରେ ‘ଇଣ୍ଡିଆ ଇଲେକ୍ଟ୍ରିକ ମୋବିଲିଟି ଇଣ୍ଡେକ୍ସ (ଆଇଇଏମଆଇ)-୨୦୨୪’ ପ୍ରକାଶ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ ଯାନ (ଇଭି) ଚଳାଚଳ ସଂଖ୍ୟା ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିକୁ ନେଇ ରୢାଙ୍କ ପ୍ରସ୍ତୁତ କରାଯାଇଛି। ଏହି ରୢାଙ୍କ୍ରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି।
ଇଭି ଚଳାଚଳ ଏବଂ ଏଥିପାଇଁ ଆବଶ୍ୟକ ପରିବେଶ ସୃଷ୍ଟି କ୍ଷେତ୍ରରେ ରାଜ୍ୟଗୁଡ଼ିକ ହାସଲ କରିଥିବା ଅଗ୍ରଗତିକୁ ମପାଯାଇ ରୢାଙ୍କ୍ ପ୍ରସ୍ତୁତ କରାଯାଇଛି। ୩ଟି ପ୍ରସଙ୍ଗ ଯଥା ଯାନର ବିଦ୍ୟୁତୀକରଣ ଅଗ୍ରଗତି, ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତି ଏବଂ ଇଭି ଗବେଷଣା ଓ ନବସୃଜନ ସ୍ଥିତିକୁ ଆକଳନ କରାଯାଇ ବିଭିନ୍ନ ରାଜ୍ୟକୁ ଭିନ୍ନ ଭିନ୍ନ ସ୍କୋର ଦିଆଯାଇଛି। ଦିଲ୍ଲୀ ୭୭ ନମ୍ବର ରଖି ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ୪୯ ନମ୍ବର ରଖି ସପ୍ତମ ସ୍ଥାନରେ ରହିଛି। ଏହି ସୂଚୀରେ ମହାରାଷ୍ଟ୍ର ୬୮ ନମ୍ବର ରଖି ଦ୍ବିତୀୟ, ଚଣ୍ଡିଗଡ଼ ୬୫ ନମ୍ବର ରଖି ତୃତୀୟ, କର୍ଣ୍ଣାଟକ ୬୪ ନମ୍ବର ରଖି ଚତୁର୍ଥ, ତାମିଲନାଡ଼ୁ ୫୯ ନମ୍ବର ରଖି ପଞ୍ଚମ, ହରିୟାଣା ୫୪ ନମ୍ବର ରଖି ସୂଚୀରେ ଷଷ୍ଠ ସ୍ଥାନରେ ରହିଥିବା ଜଣାଯାଇଛି। ଏ କ୍ଷେତ୍ରରେ ଜାତୀୟ ହାରାହାରି ସ୍କୋର ୩୯.୪ ରହିଛି। ୧୦୦ ସ୍କୋର ରଖିଲେ ଆଚିଭର୍ ବର୍ଗରେ ରହିବା ବ୍ୟବସ୍ଥା ଥିବାବେଳେ ଏଥିରେ କେହି ସ୍ଥାନ ପାଇନାହାନ୍ତି। ଏହା ପଛକୁ ୬୫ରୁ ୯୯ ସ୍କୋର ରଖିଥିବା ବର୍ଗର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଫ୍ରଣ୍ଟ ରନର୍ ବର୍ଗରେ ରଖାଯାଇଛି। ସେଥିରେ ଦୁଇଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ(ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଚଣ୍ଡିଗଡ଼) ଅଛନ୍ତି। ଏହା ପଛକୁ ୫୦ରୁ ୬୪ ସ୍କୋର ରଖିଥିବା ରାଜ୍ୟଗୁଡ଼ିକୁ ପରଫର୍ମର୍ ବର୍ଗରେ ରଖାଯାଇଛି। ଏଥିରେ ୩ଟି ରାଜ୍ୟ କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ହରିୟାଣା ରହିଛନ୍ତି। ଏହା ପଛକୁ ୦ରୁ ୪୯ ସ୍କୋର ରଖିଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଆସ୍ପାୟାରାଣ୍ଟ୍ ବର୍ଗରେ ରଖାଯାଇଥିବାବେଳେ ଏଥିରେ ଓଡ଼ିଶା ସ୍ଥାନ ପାଇଛି। ତେବେ ଆଶ୍ବାସନାର ବିଷୟ ହେଲା ଓଡ଼ିଶା ଏହି ବର୍ଗର ଶୀର୍ଷରେ ରହିଛି।
ବିଦ୍ୟୁତ୍ଯାନ ଚଳାଚଳ ସଂଖ୍ୟାକୁ ନେଇ ପ୍ରସ୍ତୁତ ହୋଇଥିବା ପରିବହନ ବିଦ୍ୟୁତ୍କରଣ ଅଗ୍ରଗତି ବର୍ଗରେ ଓଡ଼ିଶା ୫୬ ସ୍କୋର ରଖି ଷଷ୍ଠ ରୢାଙ୍କ୍ରେ ରହିଛି। ଏ କ୍ଷେତ୍ରରେ ଚଣ୍ଡିଗଡ଼ ୯୦ ସ୍କୋର ରଖି ପ୍ରଥମ, ଦିଲ୍ଲୀ ୭୯ ସ୍କୋର ସହ ଦ୍ବିତୀୟ, ମହାରାଷ୍ଟ୍ର ୬୬ ସ୍କୋର ସହ ତୃତୀୟ, ଛତିଶଗଡ଼ ୬୦ ସ୍କୋର ସହ ଚତୁର୍ଥ, ଉତ୍ତରପ୍ରଦେଶ ୫୯ ସ୍କୋର ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହା ପଛକୁ ଓଡ଼ିଶା ରହିଛି। ତେଣୁ ଏ କ୍ଷେତ୍ରରେ ଓଡ଼ିଶା ପର୍ଫର୍ମର ବର୍ଗରେ ସ୍ଥାନ ପାଇଛି। କିନ୍ତୁ ଇଭି ଗବେଷଣା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଥିବା ନିତି ଆୟୋଗର ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ୪୧ ସ୍କୋର ସହ ଆମ ରାଜ୍ୟ ଚତୁର୍ଦ୍ଦଶ ସ୍ଥାନରେ ରହିଛି। ସେହିଭଳି ଚାର୍ଜିଂ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆହୁରି ପଛରେ ପଡ଼ିଛି। ୪୩ ସ୍କୋର ସହିତ ଉନ୍ନବିଂଶ ସ୍ଥାନରେ ରହିଛି। ନିତି ଆୟୋଗ ରିପୋର୍ଟକୁ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ଯେ ଓଡ଼ିଶାକୁ ଉପରୋକ୍ତ ସବୁବର୍ଗରେ ଉପରକୁ ଉଠିବା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। କିନ୍ତୁ ଇଭି ଗବେଷଣା ଓ ନବସୃଜନ ସମେତ ଚାର୍ଜିଂ ଭିତ୍ତିଭୂମି ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ନଚେତ୍ ପ୍ରଦୂଷଣ ହ୍ରାସ ହେଉ କିମ୍ବା ଇଭି କ୍ଷେତ୍ରକୁ ଆଗକୁ ନେବା ପାଇଁ ବିଶ୍ବରେ ଚାଲିଥିବା ବିପ୍ଳବରେ ଓଡ଼ିଶା ପଛରେ ପଡ଼ିଯିବା ସମ୍ଭାବନା ରହିଛି।