ଭୁବନେଶ୍ବର: ଇଲେକ୍ଟ୍ରିକ୍ ଯାନ (ଇଭି) ଚଳାଚଳ ଓ ଗ୍ରହଣୀୟତାରେ ଓଡ଼ିଶାର ପ୍ରଦର୍ଶନ ସାରା ଦେଶରେ ଏତେଟା ଉତ୍ସାହଜନକ ନାହିଁ। ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚକାଙ୍କ ଅନୁସାରେ ଓଡ଼ିଶା ସର୍ବମୋଟ ୪୧ ସ୍କୋର୍ ସହ ସପ୍ତମ ସ୍ଥାନରେ ରହିଛି। ଏହାକୁ ତୃତୀୟ ବର୍ଗ ‘ଆକାଂକ୍ଷୀ’ରେ ସାମିଲ କରାଯାଇଛି। ପ୍ରଥମ ବର୍ଗ ଆଚିଭର୍ସରେ କୌଣସି ରାଜ୍ୟର ନାମ ନାହିଁ। ଫ୍ରଣ୍ଟରନର୍ (ଅଗ୍ରଣୀ) ବର୍ଗରେ ଦିଲ୍ଲୀ, ମହାରାଷ୍ଟ୍ର ଓ ଚଣ୍ଡିଗଡ଼ ରହିଛନ୍ତି। ପରଫରମର୍ (ପ୍ରଦର୍ଶନକାରୀ) ବର୍ଗରେ କର୍ଣ୍ଣାଟକ ତାମିଲନାଡୁ ଓ ହରିୟାଣା ନାମ ରହିଛି। ଏହା ପଛକୁ ଥିବା ଆକାଂକ୍ଷୀ ବର୍ଗରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନାମ ରହିଛି। ଇଭି ଚଳାଚଳକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଠାରୁ ଆରମ୍ଭ କରି ବିଭିନ୍ନ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନକୁ ମପା ଯାଇଛି। ପେଟେଣ୍ଟ କ୍ଷେତ୍ରରେ ଏହାର ସ୍କୋର୍ ଶୂନ ରହିଥିବା ବେଳେ କ୍ରୟ ପ୍ରୋତ୍ସାହନରେ ସ୍କୋର୍ ମାତ୍ର ୨ ରହିଛି। ବିଦ୍ୟୁତ୍ ଉପଲବ୍ଧତା, ବାଣିଜ୍ୟିକ ଇଭି ଗ୍ରହଣୀୟତା, ଇଭିରୁ ଇଭି ଚାର୍ଜିଂ ଅନୁପାତ ଏବଂ ଇଭି ଷ୍ଟାର୍ଟଅପ୍ ମାନଦଣ୍ଡରେ ମଧ୍ୟ ରାଜ୍ୟର ସ୍କୋର୍ ଉତ୍ସାହଜନକ ନାହିଁ।
‘ଆକାଂକ୍ଷୀ’ ବର୍ଗରେ ସ୍ଥାନ ପାଇଲା
ତେବେ ରାଜ୍ୟରେ ଇଭି ଗ୍ରହଣୀୟତା ତ୍ବରାନ୍ବିତ କରିବା ଲାଗି ନିତି ଆୟୋଗ କେତେକ ସୁପାରିସ କରିଛି। ଇଭି ବଦଳ କିଟ୍ ଉପରେ ସବ୍ସିଡି ଦେବା, ସଂରକ୍ଷିତ ପାର୍କିଂ ସ୍ଥଳର ବ୍ୟବସ୍ଥା କରିବା, ଲୋ ଏମିସନ୍ ଜୋନ୍ ସୃଷ୍ଟି କରିବା, ଇଭି କ୍ରୟ ଉପରେ ସବ୍ସିଡି ବଢ଼ାଇବା ଏବଂ ସାର୍ବଜନୀନ ଚାର୍ଜିଂ ଷ୍ଟେସନ୍ ପାଇଁ ବିଦ୍ୟୁତ୍ ଶୁଳ୍କ କମ୍ କରିବାକୁ ସୁପାରିସ କରାଯାଇଛି। ଚାର୍ଜର ଅନୁମୋଦନ ପାଇଁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରିବା ଏବଂ ଦକ୍ଷତା ବିକାଶ ପାଇଁ ଗବେଷଣା ଓ ବିକାଶ କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ କୁହାଯାଇଛି।