ସଂଶୋଧିତ ଜିଡିପି ତଥ୍ୟ, ନିତି ଆୟୋଗ ପାଇଁ ବିବାଦ ବଢ଼ିଲା

ନୂଆଦିଲ୍ଲୀ: ଉପା ସରକାରଙ୍କ ଅମଳରେ ହୋଇଥିବା ଜିଡିପି ଅଭିବୃଦ୍ଧିର ସଂଶୋଧିତ ତଥ୍ୟ ଜାରି କରିବା ‌ପାଇଁ‌ ଯେଉଁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ସେଥିରେ ନିତି ଆୟୋଗର ଉପସ୍ଥିତିକୁ ନେଇ ବିବାଦ ଦେଖାଦେଇଛି। ଜିଡିପି ତଥ୍ୟ ଜାରି କରିବା କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ)ର କାମ ହୋଇଥିବା ବେଳେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କାହିଁକି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ତାହାକୁ‌ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିତର୍କ ପାଇଁ ଚିଦମ୍ବରମ୍‌ଙ୍କ ଆହ୍ବାନ
ଜିଡିପି ତଥ୍ୟ ଜାରି କରିବାରେ ନିତି ଆୟୋଗର ଭୂମିକା କ’ଣ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍। ତାଙ୍କୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍ ପ୍ରଣବ ସେନ୍। ଚିଦମ୍ବରମ୍ କହିଛନ୍ତି ଯେ, ସବୁ କିଛି ନିତି ଆୟୋଗ କରିଛି। ତଥ୍ୟ ହିସାବ କରିବା କାମ ‌‘ଜାତୀୟ ପରିସଂଖ୍ୟାନ କମିସନ’ କରିଥାଏ। ସେହି କମିସନ୍‌କୁ ଭାଙ୍ଗି ଦିଆଗଲା କି? ସେ ଏଭଳି ଏକ ଟୁଇଟ୍ କରିଛନ୍ତି। ନିତି ଆୟୋଗ ଭଳି ଅର୍ଥହୀନ ସଂସ୍ଥାକୁ ବନ୍ଦ କରିଦିଆଯିବା ଦରକାର ବୋଲି ଚିଦମ୍ବରମ୍ କହିଛନ୍ତି। ସେ କହିଛନ୍ତି ଯେ, ସାମ୍ବାଦିକଙ୍କ ପ୍ରଶ୍ନକୁ ‘ଉତ୍ତର ଦେବା ଯୋଗ୍ୟ’ ନୁହେଁ ବୋଲି କହିବା ବଦଳରେ ନିତି ଆୟୋଗ ଉପାଧ୍ୟକ୍ଷ ବିତର୍କ ପାଇଁ ପ୍ରସ୍ତୁତ ହେବେ କି? ସେହିପରି ସେନ୍‌ କହିଛନ୍ତି ଯେ, ଲୋକମାନଙ୍କ ଦୃଷ୍ଟିରେ ସିଏସ୍‌ଓର ବିଶ୍ବାସନୀୟତା ପ୍ରଭାବିତ ହୋଇଛି। ଲୋକମାନଙ୍କ ଭାବନା ଥିଲା ଯେ, ସିଏସ୍‌ଓ ରାଜନୈତିକ ହସ୍ତକ୍ଷେପ ଠାରୁ ଦୂରରେ। ଏଭଳିକି ଜାରି ହେବାକୁ ଥିବା ତଥ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ ମାତ୍ର କିଛି ସମୟ ପୂର୍ବରୁ ସୂଚନା ପାଇଥାନ୍ତି। ମାତ୍ର ଏକ ରାଜନୈତିକ ସଂସ୍ଥା ଭାବେ ପରିଗଣିତ ନିତି ଆୟୋଗ ଏବେ ସିଏସ୍‌ଓ କାମରେ ହସ୍ତକ୍ଷେପ କରିଥିବାରୁ ଏହାର ବିଶ୍ବାସନୀୟତା ପ୍ରଭାବିତ ହୋଇଛି ବୋଲି ପ୍ରଣବ ସେନ୍ କହିଛନ୍ତି।

