ନିତି ଆୟୋଗ ବୈଠକ, ୫ ଟ୍ରିଲିଅନ୍ ଡଲାର ଅର୍ଥନୀତିର ଲକ୍ଷ୍ୟ

ମିଳିମିଶି ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, ଆସିଲେନି ମମତା, କେସିଆର, କ୍ୟାପଟେନ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସୁଦ୍ଧା ଭାରତକୁ ପାଞ୍ଚ ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିତି ଆୟୋଗ ବୈଠକରେ ଆହ୍ବାନ ଦେଇଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇଥିଲେ ମଧ୍ୟ ଅସମ୍ଭବ ନୁହେଁ। ମିଳିମିଶି ଏହି ଲକ୍ଷ୍ୟ ହାସଲ କରିବାକୁ ସେ ରାଜ୍ୟଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ବର୍ତ୍ତମାନ ଭାରତୀୟ ଅର୍ଥନୀତିର ଆକାର ହେଉଛି ୨.୭୫ ଟ୍ରିଲିଅନ୍ ଡଲାର। ନିତି ଆୟୋଗର ପଞ୍ଚମ ପରିଚାଳନା ପରିଷଦ ବୈଠକରେ ଉଦ୍‌ଘାଟନୀ ଅଭିଭାଷଣ ଦେଇ ସେ କହିଲେ, ରାଜ୍ୟଗୁଡ଼ିକୁ ନିଜେ ଦୃଢ଼ ଥିବା କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ ଏବଂ ଜିଲ୍ଲା ସ୍ତରରୁ ଯେଭଳି ମୋଟ ଘରୋଇ ଉତ୍ପାଦ (ଜିଡିପି) ବଢ଼ିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମ ସମସ୍ତଙ୍କୁ ବିକାଶ ପାଇଁ କାମ କରିବାକୁ ପଡ଼ିବ। ଦାରିଦ୍ର୍ୟ, ଗରିବୀ, ମରୁଡ଼ି, ବନ୍ୟା, ପ୍ରଦୂଷଣ, ଦୁର୍ନୀତି ଓ ହିଂସା ଦୂର କରିବାକୁ ମିଳିତ ଉଦ୍ୟମ କରିବାକୁ ପଡ଼ିବ। ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କଲେ କିଭଳି ସଫଳତା ମିଳେ ତାହା ସ୍ବଚ୍ଛ ଭାରତ ଅଭିଯାନ ଓ ପିଏମ୍ ଆବାସ ଯୋଜନାରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି। ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଉପରେ ମତ ରଖି ପ୍ରଧାନମନ୍ତ୍ରୀ କହିଲେ, ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମକୁ ମତ୍ସ୍ୟଚାଷ, ପଶୁ ପାଳନ, ଉଦ୍ୟାନ କୃଷି, ଫଳ ଓ ପନିପରିବା ଚାଷ ଉପରେ ଗୁରୁତ୍ବ ଦେବାକୁ ହେବ। ଚାଷୀଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଯୋଜନା ଯଥା ପିଏମ୍ କିସାନ ଯୋଜନାର ଲାଭ ଠିକ୍ ସମୟରେ ପ୍ରତିଟି ଚାଷୀଙ୍କ ପାଖରେ ପହଞ୍ଚିବ ବୋଲି ସେ କହିଛନ୍ତି।

ସ୍ବାସ୍ଥ୍ୟ ସମ୍ପର୍କରେ ସେ କହିଲେ, ୨୦୨୨ ସୁଦ୍ଧା ଆମକୁ ଅନେକ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପା‌ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ଆୟୁଷ୍ମାନ ଭାରତରେ ଯୋଗ ଦେଇନାହାନ୍ତି ସେମାନେ ଶୀଘ୍ର ଏଥିରେ ସାମିଲ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଆକାଂକ୍ଷୀ ଜିଲ୍ଲା ବିଷୟରେ ସେ କହିଛନ୍ତି ଯେ, ଉତ୍ତମ ପ୍ରଶାସନ ଉପରେ ଗୁରୁତ୍ବାରୋପ କରିବାକୁ ପଡ଼ିବ। ୧୧୫ଟି ଜିଲ୍ଲାର ଦ୍ରୁତ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କୁ ବାଦ ଦେଲେ ପ୍ରାୟ ଅନ୍ୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ନିଜ ପ୍ରତିନିଧି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ମନପ୍ରୀତ ବାଦଲଙ୍କୁ ପଠାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନିତି ଆ‌ୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓ ଅନ୍ୟ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର