ଛଅ ବର୍ଷରେ ନିତି ଆୟୋଗ

ନୂଆଦିଲ୍ଲୀ : ୨୦୧୪ ସାଧାରଣ ନିର୍ବାଚନରେ ‌ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ୬ ଦଶନ୍ଧି ଧରି ଚାଲିଥିବା ଯୋଜନା ଆୟୋ‌ଗକୁ ଭାଙ୍ଗି ଦେଇଥିଲେ। ଏହା ସ୍ଥାନରେ ନିତି (ନ୍ୟାସନାଲ ଇନଷ୍ଟିଚ୍ୟୁଟସନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଆୟୋଗ ଗଠନ କରାଯାଇଥିଲା। ଦେଶକୁ ନୂଆ ଦିଶା ଦେବା ପାଇଁ ଏହା ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଉଦ୍‌ବୋଧନ ଦେଇ କହିଥିଲେ। ୨୦୧୫ ଜାନୁଆରି ପହିଲାରେ ଏହା ପ୍ରତିଷ୍ଠା ହୋଇଥିଲା। ଆଜି ଏହି ପ୍ରତିଷ୍ଠାନକୁ ୬ ବର୍ଷ ପୂରଣ ହୋଇଛି। ୬ ବର୍ଷ ଭିତରେ ଏହି ପ୍ରତିଷ୍ଠାନ ତା’ର ଲକ୍ଷ୍ୟ ହାସଲରେ କେତେ ସଫଳ ହୋଇଛି ତାହାକୁ ନେଇ ବିତର୍କ ଚାଲିଛି। ତେବେ ଏହି ଛଅ ବର୍ଷ ମଧ୍ୟରେ ନିତି ଆୟୋଗ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ରିପୋର୍ଟ ଦେବା ସହିତ ଲକ୍ଷ୍ୟ ହାସଲ ପାଇଁ ଅନେକ ଅଭିଳାଷ ମଧ୍ୟ ରଖିଛି।

ସେଗୁଡ଼ିକ ମଧ୍ୟରେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବା, ୨୦୨୪ରେ ଦେଶରେ ‌ଏକସଙ୍ଗରେ ନିର୍ବାଚନ କରିବା, ୨୦୩୦ ସୁଦ୍ଧା ଦେଶରେ କେବଳ ବିଜୁଳି ଗାଡ଼ି ଚଳାଚଳ କରିବା, ୨୦୨୨ ସୁଦ୍ଧା ଦେଶର ନିବେଶ ହାରକୁ ୩୬ ପ୍ରତିଶତରେ ପହଞ୍ଚାଇବା ଆଦି ଲକ୍ଷ୍ୟ ରହିଛି। ଏଥିସହିତ ନ୍ୟାସନାଲ ମେଡିକାଲ କମିସନ, ଜାତୀୟ ଶିକ୍ଷା ନୀତି, ଆୟୁଷ୍ମାନ ଭାରତ ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନା ନିତି ଆୟୋଗର ମାନସ ସନ୍ତାନ ବୋଲି କୁହାଯାଉଛି।ସେହିଭଳି ସବୁ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ନୋଟ୍‌ ମଧ୍ୟ ନିତି ଆୟୋଗ ଦ୍ବାରା ତନ୍ନ ତନ୍ନ କରି ଅନୁଧ୍ୟାନ କରାଯାଇଥାଏ। ଅନ୍ୟପକ୍ଷରେ ପାଣ୍ଠି ଆବଣ୍ଟନରେ ଯୋଜନା ଆୟୋଗ ଭଳି ନିତି ଆୟୋଗର କୌଣସି ଭୂମିକା ରହୁନାହିଁ। ଯୋଜନା ଆୟୋଗ ତୁଳନାରେ ନିତି ଆୟୋଗର କ୍ଷମତା ଅଧିକ ଥିଲେ ମଧ୍ୟ ପାଣ୍ଠି ଆବଣ୍ଟନରେ କୌଣସି ଅବଦାନ ନଥିବାରୁ ସଂସ୍ଥା ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ମନ୍ତ୍ରାଳୟ ଗୁଡ଼ିକ ଯେତିକି ଗୁରୁତ୍ବ ଦେବା କଥା ତାହା ଦେଉନାହାନ୍ତି। ସେହିଭଳି କେନ୍ଦ୍ର ରାଜ୍ୟ ସଂପର୍କରେ ଉନ୍ନତି ଆଣିବାରେ ମଧ୍ୟ ନିତି ଆୟୋଗ ସେତେଟା ସଫଳ ହୋଇନାହିଁ।

ସମ୍ବନ୍ଧିତ ଖବର