ଚ୍ୟାଲେଞ୍ଜ୍‌ ଗ୍ରହଣ କଲେ ନିତି ଆୟୋଗ ଉପାଧ୍ୟକ୍ଷ
ଜିଡିପିର ସଂଶୋଧିତ ତଥ୍ୟକୁ ନେଇ ଚିଦମ୍ବରମ୍ ଓ ପ୍ରଣବ ସେନ୍‌ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହାର ଉତ୍ତର ରଖିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ବିତର୍କ କରିବାକୁ ମୁଁ ପ୍ରସ୍ତୁତ ବୋଲି ଚିଦମ୍ବରମ୍‌ଙ୍କୁ ରାଜୀବ ଜଣାଇଛନ୍ତି। ଚିଦମ୍ବରମ୍‌ଙ୍କ ଦ୍ବିତୀୟ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଗତକାଲି ମୁଁ ତିନି ଘଣ୍ଟାର ଏକ ସାକ୍ଷାତକାର ଦେଇଥିଲି। ଏହା ସତ୍ତ୍ବେ ଆପଣ କହୁଛନ୍ତି ମୁଁ ପ୍ରଶ୍ନ ନକରିବାକୁ ସାମ୍ବାଦିକଙ୍କୁ କହିଥିଲି। ନୂଆ ତଥ୍ୟକୁ ନେଇ ଆପଣଙ୍କର ଯେଉଁ ସମସ୍ୟା ରହିଛି ତାହର ଏକ ସୁସଙ୍ଗତ କାରଣ ଦିଅନ୍ତୁ ବୋଲି ରାଜୀବ କହିଛନ୍ତି। ଚିଦମ୍ବରମ୍‌ଙ୍କ ପ୍ରଶ୍ନ ସିଏସ୍‌ଓର ଅଧିକାରୀମାନଙ୍କ ପ୍ରତି ଅପମାନ ବୋଲି ମଧ୍ୟ ରାଜୀବ କହିଛନ୍ତି। ପ୍ରଣବ ସେନ୍‌ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହାର ଉତ୍ତରରେ ରାଜୀବ କହିଛନ୍ତି ଯେ, ପ୍ରଣବ ଜାଣିଥିବେ ଯେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଓ ଯୋଜନା ଭବନ ପରସ୍କର ସହ ମିଶି କାମ କରନ୍ତି।

ନୂଆ ହିସାବ ପଦ୍ଧତି କ’ଣ?

ଦେଶର ଅର୍ଥନୀତି କେତେ ଆଗକୁ ବଢ଼ିଛି ତାହା ଶତାଂଶ ଆକାରରେ ଜଣାଇବା ପାଇଁ ଜିଡିପି ତଥ୍ୟ ଜାରି କରାଯାଇଥାଏ। ମୋଦୀ ସରକାର ୨୦୧୫ରେ ଜିଡିପିର ହିସାବ ପଦ୍ଧତିରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରିବର୍ତନ କରିଥିଲେ। ହିସାବ ପାଇଁ ଗ୍ରହଣ କରାଯାଉଥିବା ଆଧାର ବର୍ଷ ବା ବେସ୍‌ ଇୟରକୁ ୨୦୦୪-୦୫ ବଦଳରେ ୨୦୧୧-୧୨ କରିଥିଲେ। ଏହା ସହିତ ମୂଲ୍ୟକୁ ପ୍ରଭାବିତ କରିବା କାରକ ବଦଳରେ ବଜାର ମୂଲ୍ୟକୁ ଜିଡିପି ଆକଳନ ପାଇଁ ଗ୍ରହଣ କରାଯାଇଥିଲା। ଏହି ପଦ୍ଧତିରେ ପ୍ରଥମେ ୨୦୧୩-୧୪ ଓ ୨୦୧୪-୧୫ ଆର୍ଥିକ ବର୍ଷର ଜିଡିପି ପୁନଃ ହିସାବ କରାଯାଇଥିଲା।

ବିବାଦର କାରଣ କ’ଣ?
ଗତକାଲି ୨୦୦୪-୨୦୧୨ ପର୍ଯ୍ୟନ୍ତ ବିଭିନ୍ନ ବର୍ଷର ସଂଶୋଧିତ ଜିଡିପି ତଥ୍ୟ ଜାରି କରାଯାଇଥିଲା। ଏହି ବର୍ଷଗୁଡ଼ିକରେ ଉପା ସରକାର ଶାସନ ଗାଦିରେ ଥିଲା। ନୂଆ ତଥ୍ୟରେ ପ୍ରତିଟି ବର୍ଷ ଜିଡିପି ହାର କମାଇ ଦିଆଯାଇଛି। ଉପା ସରକାରଙ୍କ ଅମଳରେ ହାରାହାରି ଅଭିବୃଦ୍ଧି ୭.୭୫% ଥିଲା। କିନ୍ତୁ ନୂଆ ତଥ୍ୟରେ ତାହାକୁ ୬.୭% ପର୍ଯ୍ୟନ୍ତ ଖସାଇ ଦିଆଯାଇଛି। ତାହାକୁ କଂଗ୍ରେସ ବିରୋଧ କରୁଛି। ‌ମୋଦୀ ସରକାର ଜାଣିଶୁଣି ନିର୍ବାଚନ ପୂର୍ବରୁ ଉପା ଅମଳର ବର୍ଷଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର