ଭୁବନେଶ୍ବର: ନିତି ଆୟୋଗ ପକ୍ଷରୁ ଜାରି ଆର୍ଥିକ ସ୍ବାସ୍ଥ୍ୟ ସୂଚୀରେ ଓଡ଼ିଶା ୬୭.୮ ସ୍କୋର ସହ ଏକ ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ପ୍ରଥମ ପାଞ୍ଚଟି ସ୍ଥାନରେ ଛତିଶଗଡ଼, ଗୋଆ, ଝାଡ଼ଖଣ୍ଡ ଓ ଗୁଜରାଟ ରହିଛନ୍ତି। ଓଡ଼ିଶା ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଖର୍ଚ୍ଚ ମାନରେ ଏହାର ସ୍କୋର ୫୨, ରାଜସ୍ବ ସଂଗ୍ରହରେ ୬୯.୯, ଆର୍ଥିକ ଶୃଙ୍ଖଳାରେ ୫୪, ଋଣ ସୂଚୀରେ ୯୯ ଓ ଋଣ ସ୍ଥାୟିତ୍ବରେ ସ୍କୋର ୬୪ ରହିଛି। ବିତ୍ତୀୟ ନିଅଣ୍ଟକୁ କମ୍ ରଖିବା, ଋଣ ଉପରେ ନିୟନ୍ତ୍ରଣ ଏବଂ ଉଚ୍ଚ ପୁଞ୍ଜି ଅଟକଳ/ଜିଏସ୍ଡିପି ଅନୁପାତ ବଜାୟ ରଖିଥିବାରୁ ଓଡ଼ିଶାକୁ ପ୍ରଶଂସା କରାଯାଇଛି।
ଏହି ସୂଚୀକୁ ଚାରିଟି ବର୍ଗ ଯଥା ଆଚିଭର (ସଫଳ), ଫ୍ରଣ୍ଟରନର (ଆଗ ଧାଡ଼ିର), ପରଫର୍ମର (ପ୍ରଦର୍ଶନକାରୀ) ଓ ଆସ୍ପିରେସନାଲ୍ (ଆକାଂକ୍ଷୀ)ରେ ଭାଗ କରାଯାଇଛି। ଓଡ଼ିଶା ଆଭିଚର ବର୍ଗରେ ରହିଛି।
ଦେଶର ୧୮ଟି ପ୍ରମୁଖ ରାଜ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ତଳ ଆଡ଼କୁ ପଞ୍ଜାବ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, କେରଳ ଓ ହରିୟାଣା ରହିଛନ୍ତି। ପଞ୍ଜାବର ସ୍କୋର ମାତ୍ର ୧୦.୭ ରହିଛି। ଏହା ସବୁ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରିଛି। ଅଣଟିକସ ରାଜସ୍ବ ସଂଗ୍ରହରେ ଓଡ଼ିଶା, ଝାଡ଼ଖଣ୍ଡ, ଗୋଆ ଓ ଛତିଶଗଡ଼ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଖଣି ରାଜସ୍ବରୁ ଓଡ଼ିଶା ଲାଭବାନ ହୋଇଛି। ଓଡ଼ିଶା ଭଳି ଆଉ କେତେକ ରାଜ୍ୟ ସେମାନଙ୍କ ୨୭ ପ୍ରତିଶତ ବିକାଶମୂଳକ ବ୍ୟୟକୁ ପୁଞ୍ଜି ବ୍ୟୟ ଭାବେ ବ୍ୟବହାର କରୁଛନ୍ତି।